ଦକ୍ଷିଣ ୟୁକ୍ରେନର ଖେରସନ୍‌ ସହରକୁ ନିୟନ୍ତ୍ରଣକୁ ନେଲା ଋଷ୍‌, ସମସ୍ତ ସାମରିକ ପ୍ରତିଷ୍ଠାନ ଧ୍ୱଂସ

ନୂଆଦିଲ୍ଲୀ:ଋଷ୍‌ କବଜାରେ ଖେରସନ୍‌ ସହର । ଦକ୍ଷିଣ ୟୁକ୍ରେନର ବଡ଼ ସହର ଖେରସନ୍‌କୁ ନିଜ ନିୟନ୍ତ୍ରଣକୁ ନେଇଛି ଋଷ୍‌ । କ୍ରିମିଆକୁ ଲାଗିଛି ଖେରସନ୍‌ ସହର । ଏହାର ସମସ୍ତ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି । କୌଣସି ସ୍ଥାନରେ ୟୁକ୍ରେନ ସେନାର ପ୍ରଭାବ ଦେଖିବାକୁ ମିଳୁନାହିଁ । ସହରକୁ ସମ୍ପୂର୍ଣ୍ଣ ଭାବେ ୟୁକ୍ରେନ୍‌ ସାମରିକ ବାହିନୀ କବଳରୁ ମୁକ୍ତ କରାଯାଇଥିବା କହିଛନ୍ତି ଋଷ୍‌ ପ୍ରତିରକ୍ଷା ମୁଖପାତ୍ର ।

ନାଗରିକଙ୍କୁ ଯେପରି କିଛି କ୍ଷତି ନପହଁଚିବ ସେଥିପ୍ରତି ବ୍ୟବସ୍ଥା କରାଯାଉଛି। ଖେରସନ୍‌ର ଆଞ୍ଚଳିକ କେନ୍ଦ୍ରକୁ ଋଷ୍‌ ସେନାବାହିନୀ ନିଜ ନିୟନ୍ତ୍ରଣକୁ ନେବା ସହ ସହରର ସମସ୍ତ ସୀମା ନିୟନ୍ତ୍ରଣ ମଧ୍ୟ ନିଜ ହାତକୁ ଯାଇଛି। ଏଠାରେ ସାଧାରଣ ପରିବହନ ବ୍ୟବସ୍ଥା ଜାରି ରଖିବାକୁ ଅନୁମତି ଦେଇଛି ଋଷ୍‌ ସେନା ।

ସହରରେ ଖାଦ୍ୟ କିମ୍ବା ଅତ୍ୟାବଶ୍ୟକ ଜିନିଷର ଅଭାବ ନାହିଁ ବୋଲି କୁହାଯାଇଛି। ଖେରସନ୍‌ ଋଷ୍‌ ନିୟନ୍ତ୍ରଣକୁ ଯିବା ପରେ ସେଠାରେ ଋଷ୍‌ ସମର୍ଥକ ୟୁକ୍ରେନ ନାଗରିକ ଏହାକୁ ସ୍ୱାଗତ କରିଛନ୍ତି।