Below header

WHO କର୍ମଚାରୀଙ୍କ ଅମାନୁଷିକ କାର୍ଯ୍ୟ, ସହାୟତା କରିବାକୁ ଯାଇ ଝିଅ ଓ ମହିଳାଙ୍କୁ କଲେ ଧର୍ଷଣ

ନୂଆଦିଲ୍ଲୀ : କଥାରେ ଅଛି ବାଡ଼ ଯେବେ ଘାସ ଖାଏ ଦୋଷ ଦେବେ କାହାକୁ । ଖୋଦ୍‌ ସହାୟତାକାରୀ ଯଦି ଧର୍ଷଣ କରେ ତେବେ କହିବେ କାହାକୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର କର୍ମଚାରୀଙ୍କ ନାମରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଇବୋଲା ମହାମାରୀରେ କଙ୍ଗୋକୁ ସହାୟତା କରିବାକୁ ଯାଇଥିବା WHO ର ୨୧ ଜଣ କର୍ମଚାରୀ ସେଠାରେ ମହିଳା ଓ ଝିଅମାନଙ୍କୁ ଧର୍ଷଣ କରିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ୨୦୧୮ ରୁ ୨୦୨୦ ମଧ୍ୟରେ ଇବୋଲା ମହାମାରୀରେ ସହାୟତା ପାଇଁ WHO ର ଏହି କର୍ମଚାରୀମାନେ କଙ୍ଗୋ ଯାଇଥିଲେ । ସେଠାରେ ଏହି କର୍ମଚାରୀମାନେ ମହିଳାମାନଙ୍କୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଧର୍ଷଣ କରୁଥିଲେ । ହସ୍‌ପିଟାଲରେ ଥିବା ମହିଳାଙ୍କ ସହ ମଧ୍ୟ ଧର୍ଷଣ କରାଯାଇଥିବା ଜଣାପଡ଼ିଛି ।

ଆଉ କାହାକୁ ଚାକିରି କରାଇଦେବାକୁ ପ୍ରତିଶୃତି ଦେଇ ମଧ୍ୟ ଧର୍ଷଣ କରିଥିଲେ । ଏପରି କି ଧର୍ଷଣ ବେଳେ ଏହି କର୍ମଚାରୀମାନେ କଣ୍ଟ୍ରାସେପ୍ଟିଭ ବ୍ୟବହାର କରୁନଥିଲେ । କେହି ଗର୍ଭଧାରଣ କଲେ ଜୋର ଜବରଦସ୍ତ ଗର୍ଭପାତ କରାଉଥିଲେ । ଏପରି ଅଭିଯୋଗ ଆଣିଛନ୍ତି ଜଣେ ପୀଡ଼ିତା । ଜଣେ ନାବାଳିକା ପୀଡ଼ିତା କହିଛନ୍ତି ଯେ ଜଣେ ଡାକ୍ତର ତାଙ୍କୁ ଚାକିରି ଦେବାକୁ କହି ଧର୍ଷଣ କରିଥିଲେ ।

ଏହି ଖବର ଜଣା ପଡ଼ିବା ପରେ WHO ର ମୁଖ୍ୟ ଟେଡ୍ରୋସ ଏଡନମ୍‌ ଘେବ୍ରେୟସସ୍‌ ଏଥିରେ ଦୁଃଖ ପ୍ରକାଶ କରଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ ବିଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ପ୍ରାୟ ୮୩ ଲୋକ ଇବୋଲା ମହାମାରୀ ସହାୟତାବେଳେ ଯାଇଥିବା ବେଳେ ଧର୍ଷଣ କରିଛନ୍ତି ।

ଏମାନଙ୍କ ମଧ୍ୟରେ WHO ର ୨୧ ଜଣ କର୍ମଚାରୀ ଥିବା ଜଣାଯାଇଛି । ପ୍ରାୟ ୫୦ ଜଣ ମହିଳା ଧର୍ଷଣ ସମ୍ପର୍କରେ ଅଭିଯୋଗ କରିବା ପରେ ଏହି ମାମଲାର ଯାଞ୍ଚ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.