ମଦ ନିଶା ଏମିତି ଚଢ଼ିଥିଲା ଯେ…୧୦୦କୁ ଡାଏଲ୍‌ କରି ପୋଲିସକୁ ମାଗିଦେଲେ ୨ ବୋତଲ ମଦ!

ବେଳେବେଳେ କିଛି ଲୋକ ନିଶାସକ୍ତ ଅବସ୍ଥାରେ ଅନେକ କାଣ୍ଡ କରି ପକାନ୍ତି। ମଦ ନିଶା ଚଢ଼ିଥିଲେ, ସେମାନେ ନିଜର ହିତାହତ ଜ୍ଞାନ ଭୁଲି ଯାଆନ୍ତି। କ’ଣ କରିବେ, କ’ଣ ନ କରିବେ, ଜାଣିପାରନ୍ତି ନାହିଁ। ଏବେ ଏମିତି ହିଁ ଏକ ମାମଲା ତେଲେଙ୍ଗାନାରୁ ଆସିଛି। ଏଠି ମଦ ନିଶାରେ ଜଣେ ଯୁବକ ଅଜବ ପ୍ରକାର କାର୍ଯ୍ୟ କରି ବସିଛନ୍ତି, ଯାହା ବିଷୟରେ ଆପଣ ଭାବି ସୁଦ୍ଧା ପାରିବେ ନାହିଁ। ୨୨ ବର୍ଷୀୟ ଏହି ଯୁବକ ବିଳମ୍ବିତ ରାତିରେ ୧୦୦କୁ ଡାଏଲ୍‌ କରି ୨ ବୋତଲ ମଦ ମାଗିଛନ୍ତି। ଘଟଣାଟି ଗତ ଶୁକ୍ରବାର ବିଳମ୍ବିତ ରାତି ସାଢ଼େ ୨ଟାର ବୋଲି କୁହାଯାଉଛି।

ତେଲେଙ୍ଗାନାର ବିକାରାବାଦ ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ଯୁବକଙ୍କ ନାଁ ମଧୁ ବୋଲି ଜଣାପଡ଼ିଥିବା ବେଳେ ସେ ମୂଳତଃ ଦୌଲତାବାଦର ବାସିନ୍ଦା। କିନ୍ତୁ ଦୀର୍ଘଦିନ ହେବ ହାଇଦ୍ରାବାଦରେ ହିଁ ରହୁ ଆସୁଛନ୍ତି। ଘଟଣା ଦିନ ରାତିରେ ମଧୁ ନିଶାସକ୍ତ ଅବସ୍ଥାରେ ହଠାତ୍‌ ୧୦୦ ନମ୍ବରକୁ ଡାଏଲ୍‌ କରିଥିଲେ ଏବଂ ପୋଲିସକୁ ୨ ବୋତଲ ମଦ ମାଗିଥିଲେ। ପୋଲିସ କହିଛି ଯେ ଯୁବକ ପ୍ରଥମେ ଫୋନ୍‌ କରି କହିଥିଲେ କି, ସେ ବିପଦରେ ଅଛନ୍ତି। ଏକ ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଉଛି।

ଖବର ପାଇ ପାଟ୍ରୋଲିଂ ଟିମ୍‌ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା, ତ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଥିଲେ। ଆଉ ଯେତେବେଳେ ପୋଲିସ ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲା, ତ ସେ ପୋଲିସକୁ ୨ ବୋତଲ ମଦ ଆଣି ଦେବାକୁ କହିଥିଲେ। ଏ ନେଇ ପୋଲିସ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ତାଙ୍କୁ କାଉନ୍‌ସିଲିଂ କରାଯାଇଥିଲା ଏବଂ ପରେ ଛାଡ଼ି ଦିଆଯାଇଥିଲା।

ସେପଟେ ଠିକ୍‌ ଏମିତି ହିଁ ଏକ ଘଟଣା ଗତ କିଛିଦିନ ତଳେ ଘଟିଥିଲା। ଘଟଣାଟି ମଧ୍ୟ ପ୍ରଦେଶର ଥିଲା। ଉଜ୍ଜୈନରେ ଜଣେ ବ୍ୟକ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏବଂ ଅବକାରୀ ବିଭାଗକୁ ଏକ ଲିଖିତ ଅଭିଯୋଗ ପଠାଇ ଥିଲେ। ଏଥିରେ ସେ ଲେଖିଥିଲେ ଯେ ୨ ବୋତଲ ମଦ ପିଇବା ପରେ ବି ତାଙ୍କୁ ନିଶା ହୋଇ ନ ଥିଲା। ଏପରି କି, ସେ ନିଜ ଅଭିଯୋଗ ସହିତ ମଦ ବୋତଲକୁ ମଧ୍ୟ ପ୍ରମାଣ ସ୍ୱରୂପ ଦାଖଲ କରିଥିଲେ। ଆଉ ଯେତେବେଳେ ତାଙ୍କ ଅଭିଯୋଗ ଉପରେ କୌଣସି ତଦନ୍ତ କରାଯାଇ ନ ଥିଲା, ତ ବ୍ୟକ୍ତି ଜଣକ କହିଥିଲେ ଯେ ସେ ଏ ନେଇ ଉପଭୋକ୍ତା ଫୋରମ୍‌କୁ ଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.