ଆସନ୍ତା ଜାନୁଆରୀ ପର୍ଯ୍ଯନ୍ତ ଅଯୋଧ୍ୟା ମାମଲାର ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି । ୨୦୧୯ ମସିହା ଜାନୁଆରୀ ପର୍ଯ୍ଯନ୍ତ ଶୁଣାଣିକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ତାରିଖ ଜାନୁୟାରୀରେ ହିଁ ନିର୍ଦ୍ଧାରଣ ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ସଂଜୟ କିସନ କୌଲ ଓ ଜଷ୍ଟିସ କେ.ଏମ୍‌. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ବିବାଦୀୟ ଜମିକୁ ସମାନ ତିନି ଭାଗରେ -ରାମଲାଲା, ସୁନୀ ୱାକଫ୍‌ ବୋର୍ଡ ଓ ନିର୍ମୋହୀ ଆଖଡା ମଧ୍ୟରେ ବାଣ୍ଟିବା ନେଇ ୨୦୧୦ ମସିହାରେ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା । ଆଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ଢାଞ୍ଚା ନିକଟ ବିବାଦୀୟ ୨ ଦଶମିକ ୭୭ ଏକର ଜମିକୁ ନେଇ ବିବାଦ ଉପୁଜିଛି । ଗତ ମାସ ୨୭ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ. ଅବଦୁଲ ନାଜିରଙ୍କ ଖଣ୍ଡପୀଠ ଏହି ମାମଲାକୁ ନେଇ ଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ। ମସଜିଦରେ ନମାଜ ପାଠକୁ ନେଇ ୧୯୯୪ମସିହା ଫାରୁକି ମାମଲା ରାୟକୁ ବୃହତ୍ତର ବେଞ୍ଚକୁ ପଠାଇବାକୁ କୋର୍ଟ ମନା କରିଥିଲେ। ପୂର୍ବରୁ ନମାଜ ପାଠ ପାଇଁ ମସ୍‌ଜିଦ ଅନିବାର‌୍ୟ୍ୟ ନୁହେଁ ବୋଲି ଫାରୁକି ମାମଲାରେ କୋର୍ଟ କହିଥିଲେ ।