ଦେଶର ସୁରକ୍ଷା ପାଇଁ ବନ୍ଧୁକ ଧରିଲେ ପୂର୍ବତନ ମିସ୍ ଗ୍ରାଣ୍ଡ୍ ୟୁକ୍ରେନ ଆନାଷ୍ଟାସିଆ ଲେନ୍ନା, ‘ୟୁକ୍ରେନକୁ ଯିଏ ପଶିବ ସେ ମରିବ’

ୟୁକ୍ରେନ ଓ ରୁଷ ମଧ୍ୟ ଯୁଦ୍ଧ ୫ ଦିନ ହେଲା ଲାଗି ରହିଛି। ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଦେଶକୁ ଏବଂ ନିଜକୁ ସୁରକ୍ଷା ଦେବା ପାଇଁ ୟୁକ୍ରେନ ନାଗରିକ ଅସ୍ତ୍ର ଉଠାଇଛନ୍ତି। କେବଳ ସୈନିକ ନୁହେଁ ବରଂ ସାଧାରଣ ନାଗରିକ ମଧ୍ୟ ଅସ୍ତ୍ର ଉଠାଇବାକୁ ବାଧ୍ୟ ହେଉଛନ୍ତି।

ଫେବୃଆରୀ ୨୪ ତାରିଖ ସକାଳରୁ ଲଗାତର ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଚାଲିଛି । ଯୁଦ୍ଧ ଥମିବାର ନାଁ ଧରୁନି । ରୁଷ ଆକ୍ରମଣରେ ଏବେ ସୁଦ୍ଧ ୩୫୨ ଲୋକଙ୍କ ମୃତ୍ୟୁ ହୋଇଛି । ସେନାକୁ ସହାୟତା କରିବା ପାଇଁ ଏବେ ୟୁକ୍ରେନର ନାଗରିକ ମାନେ ବି ବନ୍ଧୁକ ଓ ରାଇଫଲ୍ ଧରି ଆଗେଇ ଆସିଛନ୍ତି । ଏଭଳି ପରିସ୍ଥିତିରେ ୨୦୧୫ର ୟୁକ୍ରେନର ବିୟୁଟି କୁଇନ୍ ତଥା ପୂର୍ବତନ ମିସ୍ ଗ୍ରାଣ୍ଡ୍ ୟୁକ୍ରେନ ଆନାଷ୍ଟାସିଆ ଲେନ୍ନା ୟୁକ୍ରେନୀୟ ସେନାରେ ଯୋଗ ଦେଇଛନ୍ତି । ସେ ରୁଷ ସେନାଙ୍କ ସହିତ ଲଢ଼ିବା ପାଇଁ ଓ ନିଜ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନୀୟ ମିଲିଟାରୀରେ ନିଜକୁ ସାମିଲ କରିଛନ୍ତି ।

ଆନାଷ୍ଟିସିଆ ଏନେଇ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଫଟୋ ସେୟାର୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିଜ ଘରକୁ ବଞ୍ଚାଇବା ପାଇଁ ସେ ଏବେ ଶତ୍ରୁଙ୍କୁ ଉତ୍ତର ଦେବେ । ଯେଉଁମାନେ ୟୁକ୍ରେନ ସୀମା ଦେଇ ପଶିବେ ସେମାନେ ମରିବେ।

ସୂଚନାଯୋଗ୍ୟ, ଆନାଷ୍ଟିସିଆ ଲେନ୍ନା ୨୦୧୫ରେ ୟୁକ୍ରେନର ମିସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାସନାଲ୍ ବିୟୁଟି କଣ୍ଟେଷ୍ଟରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ଓ ସୁନ୍ଦରୀ ମୁକୁଟ ବି ହାସଲ କରିଥିଲେ । ତେବେ ଖାଲି ଲେନ୍ନା ହିଁ ନୁଅନ୍ତି ବରଂ ଏବେ ରାଷ୍ଟ୍ରପତି ଙ୍କ ଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ, ସାଧାରଣ ନାଗରିକ ଓ ମହିଳା ମାନେ ବି ରୁଷ ସେନାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆଗେଇ ଆସିଛନ୍ତି ।

ଏହା ସହିତ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲେଡିମିର ଜେଲେସ୍କିଙ୍କ ଫଟୋ ସେୟାର କରି ତାଙ୍କୁ ସଚ୍ଚୋଟ ଏବଂ ମଜବୁତ ନେତା ବୋଲି କହିଛନ୍ତି। ଲେନ୍ନାଙ୍କ ଇନଷ୍ଟାଗ୍ରାମରେ ୭୫ ହଜାରରୁ ଅଧିକ ଫଲୋୟର୍ସ ରହିଛନ୍ତି। ତେଣୁ ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି।

Also Read : ୟୁକ୍ରେନ- ରୁଷ ଯୁଦ୍ଧରେ ୪ ହଜାର ୩୦୦ ଋଷ ସୈନ୍ୟଙ୍କ ମୃତ୍ୟୁ, ୨୦୦ରୁ ଅଧିକଙ୍କୁ ଜେଲରେ: ୟୁକ୍ରେନ ରାଷ୍ଟ୍ରଦୂତ