ହାଇଦ୍ରାବାଦ: ICFAI ବିଜନେସ୍‌ ସ୍କୁଲରେ ର‍୍ୟାଗିଂ; ଜୁନିୟର ଛାତ୍ରଙ୍କୁ ମାଡ଼, ଯୌନ ଉତ୍ପୀଡ଼ନ…୧୨ ନିଲମ୍ବିତ

ହାଇଦ୍ରାବାଦରେ ଏକ ହଷ୍ଟେଲରେ କିଛି ଛାତ୍ର ସେଠାରେ ରହୁଥିବା ଜଣେ ଆଇନ ଛାତ୍ରଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟିଛନ୍ତି। ଏଥିସହିତ ତାଙ୍କୁ ଧାର୍ମିକ ନାରା ଲଗାଇବାକୁ ବାଧ୍ୟ କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖାଯାଉଛି କି, ହାଇଦ୍ରାବାଦସ୍ଥିତ ICFAI ଫାଉଣ୍ଡେସନ ଫର୍‌ ହାଇୟର ଏଜୁକେସନର ତୃତୀୟ ବର୍ଷ ଛାତ୍ର ହିମାଙ୍କ୍‌ ବଂସଲଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମରାଯାଉଛି। ପୁଣି ତାଙ୍କୁ ତଳେ ପକାଇ ମରାଯାଉଛି ଏବଂ ତାଙ୍କ ହାତକୁ ମୋଡ଼ି ଦିଆଯାଉଛି।

ଜଣେ ଅଭିଯୁକ୍ତ କହିଛନ୍ତି, ‘ଆମେ ତାଙ୍କ ଭାବନାକୁ ଠିକ୍‌ କରିବାକୁ ଚାହୁଁଛୁ। ଆମେ ତାଙ୍କୁ ପିଟି ପିଟି କୋମାକୁ ନେଇଯିବୁ ଏବଂ ତାଙ୍କୁ ନୂଆ ଦୁନିଆ ମନେ ପଡ଼ିଯିବ’। ଏହି ସମୟରେ ଅନ୍ୟ ଜଣେ ଅଭିଯୁକ୍ତ ହିମାଙ୍କ୍‌ଙ୍କ ପର୍ସ ଛଡ଼ାଇ ନେଉଥିବାର ଦେଖାଯାଉଛି। ଜଣେ ଅଭିଯୁକ୍ତ ଛାତ୍ର କହୁଛନ୍ତି, ‘ଯେତିକି ପଇସା ଦରକାର, ବାହାର କରିନିଅ’। ଏହି ମାମଲାରେ ମୋଟ ୧୨ ଜଣ ଛାତ୍ରଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ଯେଉଁମାନଙ୍କ ମଧ୍ୟରୁ ୮ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ବାକି ୪ ଜଣ ଫେରାର୍‌ ହୋଇଯାଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବିତ କରି ଦିଆଯାଇଛି।

ଘଟଣା ୧ ନଭେମ୍ବରର ବୋଲି କୁହାଯାଉଛି। ଏହା ପୂର୍ବରୁ ହିମାଙ୍କ୍‌ ସୋସିଆଲ ମିଡିଆରେ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ କରିଥିଲେ। ପୋଲିସର କହିବା ହେଲା, ହିମାଙ୍କ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ସେ ଅଭିଯୋଗ କରିଛନ୍ତି କି, ତାଙ୍କ ଉପରେ ଶାରୀରିକ ଏବଂ ଯୌନ ଆକ୍ରମଣ କରାଯାଇଛି। ଯଦି ସେ ତାଙ୍କ ପ୍ୟାଣ୍ଟ ନ ଖୋଲନ୍ତି, ତା’ ହେଲେ ତାଙ୍କୁ ପିଟିପିଟି ମାରି ଦିଆଯିବ ବୋଲି ସେମାନେ ଧମକ ଦେଇଥିବା ହିମାଙ୍କ୍‌ କହିଛନ୍ତି।

ଏହି ଘଟଣା ପରେ ହିମାଙ୍କ୍‌ ଟ୍ଵିଟ୍‌ ମଧ୍ୟ କରିଥିଲେ, ଯେଉଁଥିରେ ସେ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମାରାଓ ଏବଂ ସାଇବରାବାଦ ପୋଲିସ କମିଶନରଙ୍କୁ ଟ୍ୟାଗ୍‌ କରିଛନ୍ତି। ସେପଟେ ଏହି ମାମଲାରେ ଶିକ୍ଷାନୁଷ୍ଠାନ ତରଫରୁ ବୟାନରେ କୁହାଯାଇଛି, ଏହି ପ୍ରକାରର ଘଟଣା ପାଇଁ ସ୍କୁଲରେ ଜିରୋ ଟଲେରାନ୍ସ ଲାଗୁ ରହିଛି। ମାମଲାରେ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଘଟଣାରେ ସମ୍ପୃକ୍ତ ସମସ୍ତ ୧୨ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.