ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ଅତିରିକ୍ତ ଛୁଟି! ଏହି ଦେଶର ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମହିଳାମାନଙ୍କ ପାଇଁ ଖୁସି ଖବର। ଏଣିକି ମାସିକ ଧର୍ମ ସମୟରେ ଆପଣ କେବଳ ଘରେ ହିଁ ରହି ପାରିବେ। ଏଥିପାଇଁ ଆପଣଙ୍କୁ ଛୁଟି ମିଳିବ। ଆଉ ତାହା ବି ୩ ଦିନ। ସାଧାରଣତଃ ପିରିୟଡ୍ସ ହେଲେ ମହିଳାମାନେ ଅହସ୍ୟ ଯନ୍ତ୍ରଣା ଅନୁଭବ କରି ଥାଆନ୍ତି। ଏହି ସମୟ ସେମାନଙ୍କ ପାଇଁ ଅତ୍ୟନ୍ତ କଠିନ ସମୟ ହୋଇଥାଏ। ଏବେ ଏହି ଯନ୍ତ୍ରଣାକୁ ସାମାନ୍ୟ ହ୍ରାସ କରିବା ପାଇଁ ସ୍ପେନ୍‌ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଠାରେ ପ୍ରତି ମାସରେ ମହିଳାମାନଙ୍କୁ ୩ ଅତିରିକ୍ତ ଛୁଟି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମାସିକ ଧର୍ମ ବେଳେ ମହିଳାମାନଙ୍କୁ ଛୁଟି ଦେବାରେ ସ୍ପେନ୍‌ ବିଶ୍ୱର ପ୍ରଥମ ପାଶ୍ଚାତ୍ୟ ଦେଶ ହେବ। ପିରିୟଡ୍ସ ଯନ୍ତ୍ରଣାକୁ ଦୃଷ୍ଟିରେ ରଖି ଦିଆଯିବାକୁ ଥିବା ଛୁଟିର ଲିମିଟ୍‌ ମାସିକ ୩ ଦିନ ନିର୍ଦ୍ଧାରିତ କରାଯାଇଛି। ସ୍ପେନ୍‌ ସରକାର ଆଗାମୀ ସପ୍ତାହରୁ ଏହି ନିୟମକୁ ଦେଶରେ ଲାଗୁ କରିବାକୁ ଯାଉଛନ୍ତି, ଯଦ୍ଦ୍ଵାରା ଅନେକ ମହିଳା ଉପକୃତ ହେବେ ବୋଲି ସରକାର ଆଶାବାଦୀ ଅଛନ୍ତି। ସ୍ପେନ୍‌ର ଆଗାମୀ କ୍ୟାବିନେଟ୍‌ ବୈଠକରେ ଏହି ସଂସ୍କାର ପ୍ୟାକେଜ୍‌ ପାରିତ ହେବ। ଏହି ପ୍ୟାକେଜ୍‌ ଅଧୀନରେ ପ୍ରତ୍ୟେକ ସ୍କୁଲକୁ ଝିଅମାନଙ୍କ ପାଇଁ ‘ସାନିଟାରୀ ପ୍ୟାଡ୍‌’ ପ୍ରଦାନ କରାଯିବ। ଯେଉଁମାନଙ୍କୁ ଏହାର ଆବଶ୍ୟକତା ରହିଛି, ସେମାନେ ଏହାର ଲାଭ ନେଇପାରିବେ।

ତେବେ ପିରିୟଡ୍ସ ସମୟରେ ମହିଳାମାନଙ୍କୁ ଛୁଟି କେବଳ କିଛି ହିଁ ଦେଶରେ ଦିଆଯାଉଛି। ଜାପାନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ଜାମ୍ବିଆ ଆଦି ଦେଶରେ ମହିଳାମାନେ ମାସିକ ଧର୍ମ ସମୟରେ ଛୁଟି ପାଉଛନ୍ତି। ଏବେ ଏହି ତାଲିକାରେ ସ୍ପେନ୍‌ ବି ଯୋଡ଼ି ହୋଇଯାଇଛି। ସେପଟେ ସ୍ପେନ୍‌ ମାସିକ ଧର୍ମ ଏବଂ ପ୍ରଜନନ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ନିମନ୍ତେ ମାର୍ଚ୍ଚ ୩ରେ ଏକ ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଥିଲା, ଯେଉଁଥିରେ ଗର୍ଭପାତ କରାଉଥିବା ମହିଳାମାନଙ୍କୁ ଛୁଟି ଦେବା ମଧ୍ୟ ସାମିଲ ରହିଛି।

ଯେଉଁଁ ମହିଳାମାନେ ପିରିୟଡ୍ସ ସମୟରେ ଯନ୍ତ୍ରଣା ଦେଇ ଗତି କରୁଛନ୍ତି, ସେମାନଙ୍କୁ ଏହି ସବୁ ପଦକ୍ଷେପ ମାଧ୍ୟମରେ ଲାଭ ପହଞ୍ଚାଇବା ହେଉଛି ସରକାରଙ୍କ ମୂଳ ଉଦ୍ଦେଶ୍ୟ। କହି ରଖୁଛୁ, ମାସିକ ଧର୍ମ ସମୟରେ କିଛି ମହିଳା ‘Dysmenorrhea’ରେ ପୀଡ଼ିତ ହୋଇ ଯାଆନ୍ତି। ସରକାରୀ ନିଷ୍ପତ୍ତି ମୁତାବକ, ସ୍ପେନ୍‌ରେ ସାନିଟାରୀ ପ୍ୟାଡ୍‌ ଏବଂ ଟାମ୍ପୁନ୍‌ରୁ ଭ୍ୟାଟ୍‌ ମଧ୍ୟ ହଟାଇ ଦିଆଯାଇଛି। ଏଥି ସହିତ ସାମାଜିକ ରୂପେ ଅଦରକାରୀ ହୋଇ ପଡ଼ିଥିବା ମହିଳାଙ୍କୁ ଏଗୁଡ଼ିକୁ ମାଗଣାରେ ହିଁ ପ୍ରଦାନ କରାଯିବ। ସ୍ପେନ୍‌ ବେଶ୍ୟାବୃତ୍ତି ପାଇଁ ମହିଳା ଚାଲାଣକୁ ରୋକିବା ନିମନ୍ତେ ବି ଏକ ଆଇନ ପାରିତ କରିବା ଉପରେ ବିଚାର କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.