ଭାରତର ଏପରି ଏକ ସ୍ଥାନ ଯେଉଁଠାରେ ମାନସିକ ରୋଗୀଙ୍କୁ ଶିକୁଳିରେ ବାନ୍ଧି ରଖାଯାଏ
ଏବେ ଚାଲିଛି ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ : ଦେଶରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଗୋରୁଗାଇ ଭଳି ବନ୍ଧା ଯାଉଛନ୍ତି ମାନସିକ ରୋଗୀ। ଉତ୍ତର ପ୍ରଦେଶର ବଦାୟୁ ଅଞ୍ଚଳରେ ପୁରୁଷରୁ ଆରମ୍ଭ କରି ମହିଳା ଏବଂ ଶିଶୁରୁ ଆରମ୍ଭ କରି ବୃଦ୍ଧା ପର୍ୟ୍ୟନ୍ତ ରାସ୍ତା କଡ଼ରେ ଧୂଳି ଧୂସରରେ ସମସ୍ତେ ଶିକୁଳି ଏବଂ ଏକ ବଡ଼ ତାଲାରେ ବନ୍ଧା ହୋଇଥିବା ଦେଖିବାକୁ ମିଳିବ। ଏହା ଏବେ ନୁହଁ ବରଂ ବିଗତ ବହୁ ବର୍ଷ ପୂର୍ବରୁ ଏଠାରେ ଏଭଳି ଭାବେ ମାନସିକ ରୋଗୀଙ୍କୁ ରଖାଯାଇଥାଏ ।
ତେବେ ଉତ୍ତରପ୍ରଦେଶର ଏହି ଲୋମହର୍ଷଣକାରୀ ଘଟଣା ସେତେବେଳେ ସର୍ବସମ୍ମୁଖକୁ ଆସିଥିଲା ଯେତେବେଳେ ଦକ୍ଷିଣ ଦିଲ୍ଲୀର ନିବାସୀ ଗୌରବ କୁମାର ବଂଶଲ ସୁପ୍ରିମକୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ । ଏଥିସହ ସମାଜରେ ପରମ୍ପରାକୁ ବାଦ୍ ଦେଇ ମାନସିକ ଅସହାୟ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ।
ବଂଶଲଙ୍କ କହିବା ମୁତାବକ, ଅନ୍ଧବିଶ୍ବାସ ପାଇଁ ମାନସିକ ରୋଗୀଙ୍କୁ ଏହିପରି ଭାବେ ଶିକୁଳିରେ ବନ୍ଧାଯିବା ଘଟଣା ଏହା ଦର୍ଶାଉଛି କି, ଆମ ଦେଶରେ ଅସହାୟ ମାନସିକ ରୋଗୀଙ୍କ ପାଇଁ ଉପଚାର ଏବଂ ଚିକିତ୍ସା ଏବେ ଏକ ପ୍ରଶ୍ନବାଚୀ ହୋଇଛି। ଆମ ଦେଶରେ ବହୁ ସଂଖ୍ୟକ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତି ବାଛବିଚାରର ସମ୍ନା କରୁଛନ୍ତି। ଏଣୁ ମାନସିକ ରୋଗ ସମ୍ବନ୍ଧୀୟ ଧାର୍ମିକ, ସାମାଜିକ, ରାଜନୈତିକ, କଳଙ୍କିତ ନିୟମକୁ ଭାଙ୍ଗିବା ନିହାତି ଆବଶ୍ୟକ।
ଏଣୁ ଏବେ ଏହି ବିଷୟରେ ବିଚାର କରାଯିବା ନେଇ ସୁପ୍ରିମକୋର୍ଟ ତଥା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ସବିନୟ ଅନୁରୋଧ କରୁଛୁ, କହିଛନ୍ତି ବଂଶଲ। ଯାହା ଦ୍ବାରା ଖୁବ ଶୀଘ୍ର ମାନସିକ ରୋଗୀଙ୍କୁ ଆବଶ୍ୟକ ପରିମାଣର ଚିକିତ୍ସା ଏବଂ ସମ୍ମାନ ମିଳିବ ବୋଲି ଆଶା କରାଯାଉଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ମାନସିକ ରୋଗୀଙ୍କୁ ଦେଶରେ ସଂପୂର୍ଣ୍ଣ ସମ୍ମାନର ସହ ଜୀବନ ବିତାଇବାର ଅଧିକାର ରହିଛି। ଏପରିକି ସେମାନଙ୍କୁ ଏଭଳି ନିର୍ଯାତନାରୁ ରକ୍ଷା କରିବା ହେଉଛି ପ୍ରଶାସନର ଦାୟିତ୍ୱ ।