Below header

ଭାତ ଡାଲି ଖାଉଥିବା କୁମ୍ଭୀର ‘ଗଙ୍ଗାରାମ’ର ମୃତ୍ୟୁରେ କାନ୍ଦିଲା ସାରା ଗାଁ, ଦେଲେ ଶେଷ ଶ୍ରଦ୍ଧାଞ୍ଜଳି

ଆପଣ କୁମ୍ଭୀର ସମ୍ବନ୍ଧୀୟ ବହୁତ ଭୟାନକ ଭିଡିଓ ଦେଖିଥିବେ କିମ୍ବା କୌଣସି କାହାଣୀ ପଢିଥିବେ । ଆଉ କେତେବେଳେ ମଧ୍ଯ ଖବର ପାଇଥିବେ କି କୁମ୍ଭୀର କୌଣସି ବ୍ଯକ୍ତିଙ୍କୁ ଜୀଅନ୍ତା ଖାଇଗଲା । କିନ୍ତୁ ଛତିଶଗଡର ଏକ କୁମ୍ଭୀର ଯାହାର ନାଁ ଗଙ୍ଗାରାମ, ତା ସମ୍ପର୍କରେ ଜାଣିବା ପରେ ଆପଣ ତା ବିଷୟରେ ଭାବିବାକୁ ବାଧ୍ଯ ହେବେ । ତେବେ ଏହି କୁମ୍ଭୀର ଗଙ୍ଗାରାମରର ମୃତ୍ୟୁରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି । ଏହି ଗାଁର ନାଁ ବାହମୋହତରା ଯାହା ରାୟପୁରର ବେମେତରା ଜିଲ୍ଲାରେ ଅବସ୍ଥିତ । ଗଙ୍ଗାରାମର ମୃତ୍ୟୁରେ ସାରା ଗାଁ କାନ୍ଦୁଛି । ସତ କହିବାକୁ ଗଲେ ଏହା କୁମ୍ଭୀର କାନ୍ଦଣା ନୁହେଁ । ତେବେ ଜାଣିବାର କଥା ଏହି କୁମ୍ଭୀର ଗଙ୍ଗାରାମର ଏମିତି କଣ ଖାସ୍ କଥା ଥିଲା ଯାହା ଗ୍ରାମବାସୀଙ୍କ ସହିତ ତାର ଏତେ ଅତ୍ମୀୟତା ସମ୍ପର୍କ ଗଢି ଉଠିଥିଲା ।

co-3ମଙ୍ଗଳବାର ସକାଳେ ଅଚାନକ ଗଙ୍ଗାରାମ ପାଣି ଉପରେ ପଳେଇ ଆସିଲା । ଯେତେବେଳେ ମାଛ ଧରାଳି ମାନେ ପାଖକୁ ଯାଇ ଦେଖିଥିଲେ ସେତେବେଳକୁ ଗଙ୍ଗାରାମର ମୃତ୍ୟୁ ହୋଇଯାଇଥିଲା । ଗଙ୍ଗାରାମର ଶବକୁ ବାହାର ଅଣାଯାଇଥିଲା । ଏହାପରେ ପୂରା ଗାଁ ଗଙ୍ଗାରାମର ଅନ୍ତିମ ଦର୍ଶନ ପାଇଁ ଭିଡ ଜମାଇଥିଲେ । ଗ୍ରାମବାସୀମାନେ ଗଙ୍ଗାରାମକୁ ସଜାଇ ଏକ ଟ୍ରାକ୍ଟରରେ ଅନ୍ତିମ ଯାତ୍ରା ବାହାର କରିଥିଲେ । ଗଙ୍ଗାରାମକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାରା ଗାଁ ଏକତ୍ରିତ ହୋଇଥିଲା । ବହୁ ଦୂରଦୂରାନ୍ତରୁ ଲୋକେ ଗଙ୍ଗାରାମର ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ ।

ସାଧାରଣତଃ କୌଣସି ନଦୀ କି ପୋଖରୀରେ କୁମ୍ଭୀର ଥିବା କଥା ଶୁଣିଲେ ଲୋକେ ଭୟରେ ସେଠାକୁ ଯାଇନଥାନ୍ତି । କିନ୍ତୁ ଗଙ୍ଗାରାମ ସହିତ ଏମିତି ନଥିଲା । ସେ କେବେବି ଗ୍ରାମବାସୀଙ୍କୁ କୌଣସି କ୍ଷତି ପହଁଚାଇ ନଥିଲା। ଯେତେବେଳେ ସେହି ପୋଖରୀରେ କୌଣସି ଲୋକ ଗାଧୋଇଥିବା ସମୟରେ ଗଙ୍ଗାରାମ ତାଙ୍କ ସହିତ ମାଡ ହୋଇଯାଉଥିଲା ସେତେବେଳେ ସେ ନିଜକୁ ନିଜ ଦୂରେଇ ହୋଇ ପଳାଇ ଯାଉଥିଲା । ପୋଖରୀରେ ଥିବା ଛୋଟ ମାଛମାନେ ହିଁ ଗଙ୍ଗାରାମର ଆହାର ଥିଲେ । ଲୋକେ ଗଙ୍ଗାରାମକୁ ଘରୁ ଆଣି ଭାତ ଡାଲି ଖାଇବାକୁ ଦେଉଥିଲେ ।

ଗଙ୍ଗାରାମ କେବେକି କାହାକୁ କ୍ଷତି ପହଁଚାଇ ନଥିବା ବେଳେ ବହୁ ଦିନ ଆଗରୁ ଜଣେ ମହିଳାଙ୍କୁ ଧରି ପକାଇଥିଲା କିନ୍ତୁ କିଛି କ୍ଷତି ନକରି ଛାଡି ଦେଇଥିଲା । ବର୍ଷା ଦିନେ ଗଙ୍ଗାରାମ ଗାଁର ଗଳି ଏବଂ କ୍ଷେତ ପର୍ଯ୍ଯନ୍ତ ପଳାଇ ଆସିଥାଏ, ହେଲେ ଗାଁ ଲୋକେ ତାକୁ ଉଦ୍ଧାର କରି ପୋଖରୀରେ ଛାଡି ଦେଇଥାନ୍ତି ।

co-6ଗଙ୍ଗାରାମ ଏକ ଏମିତି କୁମ୍ଭୀର ଥିଲା ଯାହାର ଆୟୁଷ ୧୦୦ବର୍ଷରୁ ଅଧିକ ଥିଲା । ଗ୍ରାମବାସୀଙ୍କ କହିବା ଅନୁସାରେ ଗଙ୍ଗାରାମର ବୟସ ପାଖାପାଖି ୧୨୫ ବର୍ଷ ଥିଲା । ହେଲେ ଏହି କଥାର କୌଣସି ପ୍ରମାଣ ନାହିଁ । ଏହା ସହିତ କୁମ୍ଭୀରଟିର ନାଁ କିଏ ଓ କିପରି ଗଙ୍ଗାରାମ ରଖିଥିଲେ ତାହାର ମଧ୍ଯ କୌଣସି ପ୍ରମାଣ ନାହିଁ । ତେବେ ଲୋକଙ୍କ କହିବା ଅନୁସାରେ ବେମେତରା ଜିଲ୍ଲାରୁ ୬ କିଲୋମିଟର ଦୁରରେ ଥିବା ବାହମୋହତରା ଗାଁରେ ଗଙ୍ଗାରାମର କାହାଣି ବେଶ୍ ଚର୍ଚ୍ଚିତ । ଗାଁ ଲୋକମାନେ କୁହନ୍ତି ବାହମୋହତରା ଏକ ଧାର୍ମିକ ପୌରାଣିକ ନଗରୀ ରୂପେ ଜିଲ୍ଲାରେ ବେଶ୍ ପରିଚିତ ।

ଗଙ୍ଗାରାମର ମୃତ୍ୟୁ ଖବର ମିଳିବା ପରେ ବନ ବିଭାଗ ଟିମ୍ ସହିତ ପୋଲିସ୍  ଘଟଣାସ୍ଥଳରେ ପହଁଚିଥିଲେ । ବନ ବିଭାଗ କୁମ୍ଭୀରଟିର ପୋଷ୍ଟମର୍ଟମ କରିବା ପାଇଁ ନେଇଥିଲେ । କିନ୍ତୁ ଗ୍ରାମବାସୀମାନେ ଗାଁରେ ହିଁ କୁମ୍ଭୀରଟିର ପୋଷ୍ଟମର୍ଟମ କରିବା ପାଇଁ ଦାବି କରିଥିଲେ । ଗଙ୍ଗାରାମ ପ୍ରତି ଗ୍ରାମବାସୀଙ୍କ ସ୍ନେହ ଦେଖି ଅଧିକାରୀମାନଙ୍କୁ କଲେକ୍ଟର ଗାଁରେ ହିଁ ପୋଷ୍ଟମର୍ଟମ କରିବା ପାଇଁ ଅନୁମତି ଦେଇଥିଲେ ।

co-5ପୋଖରୀ ନିକଟରେ ଗଙ୍ଗାରାମର ପୋଷ୍ଟମର୍ଟମ ହୋଇଥିଲା । ଏହାପରେ ଗ୍ରାମବାସୀମାନେ ବାଜା ଢୋଲ ବଜେଇ ଗଙ୍ଗାରାମର ଶବଯାତ୍ରା ବାହାର କରିଥିଲେ ଏବଂ ଶେଷରେ ପୋଖରୀ ପାଖରେ ହିଁ କୁମ୍ଭୀରଟିକୁ ପୋତି ଦିଆଯାଇଥିଲା ।

ଗାଁ ଲୋକଙ୍କ କହିବା ମୁତାବକ ଏହି ଗାଁକୁ ବହୁ ବର୍ଷ ତଳେ ମହନ୍ତ ଇଶ୍ବର ଶରଣ ଦେବ ୟୁପିରୁ ଆସିଥିଲେ, ଯିଏ ଜଣେ ସିଦ୍ଧ ପୁରୁଷ ଥିଲେ । କୁହାଯାଏ କି ସେ ତାଙ୍କ ସହିତ ଏକ ପାଳିଥିବା କୁମ୍ଭୀର ନେଇକି ଆସିଥିଲେ । ଗାଁର ପୋଖରୀରେ କୁମ୍ଭୀରଟିକୁ ଛାଡି ଦେଇଥିଲେ । ତାକୁ ଗଙ୍ଗାରାମ ନାମରେ ଡାକୁଥିଲେ । ସେ ଡାକିବା କ୍ଷଣି ଗଙ୍ଗାରାମ ପୋଖରୀ କୂଳକୁ ପଳାଇ ଆସୁଥିଲା ।

co-1ଗାଁ ଲୋକମାନେ ଗଙ୍ଗାରାମକୁ ଦେବତା ସ୍ବରୂପ ପୂଜା କରୁଥିଲେ । ଗ୍ରାମବାସୀ କେବେବି ଗଙ୍ଗାରାମକୁ ହଇରାଣ କରନ୍ତି ନାହିଁ । ଏକ ଅଦଭୂତ ଆତ୍ମୀୟତା ଓ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା ଗାଁ ଲୋକ ଓ କୁମ୍ଭୀର ଗଙ୍ଗାରାମ ଭିତରେ । କଥା କହିପାରୁନଥିବା ଜୀବଟି ସହିତ । କାହିଁ କେଉଁ କାଳରୁ ଗ୍ରାମବାସୀଙ୍କ ସହିତ ଗଙ୍ଗାରାମର ଏ ସମ୍ପର୍କ । ଯାହାକୁ ମୃତ୍ୟୁ ଛିଡ଼ାଇ ଦେଲା । ଶେଷ ଥର ପାଇଁ ଗଙ୍ଗାରାମକୁ ଗାଁଲୋକମାନେ ପୂଜା କରିଥିଲେ । ଗଙ୍ଗାରାମର ସ୍ମୃତିରକ୍ଷା ପାଇଁ ଗାଁ ଲୋକେ ସେ ପୋତା ଯାଇଥିବା ଜାଗାରେ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥିତ କରିଛନ୍ତି । ସତରେ ସମ୍ପର୍କର ଡୋରି କେତେ ମଜବୁତ, ଏକଥା ଅନ୍ତତଃ କଳିକାଳର ସମସ୍ତ ମଣିଷ ଯଦି ବୁଝି ଯାଆନ୍ତେ ତେବେ ପୂରା ବଦଳି ଯାଆନ୍ତା ଏଇ ଦୁନିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.