ଆଜିକୁ ଠିକ୍‌ ବର୍ଷେ ତଳେ ସାମ୍ନାକୁ ଆସିଥିଲା କରୋନାର ପ୍ରଥମ କେସ୍‌, ଇତିମଧ୍ୟରେ ନେଲାଣି ଲକ୍ଷ ଲକ୍ଷ ଜୀବନ

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌କୁ ଆଜି ବର୍ଷେ ପୂରିଛି। ଆଜିକୁ ଠିକ୍‌ ବର୍ଷେ ତଳେ କରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କରିଥିଲା। ୧୭ ନଭେମ୍ବର ୨୦୧୯ରେ ଚୀନ୍‌ର ବୁହାନ୍‌ ସହରରେ ପ୍ରଥମେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ପରେ ଜଣକ ପରେ ଜଣକୁ ଏହି ଭାଇରସ୍‌ ବ୍ୟାପିଥିଲା। ମାତ୍ର କିଛିଦିନ ଭିତରେ କରୋନା ଚୀନ୍‌ରୁ ଅନ୍ୟ ଦେଶକୁ ବ୍ୟାପିବାରେ ସଫଳ ହୋଇଥିଲା।

ଜଙ୍ଗଲରେ ଆଖି ପିଛୁଳାକେ ନିଆଁ ବ୍ୟାପିବା ଭଳି ଏବେ ପ୍ରାୟ ୨୧୬ରୁ ଊର୍ଦ୍ଧ୍ୱ ଦେଶକୁ କରୋନା ନିଜ କବ୍‌ଜାକୁ ନେଇ ସାରିଛି। କରୋନା ଯୋଗୁ ଇତିହାସରେ ପ୍ରଥମ ଥର ପାଇଁ ସାରା ପୃଥିବୀ ଘରେ ରହିଥିଲା। ସଂକ୍ରମଣ ରୋକିବାକୁ ସବୁ ଦେଶର ସରକାର ଲକ୍‌ଡାଉନ୍‌ ଲାଗୁ କରିଥିଲେ। ଫଳରେ ସାରା ବିଶ୍ୱ କବାଟ କିଳି ଘରେ ରହିଥିଲା।

covid test

ଏହି ଅଦୃଶ୍ୟ ଭାଇରସ୍‌ର ଆଜି ପ୍ରଥମ ଜନ୍ମଦିନ। ସାଧାରଣତଃ ଜନ୍ମଦିନରେ ଲୋକମାନେ ଆଶୀର୍ବାଦ ଦେଉଥିବା ବେଳେ କରୋନାକୁ କିନ୍ତୁ ସମସ୍ତେ ଅଭିଶାପ ଦେଉଛନ୍ତି ଓ କରୋନା ତୁ ମରିଯା ବୋଲି କହୁଥିବା ଦେଖିବାକୁ ମିଳିଛି। ଆଜି କରୋନାକୁ ଏକ ବର୍ଷ ପୂରଣ ହୋଇଥିବା ବେଳେ ଏହି ୩୬୫ ଦିନ ଭିତରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। କାହା ମୁଣ୍ଡ ଉପରୁ ବାପାର ହାତ ଛଡ଼ାଇ ନେଇଛି ତ ଆଉ କାହାର ପରିବାରକୁ ରାସ୍ତାରେ ଆଣି ଛିଡ଼ା କରିଛି ଏହି ଅଦୃଶ୍ୟ ବୀଜାଣୁ।

ମାତ୍ର ଏବେ ଯାଏଁ ଭାଇରସ୍‌ର ଭ୍ୟାକସିନ୍‌ ବାହାରିନଥିବାରୁ ଏହି ଦୁଃଖ କେବେ ସରିବ କହିହେଉନାହିଁ। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି ଯେ ଭ୍ୟାକସିନ୍‌ ଆସିଲେ ବି ତାହା କରୋନା ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ। ଏଣୁ କେବେ ଏହି ଭାଇରସ୍‌ ସଂସାରରୁ ଯିବ ତାହା କେହି କହିପାରୁନାହାନ୍ତି। ଏହି ପରିସ୍ଥିତିରେ ସମସ୍ତେ ଏକଜୁଟ୍‌ ହୋଇ ସରକାରଙ୍କ ନିୟମ ମାନି ଚଳିଲେ ହିଁ କରୋନାକୁ ହରାଇପାରିବା ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.