ଟ୍ରେନ୍‌ ଯାତ୍ରା ବେଳେ ମହିଳାଙ୍କ ମୁଣ୍ଡ ଉପରେ ପରିସ୍ରା କରିଦେଲେ ଟିଟିଇ; ନିର୍ଧୁମ୍‌ ପିଟିଲେ ଯାତ୍ରୀ, ଗିରଫ କଲା ପୋଲିସ

ଲକ୍ଷ୍ନୌରେ ଟ୍ରେନ୍‌ ଯାତ୍ରା ବେଳେ ଟିଟିଇ ଜଣେ ମହିଳା ଯାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଟିଟିଇଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି। ଟିଟିଇ ଜଣକ ମହିଳାଙ୍କ ମୁଣ୍ଡ ଉପରେ ପରିସ୍ରା କରିଦେଇଥିଲେ।

ଅନ୍ତର୍ଜାତୀୟ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲା ଏ ପର୍ଯ୍ୟନ୍ତ ଥଣ୍ଡା ପଡ଼ି ନ ଥିବାବେଳେ ଏବେ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଠିକ୍‌ ଏମିତି ହିଁ ଅଭଦ୍ରତାର ଶିକାର ହୋଇଛନ୍ତି। ଏହି ଘଟଣା ରବିବାର ରାତିରେ ଅମୃତସରରୁ କୋଲକାତା ଯାଉଥିବା ଅକାଳ ତଖତ ଏକ୍ସପ୍ରେସରେ ଘଟିଛି। ଟ୍ରେନ୍‌ରେ ମହିଳାଙ୍କ ସହ ଏଭଳି କାର୍ଯ୍ୟ କୌଣସି ଯାତ୍ରୀ ନୁହେଁ, ବରଂ ଜଣେ ଟିଟିଇ କରିଛନ୍ତି, ଯାହାଙ୍କୁ ପୋଲିସ ଗିରଫ କରିଛି।

ମହିଳାଙ୍କ ସହିତ ଏପରି କାଣ୍ଡ ରାତି ପାଖାପାଖି ୧୨ଟାରେ ଘଟିଛି। ଯେତେବେଳେ ଟିଟିଇ ତାଙ୍କ ମୁଣ୍ଡ ଉପରେ ପରିସ୍ରା କରିଥିଲେ, ସେତେବେଳେ ମହିଳା ଜଣକ ଜୋର୍‌ରେ ପାଟି କରିବା ଆରମ୍ଭ କରିଥିଲେ।

ଏହାପରେ ଆଖପାଖର ଲୋକେ ତୁରନ୍ତ ତାଙ୍କୁ କାବୁ କରି ପରଦିନ ସକାଳେ ଲକ୍ଷ୍ନୌର ଚାରବାଗ ଜିଆର୍‌ପିକୁ ହସ୍ତାନ୍ତର କରିଥିଲେ। କୁହାଯାଉଛି ଯେ ଟିଟିଇ ସେହି ସମୟରେ ନିଶାସକ୍ତ ଅବସ୍ଥାରେ ଥିଲେ। ଯାତ୍ରା ବେଳେ ଟିଟିଇ ମଦ ନିଶାରେ ରହିବା ଏକ ତଦନ୍ତର ବିଷୟ। ବର୍ତ୍ତମାନ ତାଙ୍କୁ ଜିଆର୍‌ପି ଗିରଫ କରି ଜେଲ ପଠାଇଦେଇଛି। ଗିରଫ ଟିଟିଇଙ୍କ ନାମ ମୁନା, ସେ ବିହାରର ବାସିନ୍ଦା ବୋଲି ଜଣାପଡ଼ିଛି।