ରାଷ୍ଟ୍ରପତିଙ୍କ ପ୍ରତି ନିନ୍ଦନୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି

ତୃଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ଅଖିଳ ଗିରି ଶେଷରେ କ୍ଷମା ମାଗିଲେ । ରାଷ୍ଟ୍ରପତିଙ୍କ ବିରୋଧରେ ନନ୍ଦିଗ୍ରାମରେ ଦେଇଥିବା କୁତ୍ସିତ ଓ ନିନ୍ଦନୀୟ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ବିରୋଧ କରାଯାଇଥିଲା । ଏହାର ଭିଡିଓ ଭାଇରଲ ହେବା ପରେ ଦେଶବ୍ୟାପୀ ନିନ୍ଦା ମଧ୍ୟ କରାଯାଇଥିଲା ।

ନନ୍ଦିଗ୍ରାମରେ ଏକ ଜନସଭାରେ ଉପସ୍ଥିତ ଲୋକଙ୍କୁ ‘ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ପଚାରିଥିଲେ ଅଖିଳ ଗିରି । ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି । ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ଦାବି ହେଉଛି ।

ଅଖିଳ ଗିରିଙ୍କ ଭିଡିଓ ଭାଇରଲ ହେବା ପରେ ସାରା ଦେଶରେ ତାଙ୍କୁ ନିନ୍ଦା କରାଯଇଥିଲା । ଏନେଇ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ପାଇଁ ଦାବି କରିଛନ୍ତି। ତେବେ ଏହି ମାମଲାରେ ତୃଣମୂଳ କଂଗ୍ରେସ ନିଜକୁ ଦୂରେଇ ରଖିଥିଲା। ଦଳର ମୁଖପାତ୍ର ସଙ୍କେତ ଗୋଖେଲ କହିଥିଲେ ଯେ, ଏହା ଏକ ହାୟିତ୍ୱହୀନ ମନ୍ତବ୍ୟ । ଏହା କେବେ ବି ଦଳର ବୟାନ ହୋଇନପାରେ।

ବିବାଦ ପରେ ନିଜ ନିନ୍ଦନୀୟ ମନ୍ତବ୍ୟ ପ୍ରସଙ୍ଗରେ ସଫେଇ ରଖିଛନ୍ତି ମନ୍ତ୍ରୀ ଅଖିଳ ଗିରି । ସେ କହିଛନ୍ତି, ମୁଁ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିନାହିଁ । ଉଦାହରଣ ଛଳରେ ଏପରି କହିଥିଲି । ରାଷ୍ଟ୍ରପତି ଓ ଦେଶର ସମ୍ବିଧାନକୁ ସମ୍ମାନ କରେ । ବିଜେପି ଏହାର ରାଜନୈତିକ ଫାଇଦା ନେବାକୁ ଚାହୁଁଛି । ‘ବିଜେପିର ମନ୍ତବ୍ୟକୁ ନେଇ ମୁଁ ଅନୁତପ୍ତ ନୁହେଁ ବୋଲି ଅଖିଳ ଗିରି ସ୍ପଷ୍ଟ କରିଛନ୍ତି ।

ତେବେ ଅଖିଳ ଗିରିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବିଜେପି ପକ୍ଷରୁ ତାଙ୍କ ଇସ୍ତଫା ଦାବି ହେଉଛି । ଏହାଛଡା ତାଙ୍କୁ ଗିରଫ ପାଇଁ ମଧ୍ୟ ଦାବି ହେଉଛି ।

ଅଖିଳ ଗିରିଙ୍କ ଇସ୍ତଫା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଦେଶର ପ୍ରଥମ ନାଗରିକ, ଆଦିବାସୀ ସମାଜର ପ୍ରଥମ ରାଷ୍ଟ୍ରପତି ଏବଂ ମହିଳାଙ୍କ ଅପମାନ ହୋଇଛି । ଅଖିଳ ଗିରିଙ୍କ ମନ୍ତ୍ରୀ ପଦରେ ରହିବା ନାରୀ ଜାତି ତଥା ସମଗ୍ର ଦେଶକୁ ଅପମାନ ବୋଲି ଧର୍ମେନ୍ଦ୍ର ଟ୍ଵିଟ କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି ବିଜେଡି । ଜଣେ ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.