ପୁଟିନ୍‌ ସେନାର ବର୍ବରତା: ୟୁକ୍ରେନ୍‌ ସ୍କୁଲ ଉପରେ ରୁଷ୍‌ର ବୋମା ମାଡ଼, କଡ଼ା ନିନ୍ଦା କଲା ଜାତିସଂଘ

ରୁଷ୍‌ ବର୍ବରତାକୁ ଜାତିସଂଘର କଡ଼ା ନିନ୍ଦା। ସ୍କୁଲ ଉପରେ ବୋମା ମାଡ଼କୁ ନିନ୍ଦା କରିଛି ଜାତିସଂଘ। ଗତକାଲି ଲୁହାନ୍‌ସ୍କ ଅଞ୍ଚଳରେ ଏକ ସ୍କୁଲ ଉପରେ ବୋମାମାଡ଼ କରିଥିଲା ରୁଷ୍‌ ସେନା। ଏଥିରେ ୬୦ ଜଣ ନୀରିହ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ସ୍କୁଲ ବିଲ୍‌ଡିଂରେ ୯୦ ଜଣ ଆଶ୍ରୟ ନେଇଥିଲେ। ରୁଷ୍‌ର ଏଭଳି ଘୃଣ୍ୟ ଆକ୍ରମଣକୁ ନିନ୍ଦା କରି ବିବୃତ୍ତି ଜାରି କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌। ସେ କହିଛନ୍ତି, ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ସବୁଠୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି।


ଅନ୍ୟପଟେ ଆଜି ଓଡ଼େସା ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି ପୁଟିନ୍‌ ସେନା। ରୁଷ୍‌ ସେନା କ୍ରିମିଆରୁ ୪ଟି ଆଣ୍ଟି ସିପ୍‌ କ୍ରୁଜ୍‌ ମିସାଇଲ ମାଡ଼ କରିଛି। ବ୍ଲାକ୍‌ ସି’ରେ ୨ଟି ସବ୍‌ ମାରିନ୍‌ ସମେତ ୬ଟି ଯୁଦ୍ଧ ଜାହାଜ ମୁତୟନ କରିଛି ରୁଷ୍‌। ବିଜୟ ଦିବସରେ ୟୁକ୍ରେନ୍‌ରେ ଗର୍ଜୁଛି ଅସ୍ତ୍ରଶସ୍ତ୍ର। ପୂର୍ବ ୟୁକ୍ରେନ୍‌ରେ ଭୟାନକ ଯୁଦ୍ଧ। ୟୁକ୍ରେନ ସେନାର ପ୍ରତି ଆକ୍ରମଣରେ ଗୋଟିଏ ଦିନରେ ୧୯୦ ରୁଷ୍‌ ସୈନ୍ୟ ନିହତ ହୋଇଛନ୍ତି। ୧୫ଟି ଟ୍ୟାଙ୍କ୍‌ ଭସ୍ମ ହୋଇଯାଇଛି। ୟୁକ୍ରେନ ମାଟିରେ କେବଳ ସୈନ୍ୟ ଆଉ ଅସ୍ତ୍ରଶସ୍ତ୍ର ହରାଇ ଚାଲିଛି ରୁଷ୍‌। ରୁଷ୍‌ ଇତି ମଧ୍ୟରେ ୨୫ ହଜାର ୬୫୦ ସୈନ୍ୟଙ୍କୁ ହରାଇ ସାରିଲାଣି। ସେହିପରି ପ୍ରାୟ ୧୧ଶହ ୫୦ ଟ୍ୟାଙ୍କ୍‌ ଧ୍ୱଂସ ହୋଇଗଲାଣି। ୩୫୦ରୁ ଅଧିକ ଫାଇଟର ଜେଟ୍‌ ଓ ହେଲିକପ୍ଟର ଖସାଇ ଦେଲାଣି ୟୁକ୍ରେନ୍‌। ପ୍ରତିଦିନ ବିପୁଳ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧଯାନ ହରାଉଛି ପୁଟିନ୍‌ ବାହିନୀ। ବିଦେଶୀ ଅସ୍ତ୍ରଶସ୍ତ୍ରରେ ରୁଷ୍‌ ଉପରେ ଭୟଙ୍କର ଆକ୍ରମଣ କରୁଛି ୟୁକ୍ରେନ୍‌। ରୁଷ୍‌ ପାଇଁ ଘାତକ ସାବ୍ୟସ୍ତ ହେଉଛି ଜାଭେଲିନ୍‌ ମିସାଇଲ୍‌ । ଏହି ମିସାଇଲ ଧରି ରୁଷ୍‌ର ଟ୍ୟାଙ୍କ୍‌ ଶିକାର କରୁଛି ୟୁକ୍ରେନ୍‌। ଏବେ ଆମେରିକା ଜାଭେଲିନ୍‌ ମିସାଇଲ୍‌ର ଉତ୍ପାଦନ ଦୁଇ ଗୁଣ କରିବ।

ସେପଟେ ବ୍ରିଟେନ୍‌ ଗୁଇନ୍ଦା ସଂସ୍ଥା ରୁଷ୍‌ର ଦୁର୍ବଳତାକୁ ପଦାରେ ପକାଇଛି। ଗୁଇନ୍ଦା ସଂସ୍ଥାର ରିପୋର୍ଟ ମୁତାବକ, ରୁଷ୍‌ ଏବେ ଅସ୍ତ୍ରଶସ୍ତ୍ର ପାଇଁ ସଂଘର୍ଷ କରୁଛି। ରୁଷ୍‌ ହାତରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସରି ଆସିଲାଣି। ଏଣିକି ରୁଷ୍‌ ପାଇଁ ଭରସା ପୁରୁଣା ରକେଟ୍‌। ଧୀରେ ଧୀରେ ରୁଷ୍‌ ହାତ ଖାଲି ହେଉଛି। ୟୁକ୍ରେନ୍‌କୁ ସାମରିକ ସହାୟତାର ସୁଅ ଛୁଟିଛି। ଏବେ ୟୁକ୍ରେନ୍‌କୁ ଆଣ୍ଟି ଟ୍ୟାଙ୍କ୍‌ ଅସ୍ତ୍ରଶସ୍ତ୍ର ସହାୟତା କରିବ କନାଡ଼ା। ଗତକାଲି ୟୁକ୍ରେନ୍‌ ଗସ୍ତରେ ଯାଇ ଜେଲେନ୍‌ସ୍କିଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଜ୍‌। କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରି ପ୍ଲେଙ୍କୋଭିକ୍‌ ମଧ୍ୟ କିଭ୍‌ ଗସ୍ତ କରି ୟୁକ୍ରେନ୍‌କୁ ସହାୟତାର ହାତ ବଢ଼ାଇଛନ୍ତି। ଗତକାଲି ପଶ୍ଚିମ ୟୁକ୍ରେନ୍‌ରେ ଅଚାନକ ପହଞ୍ଚିଥିଲେ ଜିଲ୍‌ ବାଇଡେନ୍‌। ଆଜି ୟୁରୋପ ପରିଷଦର ସେକ୍ରେଟାରୀ ଜେନେରାଲ ଇର୍‌ପିନ୍‌ ଓ ବୋରୋଡିଆଙ୍କା ଗସ୍ତ କରିଛନ୍ତି। ରୁଷ୍‌ର ଧ୍ୱଂସଲୀଳା ଦେଖି ସେ ବିଚଳିତ ହୋଇପଡ଼ିଥିବା କହିଛନ୍ତି।

Also Read: ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ଵୀରାଜ’ର ଦମ୍‌ଦାର ଟ୍ରେଲର ରିଲିଜ୍‌, ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.