ବିଶ୍ୱ ମାନଚିତ୍ରରୁ ହଜିଯିବ ୟୁକ୍ରେନ, କହିଲେ ରୁଷର ପୂର୍ବତନ ରାଷ୍ଟ୍ରପତି

ରୁଷ-ୟୁକ୍ରେନ ଯୁଦ୍ଧର ସମାପ୍ତି କେବେ ? ଯୁଦ୍ଧର ଭବିଷ୍ୟତ କଣ ? ସାରା ବିଶ୍ୱ ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ବେଳେ ୟୁକ୍ରେନର ଅସ୍ତିତ୍ୱକୁ ନେଇ ଭବିଷ୍ୟବାଣୀ କରିଛି କ୍ରେମଲିନ। ବିଶ୍ୱ ମାନଚିତ୍ରରୁ ୟୁକ୍ରେନ ଲିଭିଯିବ ବୋଲି କହିଛନ୍ତି ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେଭ।

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧର ସମାପ୍ତି କେବେ ? ଯୁଦ୍ଧର ଭବିଷ୍ୟତ କଣ ? ସାରା ବିଶ୍ୱ ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ବେଳେ ୟୁକ୍ରେନର ଅସ୍ତିତ୍ୱକୁ ନେଇ ଭବିଷ୍ୟବାଣୀ କରିଛି କ୍ରେମଲିନ। ବିଶ୍ୱ ମାନଚିତ୍ରରୁ ୟୁକ୍ରେନ ଲିଭିଯିବ ବୋଲି କହିଛନ୍ତି ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେଭ।

ୟୁକ୍ରେନକୁ କେହି ଚାହୁଁ ନଥିବାରୁ ଏହି ଅସ୍ତିତ୍ୱ ହରାଇବ ବୋଲି ମେଦଭେଦେଭ କହିଛନ୍ତି। ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଗଲାଣି । ତଥାପି ସରୁନି ମସ୍କୋର ଧ୍ୱଂସଲୀଳା। ଆଣବିକ ସହର ଜାପୋରଝିଆରେ ଆଜି ଭୟଙ୍କର ଆକ୍ରମଣ କରିଛି ରୁଷ ସେନା।

ଯୁଦ୍ଧ ବନ୍ଦ ନହେଲେ ୟୁକ୍ରେନର ସତ୍ତା ହଜିଯିବ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ ପୁଟିନ। ତାଙ୍କ ଘନିଷ୍ଠ ସହଯୋଗୀ ମେଦଭେଦେଭ କହିଛନ୍ତି, ୟୁକ୍ରେନ ସମସ୍ତଙ୍କ ପାଇଁ ଅଦରକାରୀ। ୟୁକ୍ରେନକୁ କେହି ଚାହୁଁ ନାହାନ୍ତି। ତେଣୁ ମାନଚିତ୍ରରୁ ହଜିଯିବ ୟୁକ୍ରେନ। ଆମେରିକା ନିର୍ଦ୍ଦେଶରେ ୟୁକ୍ରେନକୁ ବାଧ୍ୟହୋଇ ସମର୍ଥନ କରୁଛି ୟୁରୋପ। ଫଳରେ ୟୁରୋପର ଅର୍ଥନୀତି ଓ ରାଜନୀତି ନର୍କକୁ ଠେଲି ହୋଇଗଲାଣି। ୟୁକ୍ରେନ ପ୍ରସଙ୍ଗରେ କ୍ୟାମ୍ପେନ କରୁଛନ୍ତି ଆମେରିକାର ରାଜନେତା।

କିନ୍ତୁ ସାଧାରଣ ଆମେରିକୀୟ ୟୁକ୍ରେନ କଣ ବୁଝନ୍ତି ନାହିଁ। ମାନଚିତ୍ରରେ ୟୁକ୍ରେନର ସ୍ଥତି ଦେଖାଇ ପାରିବେନି ଆମେରିକୀୟ। ଆଫ୍ରିକା ଓ ଲାଟିନ ଆମେରିକା ପାଇଁ ୟୁକ୍ରେନର ଗୁରୁତ୍ୱ ନାହିଁ । ଆମେରିକା ଦ୍ୱାରା ୟୁକ୍ରେନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସେହି ଅର୍ଥ ମୂଲ୍ୟହୀନ। ଆଫ୍ରିକା ଓ ଲାଟିନ ଆମେରିକାର ବିକାଶ ପାଇଁ ସେହି ଅର୍ଥ ଖର୍ଚ୍ଚ କରି ହୁଅନ୍ତା ବୋଲି ମେଦଭେଦେଭ କହିଛନ୍ତି। ଏସିଆରୁ ମଧ୍ୟ ୟୁକ୍ରେନକୁ ସମର୍ଥନ ମିଳୁନାହିଁ।

ଏସୀୟ ଦେଶ ବୁଝିଛନ୍ତି, ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବାକୁ ଆମେରିକା ଉଦ୍ୟମ କରୁଛି। ଆମେରିକା କଥା ନମାନିଲେ ଏସୀୟ ଦେଶରେ ଶାସନ ବଦଳାଯାଉଛି। କୋଭିଡ୍ ପରର ଅର୍ଥନୀତିକୁ ଗୁରୁତ୍ୱ ଦେଉଛନ୍ତି ଭାରତ ଓ ଚୀନ ଭଳି ଦେଶ । ୟୁକ୍ରେନକୁ ସମର୍ଥନ ପାଇଁ ଆମେରିକାର ଅନୁରୋଧ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି ଏସିଆର ଏହି ଶକ୍ତିଶାଳୀ ଦେଶ। ୟୁକ୍ରେନବାସୀ ମଧ୍ୟ ନାଜି ଶାସନ ଚାହୁଁ ନାହାନ୍ତି। ତେଣୁ ୟୁକ୍ରେନର ସାଢେ ୪ କୋଟି ଜନସଂଖ୍ୟା ମଧ୍ୟରୁ ସେଠାରେ ଅଛନ୍ତି ମାତ୍ର ୨ କୋଟି। ସେମାନେ ମଧ୍ୟ ୟୁକ୍ରେନ ଛାଡିବାକୁ ଚାହୁଁଛନ୍ତି ବୋଲି ମେଦଭେଡେଭ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.