ଆରବସାଗରରେ ପୁଣି ଏକାବେଳେ ଦୁଇଟି ସାମୁଦ୍ରିକ ଝଡ଼, ଗତ ଦୁଇ ମାସ ଭଳି ଡିସେମ୍ବର ମାସରେ ମଧ୍ୟ ସମାନ ସ୍ଥିତି ଉପୁଜିବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ

ଆରବସାଗରରେ ପୁଣି ସଂଗଠିତ ହେବ ଏକାବେଳେ ଦୁଇଟି ସାମୁଦ୍ରିକ ଝଡ଼। ଅକ୍ଟୋବର ଶେଷ ଓ ନଭେମ୍ବର ଆଦ୍ୟ ଆରବ ସାଗରରେ ଏକାସଙ୍ଗେ କ୍ୟାର ଓ ମହା ସୃଷ୍ଚି ହୋଇଥିଲା। ଡିସେମ୍ବର ମାସରେ ମଧ୍ୟ ସମାନ ସ୍ଥିତି ଉପୁଜିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ ପଶ୍ଚିମ ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏକକାଳୀନ ସୃଷ୍ଟ ହେବ ସାମୁଦ୍ରିକ ଝଡ଼। ଲକ୍ଷାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ହେବା ପରେ ଏହା ଡିପ ଡିପ୍ରେସନରେ ପରିଣତ ହୋଇଛି। ଏହା ଅଧିକ ବଳଶାଳୀ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବା ଅନୁମାନ କରାଯାଉଛି। କ୍ରମଶଃ ଏହା ଶକ୍ତିଶାଳି ହୋଇ ଆଜି ସଂଧ୍ୟା କିମ୍ବା ରାତି ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ। ବର୍ତ୍ତମାନ ଏହା ମୁମ୍ବାଇର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ୬ଶହ କିମି ଦୂରରେ ଓ ପାଣାଜୀ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୪୯୦ କିମି ଦୂରରେ ରହିଛି। ସେପଟେ ଆଫ୍ରିକା ତଟର ଆରବ ସାଗର ଠାରେ କ୍ରମଶଃ ଶକ୍ତିଶାଳୀ ହେଉଛି ଆଉ ଏକ ଡିପ ଡିପ୍ରେସନ। ଏହା ୟେମେନର ସୋକେଟ୍ରାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୬୫୦ କିମି ଦୂରରେ ଓ ସୋମାଲିଆ ବୋସାସୋର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୨୦ କିମି ଦୂରରେ ରହିଛି। ଆସନ୍ତା ତିନିଦିନ ମଧ୍ୟରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାର ନାମକରଣ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.