ପୁଟିନଙ୍କ ଉପରେ ନରସଂହାର ଅଭିଯୋଗ ଆଣିଲେ ଜେଲେନ୍‌ସ୍କିଙ୍କ ପତ୍ନୀ; ଖୋଲା ପତ୍ରରେ କହିଲେ ଏମିତି କଥା

ୟୁକ୍ରେନର ପ୍ରଥମ ମହିଳା ଅର୍ଥାତ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କିଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଓଲେନା ଦେଶରେ ଶିଶୁ ଏବଂ ନାଗରିକମାନଙ୍କର ସାମୂହିକ ହତ୍ୟାକୁ ନିନ୍ଦା କରିଛନ୍ତି। ସେ ରୁଷ ଆକ୍ରମଣକୁ ନେଇ ବିଶ୍ୱ ଗଣମାଧ୍ୟମକୁ ଏକ ଭାବପୂର୍ଣ୍ଣ ପତ୍ର ବି ଲେଖିଛନ୍ତି, ଯେଉଁଥିରେ କହିଛନ୍ତି କି, ରୁଷ ପକ୍ଷରୁ ୟୁକ୍ରେନ ଉପରେ କରାଯାଇଥିବା ଆକ୍ରମଣ ଉପରେ ଭରସା କରିବା ଅସମ୍ଭବ ଥିଲା।

ଫାର୍ଷ୍ଟ ଲେଡି ଓଲେନା ଜେଲେନ୍‌ସ୍କି ଲେଖିଛନ୍ତି, ‘୨୪ ଫେବୃଆରୀରେ ଆମେ ସମସ୍ତେ ରୁଷର ଆକ୍ରମଣ ସହିତ ଜାଗି ଉଠିଥିଲୁ। ଟ୍ୟାଙ୍କଗୁଡ଼ିକ ୟୁକ୍ରେନ ସୀମାକୁ ପାର୍‌ କରିଥିଲା। ବିମାନଗୁଡ଼ିକ ଆମ ବିମାନ ବନ୍ଦରରେ ପ୍ରବେଶ କରିଥିଲା। ରୁଷ ଏହାକୁ ବିଶେଷ ଅଭିଯାନ କହୁଛି, ଯେତେବେଳେ କି, ଏହା ବାସ୍ତବରେ ୟୁକ୍ରେନ ନାଗରିକମାନଙ୍କର ହତ୍ୟା’। ୟୁକ୍ରେନର ଫାର୍ଷ୍ଟ ଲେଡି ଖୋଲା ପତ୍ରରେ ଶିଶୁମାନଙ୍କ ମୃତ୍ୟୁକୁ ସବୁଠାରୁ ଭୟଙ୍କର ଏବଂ ବିନାଶକାରୀ ବୋଲି କହିଛନ୍ତି।

ukraine22
photo: ibtimes.sg

ଓଲେନା ପତ୍ରରେ ଲେଖିଛନ୍ତି, ୮ ବର୍ଷୀୟା ଏଲିସ୍‌ ଓଖତିରକା ରାସ୍ତା ଉପରେ ପ୍ରାଣ ହରାଇଥିଲେ, ଯେତେବେଳେ କି, ତାଙ୍କ ଦାଦା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହିପରି କିଭ୍‌ର ପୋଲିନା ଏବଂ ତାଙ୍କ ମାଆ, ବାପାଙ୍କର ବୋମା ଓ ମିସାଇଲ୍‌ ମାଡ଼ରେ ମୃତ୍ୟୁ ଘଟିଥିଲା। ସେହିପରି ୧୪ ବର୍ଷୀୟା ଆର୍ସେନୀଙ୍କ ମୁଣ୍ଡରେ ଭଙ୍ଗା ଇଟା ପଡ଼ିଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। କାହିଁକି ନା, ନିଅାଁ ଅଧିକ ବ୍ୟାପିଯିବାରୁ ଠିକ୍‌ ସମୟରେ ତାଙ୍କୁ ଆମ୍ବୁଲାନ୍ସ ମିଳିପାରି ନ ଥିଲା।

ଓଲେନା ଜେଲେନ୍‌ସ୍କି ନିଜ ଖୋଲା ପତ୍ରକୁ ‘Testimony from Ukraine’ ନାମ ଦେଇଛନ୍ତି। ସେ ଏହି ପତ୍ର ଜାରି କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ନରସଂହାର ଅଭିଯୋଗ ଆଣିଛନ୍ତି। ପୁଟିନ୍‌ ୟୁକ୍ରେନର ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରିଥିବା ଖୋଲା ପତ୍ରରେ ଉଲ୍ଲେଖ କରାଯାଇଛି। ଫାର୍ଷ୍ଟ ଲେଡି କହିଛନ୍ତି, ‘ୟୁକ୍ରେନର ଲୋକେ କେବେ ବି ହାର୍‌ ମାନିବେ ନାହିଁ କି ଅସ୍ତ୍ରଶସ୍ତ୍ର ଛାଡ଼ିବେ ନାହିଁ’।