କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ଗାଡ଼ିରେ ମର୍ମନ୍ତୁଦ ଦୁର୍ଘଟଣା, ୬୨ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ
କର୍ଣ୍ଣାଟକରେ ବିଜେପି ନେତାଙ୍କ ଗାଡ଼ିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ବେଙ୍ଗାଲୁରୁ ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ କାର୍ ଦୁର୍ଘଟଣାର ଶିକାର ହୋଇଛି ।

କର୍ଣ୍ଣାଟକରେ ବିଜେପି ନେତାଙ୍କ ଗାଡ଼ିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ବେଙ୍ଗାଲୁରୁ ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ କାର୍ ଦୁର୍ଘଟଣାର ଶିକାର ହୋଇଛି । ମନ୍ତ୍ରୀଙ୍କ କାର୍ ଦ୍ୱାରା ହୋଇଥିବା ଏହି ଦୁର୍ଘଟଣାରେ ୬୨ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ମନ୍ତ୍ରୀଙ୍କ ଗାଡ଼ି ନିର୍ବାଚନ ପ୍ରଚାର ଅଭିଯାନରେ ନିୟୋଜିତ ଥିଲା । ବେଙ୍ଗାଲୁରୁ ଇଷ୍ଟ୍ ଟ୍ରାଫିକ୍ ପୋଲିସ ମୁତାବକ, ଏହି ଘଟଣାରେ ସମ୍ପୃକ୍ତ କାର୍ ଚାଳକଙ୍କୁ ଅଟକ ରଖାଯାଇଛି ।
ସୂଚନା ଅନୁସାରେ, କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ନିଜର ନିର୍ବାଚନ ପ୍ରଚାର କରୁଥିଲେ । ସେ ନିଜ ଫରଚ୍ୟୁନର କାର୍ରୁ ଓହ୍ଲାଇ ଗଳିରେ ପ୍ରଚାର ପାଇଁ ଚାଲିଯାଇଥିଲେ । ଏହାପରେ ଚାଳକ ଗାଡ଼ିରେ କିଛି ସମୟ ବସି ରହିବା ପରେ ହଠାତ୍ କାର୍ର ଡୋର୍ ଖୋଲି ଦେଇଥିଲେ । ଏହି ସମୟରେ ସେହି ବାଟ ଦେଇ ୬୨ ବର୍ଷୀୟ ଜଣେ ବ୍ୟକ୍ତି ଆକ୍ଟିଭା ନେଇ ଯାଉଥିଲେ । ହଠାତ୍ କାର୍ର ଡୋର୍ ଖୋଲିଯିବାରୁ ସେ ଡୋର୍ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ ।
ଏତିକି ବେଳେ ପଛପାର୍ଶ୍ୱରୁ ଆସୁଥିବା ଏକ ବସ୍ ପ୍ରକାଶଙ୍କ ଉପରେ ମାଡ଼ି ଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସେପଟେ ଶୋଭା କରନ୍ଦଲାଜେ କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଅଛନ୍ତି । ସେ ହେଉଛନ୍ତି ଭାରତର ଦ୍ୱିତୀୟ ମହିଳା କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ । କର୍ଣ୍ଣାଟକରୁ କରନ୍ଦଲାଜେ ଲଗାତାର ଦୁଇ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଛନ୍ତି । ୨୦୧୯ ନିର୍ବାଚନରେ ସେ ଉଡୁପି-ଚିକମଗଲୁରରୁ ରେକର୍ଡ ୩.୫୦ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଥିଲେ ।
କହି ରଖୁଛୁ, କର୍ଣ୍ଣାଟକରେ ଲୋକସଭାର ମୋଟ ୨୮ଟି ଆସନ ରହିଛି । ଏଠାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ୧୪ଟି ଲୋକସଭା ଆସନରେ ଏପ୍ରିଲ ୨୬ ଏବଂ ବାକି ୧୪ଟି ଆସନରେ ମେ’ ୭ରେ ମତଦାନ ହେବ ।