ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଦିନିକିଆ

ମୁମ୍ବାଇ(କେନ୍ଯୁଜ୍) : ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଦିନିକିଆ । ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । ପୁଣେରେ ତୃତୀୟ ଦିନିକିଆରେ ଭାରତ ୪୩ ରନ୍ରେ ୱେଷ୍ଟଇଣ୍ଡିଜଠାରୁ ହାରିଥିଲା । ବିରାଟ କୋହଲି ଏକାକୀ ଶତକ ହାସଲ କରିଥିଲେ ବି ଅନ୍ୟ କୌଣସି ଖେଳାଳି କ୍ଲିକ୍ କରି ନଥିଲେ । ବିଶେଷ କରି ମଧ୍ୟକ୍ରମରେ ସୁଧାର ଆଣି ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ ।
ଆଜିର ମ୍ୟାଚ୍ରେ ଦଳକୁ କମ୍ ବ୍ୟାକ୍ କରିପାରନ୍ତି ଅଲ୍ରାଉଣ୍ଡର କେଦାର ଯାଦବ । ସେ ଖେଳିଲେ ରୁଷଭ ପନ୍ଥ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ି ପାରନ୍ତି । ସେହିପରି ଖଲିଲ ଅହମ୍ମଦଙ୍କ ସ୍ଥାନରେ ଚୂଡ଼ାନ୍ତ ଦଳକୁ ଫେରି ପାରନ୍ତି ରବୀନ୍ଦ୍ର ଜାଡେଜା । ସେହିପରି ରୋହିତ ଶର୍ମା ଓ ଶିଖର ଧଓ୍ଵନଙ୍କ ବ୍ୟାଟରୁ ଏକ ଭାଗିଦାରୀ ଇନିଂସ ଆଶା କରାଯାଉଛି । ଗତ ମ୍ୟାଚ୍ରେ ପାର୍ଟନରସିପ୍ ନହେବାରୁ ଟିମ୍ ଇଣ୍ଡିଆ ପରାଜୟର ମୁହଁ ଦେଖିଥିଲା ।
ସେପଟେ ୱେଷ୍ଟଇଣ୍ଡିଜ ଗତ ମ୍ୟାଚ୍କୁ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ବିଜୟ ଧାରା ବଜାର ରଖିବା ଲକ୍ଷ୍ୟରେ ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ତେଣୁର ଆଜିର ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି । ପାଞ୍ଚ ଟିକିଆ ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି ।