ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ ପଡିଯିବାର ଭୟ ଅଛି। ଖରାବର୍ଷା ହେଉ କି ଶୀତ କାକର ଏହି ଝାଟିମାଟିର ଘର ତଳେ ପଡିଥିବା ଖଟିଆରେ ବିତୁଛି ଜୀବନ । ଦିନେ କି ଦୁଇ ଦିନ ନୁହଁ ଆଜିକୁ ୪ ବର୍ଷ ହେଲା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ଡାକପଦର ଗାଁର ବିଜୟ ବେହେରା ସ୍ଥିର ହୋଇ ଯାଇଛନ୍ତି । ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ୫୧ ବର୍ଷୀୟ ବିଜୟ । ହେଲେ ଆର୍ଥିକ ଅନଟନ ସାଙ୍ଗକୁ ରୋଗ ପାଇଁ ଏବେ ଜୀବନ ଯୁଦ୍ଧରେ ପରାଜୟ ବିଜୟ ।

ନିଜ ୧୦ ବର୍ଷର ଝିଅକୁ ପାଠ ପଢାଇବେ ଆଉ ବଡ ହେଲେ ବାହା ଦେବେ । ତାକୁ ନେଇ ବିଜୟ ଆଉ ସ୍ତ୍ରୀ ସୁଷମା ବି ଚିନ୍ତାରେ । ସୁଷମା ପରର ମୂଲ ଲାଗି ଯାହା କିଛି ରୋଜଗାର କରେ ସେଥିରେ ପେଟକୁ ଦାନା ଝିଅର ପାଠପଢା ସାଙ୍ଗକୁ ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ବି ନିଅଣ୍ଟ ପଡ଼େ । ବହୁ କଷ୍ଟରେ ଚଳୁଛି ପରିବାର । ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି କ’ଣ ଖାଇବେ ବୋଲି ଚିନ୍ତାରେ । ସରକାରୀ ସହାୟତା କହିଲେ କେବଳ ମାସକୁ ଗଣ୍ଡିଏ ଚାଉଳ ।

୪ ବର୍ଷ ପୁର୍ବରୁ ଝାଳବୁହା ପରିଶ୍ରମ କରୁଥିଲେ ବିଜୟ । ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ହସଖୁସିରେ ନିଜ ସ୍ତ୍ରୀ ପିଲାଛୁଆଙ୍କ ପେଟକୁ ଦାନା ଯୋଗାଇ ଆସୁଥିଲେ । ଖାଲି ସେତିକି ନୁହେଁ ଝିଅର ଭବିଷ୍ୟତ ପାଇଁ ଟଙ୍କା ବି ସଞ୍ଚୁଥିଲେ । ଝିଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ୨୦୨୦ ମସିହାରେ ହଠାତ ବିଜୟଙ୍କ ଜୀବନରେ ଘୋଟିଗଲା ଦୁଃଖର କଳାବାଦଲ । ରୋଗ ଗ୍ରାସକଲା ବିଜୟଙ୍କୁ । ଛଡାଇ ନେଲା ପରିବାର ମୁହଁରୁ ହସଖୁସି । ସେହି ଦିନଠାରୁ ଆଜି ଯାଏଁ ଏମିତି ଖଟିଆରେ ପଡ଼ି ରହିଛନ୍ତି ବିଜୟ ।

ବିଜୟଙ୍କ ଏଭଳି ଅବସ୍ଥା ଯୋଗୁଁ ତାଙ୍କୁ ପ୍ରଶାସନ ଅବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଚିକିତ୍ସା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ହରଭଙ୍ଗା ବିଡିଓ କହିଛନ୍ତି ଯେ ତଦନ୍ତ କରାଯାଇ ବିଜୟଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.