ତୁର୍କୀ ଓ ସିରିଆ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲାଣି

ଦିନକୁ ଦିନ ବଢିଚାଲିଛି ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପ ଜନିତ ମୃତକଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ୫୦ ହଜାର ଲୋକେ ମୃତ୍ୟୁବରଣ କରିଥିବା ଖବର ମିଳିଛି ।ତୁର୍କୀରେ ୪୪ ହଜାର ୨୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ସିରିଆରେ ୫ ହଜାର ୯୧୪ ଲୋକଙ୍କ ଜୀବନ ଯାଇଛି ।

ତୁର୍କୀ ଓ ସିରିଆରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତୁର୍କୀ ଓ ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଛି । ତୁର୍କୀରେ ୪୪ ହଜାର ୨୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ସିରିଆରେ ୫ ହଜାର ୯୧୪ ଲୋକଙ୍କ ଜୀବନ ଯାଇଛି । ଭୂମିକମ୍ପରେ ବଡ ବଡ ଅଟାଳିକା ଓ ଘର ଭୁଶୁଡି ପଡିଥିବାରୁ ଅନେକ ଲୋକ ବାସହରା ହୋଇଛନ୍ତି । ତୁର୍କୀରେ ଏବେ ୫ଲକ୍ଷ ନୂଆ ଘର ଆବଶ୍ୟକ । ୧୫ ବିଲିୟନ ମୂଲ୍ୟରେ ୨ଲକ୍ଷ ଆପାର୍ଟମେଣ୍ଟ ଓ ୭୦ ହଜାର ଗାଁରେ ଘର ନିର୍ମାଣ କରିବାକୁ ତୁର୍କୀ ସରକାରଙ୍କ ଯୋଜନା ରହିଛି ।

ସେପଟେ ତୁର୍କୀରେ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ୨୫ ବିଲିୟନ ଆବଶ୍ୟକ ବୋଲି ଆକଳନ କରିଛି ୟୁଏସ୍ ବ୍ୟାଙ୍କ ଜେପି ମୋର୍ଗାନ । ତୁର୍କୀରେ ୧୫ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଗତ ଫେବୃଆରୀ ୬ ତାରିଖରେ ୭.୮ ରିକ୍ଟର ସ୍କେଲର ଭୂମିକମ୍ପ ଝଟ୍କାରେ ଛାରଖାର ହୋଇଛି ତୁର୍କୀ ଓ ସିରିଆ । ଭୂମିକମ୍ପ ପରେ ଅଢେଇ କୋଟିରୁ ଅଧିକ ଲୋକ ରୋଗଗ୍ରସ୍ତ ହୋଇଛନ୍ତି । ଜାତିସଂଘ ଆକଳନ ମୁତାବକ ୨ କୋଟି ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବିଶ୍ୱର ବିଭିନ୍ନ ଭାଗରୁ ଆସିଥିବା ପ୍ରାୟ ୧୦ ହଜାର କର୍ମୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୬ ତାରିଖ ଠାରୁ ତୁର୍କୀ-ସିରିଆରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍ବୁଲ୍, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରାପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ତୁର୍କୀ ଏୟାରଲାଇନ୍ସ୍ ଏବଂ ପେଗାସସ୍ ଏୟାରଲାଇନ୍ସ୍ ମାଗଣାରେ ଟିକେଟ୍ ଯୋଗାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.