ହାଇଡ୍ରାମା: ୨ ବର୍ଷ ହେବ ବାପଘରୁ ଫେରି ନାହିଁ ସ୍ତ୍ରୀ, ରାଗରେ ୫୦ ଫୁଟ ଉଚ୍ଚ ଗଛ ଉପରେ ଚଢ଼ିଗଲା ସ୍ୱାମୀ, ଆଉ ତା’ ପରେ…

ରାଜସ୍ଥାନର ଧୋଲପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭଦୋରିଆର ପାଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ୨ ଦିନ ତଳେ ହାଇ ଭୋଲ୍‌ଟେଜ ଡ୍ରାମା କରିଛନ୍ତି। ଯୁବକ ଜଣକ ପାଖାପାଖି ୫୦ ଫୁଟ ଉଚ୍ଚ ଏକ ଅଶ୍ୱତ୍‌ଥ ଗଛ ଉପରେ ଚଢ଼ିଯାଇଥିଲେ। ଗଛ ଉପରେ ଚଢ଼ିଯିବା ପରେ ସେ ନିଜର ଦୁଇ ଗୋଡ଼କୁ ଡାଳରେ ବାନ୍ଧି ଦେଇଥିଲେ, ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ। ଯୁବକଙ୍କୁ ତଳୁ ଓହ୍ଲାଇବାକୁ ବହୁତ ବୁଝାଯାଇଥିଲା। ତାଙ୍କୁ ତଳକୁ ଆଣିବା ପାଇଁ କ୍ରେନ୍‌ର ସହାୟତା ନିଆଯାଇଥିଲା। ଅନେକ ବୁଝାଶୁଝା ପରେ ସ୍ଥାନୀୟ ନଗର ପାଳିକା ଦ୍ୱାରା କ୍ରେନ୍‌ ସହାୟତାରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା। ତେବେ ପୋଲିସ ତାଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା କି, ଯୁବକଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ବାପଘରକୁ ଚାଲିଯାଇଛନ୍ତି ଏବଂ ଘରକୁ ଆଉ ଫେରୁନାହାନ୍ତି। ଏହି ମାମଲାରେ ଯୁବକଙ୍କୁ କେହି ସାହାଯ୍ୟ ସୁଦ୍ଧା କରୁନାହାନ୍ତି। ଏଥିରେ ରାଗି ଯାଇ ସେ ଏଭଳି କାମ କରିଥିବା କହିଛନ୍ତି।

ଯୁବକଙ୍କ ନାଁ ଲହୋରେରାମ ଭଦୋରିଆ। ତାଙ୍କ ସ୍ତ୍ରୀ ସଙ୍ଗୀତା ନିଜ ବାପଘରେ ଦୁଇ ବର୍ଷ ହେବ ରହୁଛନ୍ତି। ଲହୋରେରାମଙ୍କ କହିବା ହେଲା, ସ୍ତ୍ରୀଙ୍କ ବାପଘର ଲୋକ ତାଙ୍କୁ ଶିଖେଇ ନେଇଯାଇଛନ୍ତି ଏବଂ ମୋ ପାଖକୁ ଫେରିବାକୁ ଦେଉନାହାନ୍ତି। ସେ ଅନେକ ଥର ପୋଲିସ ସହିତ ପ୍ରଶାସନକୁ ବି ଗୁହାରି କରି ସାରିଛନ୍ତି, କିନ୍ତୁ କିଛି ସୁଫଳ ମିଳିପାରିନାହିଁ। ଶେଷରେ ଥକି ଯାଇ ସେ ଅଶ୍ୱତ୍‌ଥ ଗଛରେ ଚଢ଼ିଯାଇଥିଲେ। ଏଥିରେ ଆଶା ଥିଲା କି, ହୁଏତ ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ ଫେରି ଆସିବେ।

ସେପଟେ ଜିଲାପାଳ ରାଧେଶ୍ୟାମ ମିଣା କହିଛନ୍ତି, ଯୁବକଙ୍କ ସ୍ତ୍ରୀ କ’ଣ ପାଇଁ ତାଙ୍କ ପାଖକୁ ଫେରିବାକୁ ଚାହୁଁ ନାହାନ୍ତି, ଏ ପୂରା ମାମଲାରେ ଯୁବକଙ୍କୁ ପଚରାଉଚରା କରାଯାଉଛି। ବର୍ତ୍ତମାନ ପୋଲିସ ତାଙ୍କୁ ଅଟକ ରଖିଛି, ଯେପରି କୌଣସି ପ୍ରକାର ହରକତ ସେ ଆଉ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.