ରୁଷ ସେନାକୁ ବାଟବଣା କରିବାକୁ ୟୁକ୍ରେନ୍‌ର ନୂଆ ଚାଲ୍‌, ସବୁ ରାସ୍ତାରୁ ହଟାଉଛି ସାଇନ୍‌ ବୋର୍ଡ

ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଧୀରେ ଧୀରେ ଏହି ଆକ୍ରମଣ ଉଗ୍ର ହେଉଛି। ରୁଷ ରାଷ୍ଟ୍ରପତି ବାରମ୍ବାର ୟୁକ୍ରେନ୍‌ର ସେନାକୁ ଅସ୍ତ୍ର ଛାଡ଼ିବାକୁ କହୁଛନ୍ତି। କିନ୍ତୁ ୟୁକ୍ରେନ୍‌ ଶେଷ ନିଃଶ୍ୱାସ ଯାଏଁ ଲଢ଼ିବାକୁ କହୁଛି। ୟୁକ୍ରେନ୍‌ର ସେନା ଓ ସାଧାରଣ ଜନତା ମଧ୍ୟ ଶତ୍ରୁଙ୍କ ସହ ମୁହାଁମୁହିଁ ହେବାକୁ ପ୍ରସ୍ତୁତ ଅଛନ୍ତି। ଇତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ରୁଷ ସେନାକୁ ଭ୍ରମିତ କରିବା ପାଇଁ ୟୁକ୍ରେନ୍‌ ଏବେ ରାସ୍ତାରେ ଲାଗିଥିବା ସମସ୍ତ ସାଇନ୍‌ ବୋର୍ଡକୁ ହଟାଉଛି। ରୁଷ ସେନାକୁ ବାଟବଣା କରିବା ପାଇଁ ୟୁକ୍ରେନ୍‌ ଏବେ ରାସ୍ତାରେ ଲାଗିଥିବା ସମସ୍ତ ଦିଗ ସୂଚାଉଥିବା ବୋର୍ଡକୁ ଏପଟ ସେପଟ କରି ଦେଇଛି। ଫଳରେ ସେମାନେ ଇଆଡ଼େ ସିଆଡ଼େ ବୁଲିବେ।

ସାଇନ୍‌ ବୋର୍ଡକୁ ଏପଟ ସେପଟ କରିବା କାମ ଶନିବାର ଠୁ ଆରମ୍ଭ କରିଛି ୟୁକ୍ରେନ୍‌। ଅନେକ ସ୍ଥାନରେ ସାଇନ୍‌ ବୋର୍ଡକୁ ବାହାର କରି ଦିଆଯାଇଛି। ବାକି ସ୍ଥାନ ଗୁଡ଼ିକରେ ଏବେ ଏହି କାମ ଜାରି ରହିଛି। ୟୁକ୍ରେନ୍‌ରେ ବିଲ୍ଡିଂ ଓ ରୋଡ୍‌ କାମ କରୁଥିବା ଏକ ପ୍ରାଇଭେଟ୍‌ କମ୍ପାନୀ କହିଛି, ଆମେ ସେ ସବୁ ସ୍ଥାନରୁ ସାଇନ୍‌ ବୋର୍ଡ ହଟାଉଛୁ ଯେଉଁ ସବୁ ସ୍ଥାନରେ ରୁଷ ସେନା ସହଜରେ ଆମ ଦେଶର ରାସ୍ତା ଖୋଜି ଖୋଜି ସହର ଭିତରେ ପଶୁଛନ୍ତି।

ଏହି କାମ କରୁଥିବା ୟୁକ୍ରେନ୍‌ର ଏହି କମ୍ପାନୀର ମୁଖ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ ସେୟାର କରି କହିଛନ୍ତି- ଶତ୍ରୁଙ୍କ ପାଖରେ ଖରାପ ସଞ୍ଚାର ଅଛି। ସେ ଆମ ସହରକୁ ଖୋଜିପାରିବେ ନାହିଁ। ତାଙ୍କୁ ନର୍କ ପଠାଇବାରେ ଆମକୁ ସାହାଯ୍ୟ କରନ୍ତୁ।