ପାଟନା: ସବୁଦିନ ଗାଳି ସହି ନ ପାରି ମହିଳା କଲେ ଶାଶୁଙ୍କୁ ବୀଭତ୍ସ ହତ୍ୟା, ଛୁରୀରେ ଗୋଟିଏ ଆଖି ତାଡ଼ି ବାହାର କରିଦେଲେ, ଉପାଡ଼ି ଦେଲେ ନଖ !

ବିହାର ରାଜଧାନୀ ପାଟନାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଶାଶୁଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହତ୍ୟାର ତରିକା ଏତେ ଭୟଙ୍କର ଯେ ଯିଏ ଶୁଣିବ, ସିଏ କମ୍ପି ଉଠିବ। ପୋଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସର କହିବା ଅନୁଯାୟୀ, ମହିଳା ଜଣକ ଛୁରି ଭୁସି ଶାଶୁଙ୍କୁ ହତ୍ୟା କରିଛନ୍ତି। ତାଙ୍କ ହାତ, ଗୋଡ଼ର ନଖ ସବୁ ଉପାଡ଼ି ଦେଇଛନ୍ତି। ଏତିକିରେ କ୍ରୋଧ ଶାନ୍ତ ନ ହେବାରୁ ଶାଶୁଙ୍କର ଗୋଟିଏ ଆଖିକୁ ବି ସେ ଛୁରୀରେ ତାଡ଼ି ପକାଇଥିଲେ। ଆଖପାଖ ପରିସ୍ଥିତିରୁ ଜଣାପଡ଼ୁଛି, ଅତି ଭୟଙ୍କର କ୍ରୋଧରେ ଥାଇ ମହିଳା ଜଣକ ଏଭଳି କାଣ୍ଡ ଘଟାଇଛନ୍ତି।

ଅଭିଯୁକ୍ତାଙ୍କ ନାଁ ଲଳିତା ଦେବୀ ଏବଂ ମୃତା ମହିଳାଙ୍କ ନାଁ ଧର୍ମଶିଳା ଦେବୀ ବୋଲି ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତା ଜଣକ ନିଜକୁ ବି ନିଅାଁ ମୁହଁକୁ ଠେଲି ଦେଇଥିଲେ, ଯାହାଫଳରେ ସେ ଅତି ଗୁରୁତର ଭାବେ ଜଳିଯାଇଛନ୍ତି। ତାଙ୍କର ଏବେ ଚିକିତ୍ସା ଚାଲିଛି। ପୋଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଛି। କୁହାଯାଉଛି, ହତ୍ୟା ସମୟରେ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ନିଜ ନିଜ କାମରେ ବାହାରକୁ ଯାଇଥିଲେ।

ପୋଲିସର କହିବା ହେଲା, ଘରକଳି ଏହି ଘଟଣାର ମୁଖ୍ୟ କାରଣ। ଶାଶୁ-ବୋହୂ ଗୋଟିଏ ଘରେ ରହୁଥିଲେ ମଧ୍ୟ ଅଲଗା ଅଲଗା ରୋଷେଇ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶାଶୁ-ବୋହୂଙ୍କ ମଧ୍ୟରେ ସବୁବେଳେ କିଛି ନା କିଛି କାରଣକୁ ନେଇ ଝଗଡ଼ା ଲାଗୁଥିଲା। ଲଳିତାଙ୍କର କୌଣସି ପିଲାଛୁଆ ନ ଥିବାରୁ ଶାଶୁ ତାଙ୍କୁ ପ୍ରତିଦିନ ଗାଳି କରୁଥିଲେ। ପୋଲିସ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରୁଛି।

 

Leave A Reply

Your email address will not be published.