ୟୁକ୍ରେନ୍‌ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଲା UAE, ବିନା ଭିସାରେ ପୂରାଇବାକୁ କଲା ମନା

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି। ରୁଷ ସୈନ୍ୟଙ୍କ ପକ୍ଷରୁ ତୁହାକୁ ତୁହା ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯାଉଥିବାରୁ ଅନେକ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏହି ଆକ୍ରମଣରେ ଅନେକ ନିର୍ଦ୍ଦୋଷଙ୍କର ମଧ୍ୟ ଜୀବନ ଯାଉଛି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ସେଠାରେ ସ୍ଥିତି ଏମିତି ଅଛି ଯେ କେତେବେଳେ କିଛି ବି ହୋଇପାରେ। ଏଭଳି ସ୍ଥିତିରେ ୟୁକ୍ରେନ୍‌ର ଲୋକମାନେ ଦେଶ ଛାଡ଼ି ଚାଲିଯାଉଛନ୍ତି। ଯୁଦ୍ଧ ମଧ୍ୟରେ କିଛି ଦେଶ ୟୁକ୍ରେନ୍‌କୁ ସମର୍ଥନ କରି ସାହାଯ୍ୟ ପାଇଁ ସାମ୍ନାକୁ ଆସୁଥିବା ବେଳେ ଆଉ କିଛି ଦେଶ ୟୁକ୍ରେନ୍‌ବାସୀଙ୍କୁ ପୂରାଇ ଦେଉନାହାନ୍ତି।

ଇତି ମଧ୍ୟରେ ୟୁଏଇ ମଧ୍ୟ ୟୁକ୍ରେନ୍‌ର ଲୋକଙ୍କ ଭିସା ମୁକ୍ତ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ସଂଯୁକ୍ତ ଅରବ ଅମୀରାତ ପକ୍ଷରୁ ୟୁକ୍ରେନ୍‌ ନାଗରିକଙ୍କ ପାଇଁ ଭିସା ମୁକ୍ତ ନିୟମକୁ ଅସ୍ଥାୟୀ ଭାବେ ଉଠାଇ ଦିଆଯାଇଛି। ଅରବ ରାଜ୍ୟର ଦୂତାବାସ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ୍‌ରେ ଏବେ ଯୁଦ୍ଧ ମାହୋଲ୍ଲ ଯୋଗୁ ଗୋଟିଏ ସମୟରେ ହଜାର ହଜାର ଲୋକ ୟୁଏଇକୁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି।


ୟୁଏଇରେ ଭିସା ମୁକ୍ତ ପ୍ରବେଶ ଉପରେ ରୋକ୍‌ ଲାଗିବା ନିୟମକୁ ମଙ୍ଗଳବାର ଠାରୁ ଲାଗୁ କରାଯାଇଛି। ଦୂତାବାସ ପକ୍ଷରୁ ନିଜ ଫେସ୍‌ବୁକ୍‌ ପେଜ୍‌ରେ ନାଗରିକଙ୍କୁ ଏକ ନୋଟିସ୍‌ରେ ବିନା କୌଣସି କାରଣ କହି ଏହି ସୂଚନା ଦିଆଯାଇଛି। ତେବେ ୟୁଏଇର ଏହି ନିଷ୍ପତ୍ତିକୁ ୟକ୍ରେନିୟନ୍‌ ଅନ୍ନା ଗୋଂଚାର୍ନକୋ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏବେ ପୂରା ଦୁନିଆ ୟୁକ୍ରେନ୍‌ ସରକାର ଓ ସେଠାକାର ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ ୟୁଏଇର ଏଭଳି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ସେ ନେଦରଲାଣ୍ଡରେ ରୁହନ୍ତି କିନ୍ତୁ ତାଙ୍କ ଝିଅ ବାପାଙ୍କ ସହ କିଭ୍‌ରେ ରହୁଛନ୍ତି।

ସୂଚନାଯୋଗ୍ୟ ଯେ ରୁଷ ପକ୍ଷରୁ ଜାରି ଥିବା ଆକ୍ରମଣ ପର ଠାରୁ ୬,୫୦,୦୦୦ରୁ ଅଧିକ ଲୋକ ୟୁକ୍ରେନ୍‌ରୁ ପଡ଼ୋଶୀ ୟୁରୋପୀୟ ଦେଶକୁ ପଳାୟନ କରୁଛନ୍ତି।

Also Read: ୟୁକ୍ରେନ୍‌ରେ ଆଉ ଜଣେ ଭାରତୀୟ ଡାକ୍ତରୀ ଛାତ୍ର ମୃତ