ବିଜେପି ବିରୋଧରେ ଏକଜୁଟ୍ ହେଲେ ମଞ୍ଚ କଳାକାର, ଭୋଟ୍ ନଦେବାକୁ ଲୋକଙ୍କୁ କରୁଛନ୍ତି ନିବେଦନ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଦେଖା ଯାଇଥିଲା ଯେ ବଲିଉଡ୍ର ଅନେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ସହିତ ସେଲଫି ଉଠାଇଥିଲେ । ଏହି ଟିମ୍ର ନେତୃତ୍ୱ ନେଇଥିଲେ କରଣ ଜୋହର । ହେଲେ ଘଟଣାକୁ କିଛି ଲୋକ ରାଜନୈତିକ ରଙ୍ଗ ଦେଇଥିଲେ ଏବଂ ଏହା ଠିକ୍ କଥା ନୁହେଁ ବୋଲି ଆଉ କିଛି କଳାକାର ପ୍ରତିକ୍ରିୟାରେ କହିଥିଲେ । ହେଲେ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା କଳାକର ଜଗତକୁ ଦୁଇ ଭାଗ କରିଥିବା ସ୍ପଷ୍ଟ ହୋଇଯାଇଛି । ବର୍ତ୍ତମାନ ପ୍ରାୟ ଦେଢ଼ଶହରୁ ଅଧିକ ମଞ୍ଚ ତଥା ବଲିଉଡ୍ କଳାକାର ଭାରତୀୟ ଜନତା ପାର୍ଟି ବିରୋଧରେ ଏକାଠି ହୋଇଛନ୍ତି । ବିଜେପିକୁ ଭୋଟ୍ ନଦେବା ଲାଗି ଖୋଲାଖୋଲି ଭାବେ ଲୋକଙ୍କୁ ନିବେଦନ କରୁଛନ୍ତି । ଥିଏଟର ପ୍ରଡକସନ୍ ଇଣ୍ଡିଆର ଏହି ସଦସ୍ୟମାନେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଚଳାଇଛନ୍ତି । ସେମାନେ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି କି ଗଣତନ୍ତ୍ର ବଞ୍ଚାଅ, ସ୍ନେହ ସୌହାର୍ଦ୍ଦ ପାଇଁ ଭୋଟ୍ ଦିଅ ।
ପୂର୍ବରୁ ଆର୍ଟିଷ୍ଟ ୟୁନାଇଟେଡ୍ ଇଣ୍ଡିଆର ୧୦୩ ଜଣ କଳାକାର ବିଜେପି ବିରୋଧରେ ଅଭିଯୋଗ କରି ପତ୍ର ଲେଖିଥିଲେ । ବିଜେପି ହିନ୍ଦୁତ୍ୱ ନାଁରେ ଗୁଣ୍ଡାଗିରି କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଏହା ପରେ ଏହି ସାନି ଅଭିଯାନ ଆରମ୍ଭ ହୋଇଛି । ଏଥିରେ ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହା, ରତ୍ନା ପାଠକ ଶାହା, କୋଙ୍କଣା ସେନଶର୍ମା, ଅନୁରାଗ କଶ୍ୟପଙ୍କ ଭଳି ଫିଲ୍ମ କଳାକାର ମଧ୍ୟ ଅଛନ୍ତି । ଏମାନେ ଏକ େଓ୍ଵବସାଇଟ୍ କରି ସେଥିରେ ବାର୍ତ୍ତା ସବୁ ଛାଡ଼ୁଛନ୍ତି ।