ସାଇକେଲିଂ କରୁ କରୁ ତଳେ କାଚି ହୋଇପଡିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଭାଇରଲ ହେଉଛି ଭିଡିଓ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସାଇକେଲରୁ ପଡିଯାଇଛନ୍ତି। ଯାହାର ଭିଡିଓ ଇଣ୍ଟରନେଟରେ ଭାଇରଲ ହେଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡିଲାଭେୟରରେ ସାଇକେଲ ଚଳାଇବା ବେଳେ ଏପରି ଅଘଟଣ ଘଟିଛି। ଏହି ଘଟଣାରେ ରାଷ୍ଟ୍ରପତିଙ୍କୁ କୌଣସି ଆଘାତ ଆସିନାହିଁ। ସେ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି। ସାଇକେଲରୁ ପଡିବା ପରେ ନିଜେ ଉଠି ଠିକ୍‌ ଅଛନ୍ତି ବୋଲି କହିଛନ୍ତି।

ଶନିବାର ଦିନ ଡିଲାଭେୟରର ରେହୋବୋଥ୍‌ ବିଚକୁ ବାଇଡେନ ଓ୍ଵିକେଣ୍ଡ ଟ୍ରିପ ବିତେଇବା ପାଇଁ ଯାଇଥିଲେ। ସେଠାରେ ସାଇକେଲିଂ କରୁଥିଲେ ବାଇଡେନ। ଏହି ସମୟରେ ତାଙ୍କୁ ଦେଖିବା ପାଇଁ ବହୁତ ଲୋକ ଉପସ୍ଥିତ ରହିଥିଲେ। ଜୋ ବାଇଡେନ ସାଇକେଲ ଚଲାଇ ଗୋଟିଏ ସ୍ଥାନରେ ଠିଆ ହେବାକୁ ଚେଷ୍ଟା କରୁଥିବା ବେଳେ ସାଇକେଲର ପେଡାଲ ତାଙ୍କ ଗୋଡରେ ଫସିଯାଇଥିଲା ତେଣୁ ସେ ପଡିଯାଇଥିଲେ। ବାଇଡେନ ଏହି ସମୟରେ ଟିସାର୍ଟ, ସର୍ଟସ ଏବଂ ହେଲମେଟ ପିନ୍ଧିଥିଲେ ତେଣୁ କୌଣସି ଆଘାତ ଲାଗିନାହିଁ।

ଭିଡିଓରେ ଦେଖିବାକୁ ମିଳିଛି, ବାଇଡେନ ସାଇକେଲରୁ ପଡିବା ସମୟରେ ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ଦେଉଛନ୍ତି। ଏହି ବିଷୟରେ ହ୍ଵାଇଟ ହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଡୋନାଲ୍ଡୋ ଟ୍ରମ୍ପଙ୍କ ପୁଅ ଜୁନିଅର ଟ୍ରମ୍ପ ଏହାକୁ ଟ୍ଵିଟ୍‌ କରିଛନ୍ତି।

ଭିଡିଓକୁ ସେୟାର କରି ଲେଖିଛନ୍ତି, ମୁଁ ଆଶ୍ଚର୍ଯ୍ୟ ଯେ, ତାଙ୍କୁ ଟ୍ରେନିଂ ନ ଦେଇ କିପରି ସାଇକେଲ ଚଲାଇବାକୁ ଛାଡିଦେଇଛନ୍ତି।