Below header

ମନା କରିବା ସତ୍ତ୍ୱେ ଏକାଦଶୀରେ ଆମିଷ ଆଣି ଖାଇଲା ସ୍ୱାମୀ, ସହି ନ ପାରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲା ସ୍ତ୍ରୀ

ବିହାରର ପଶ୍ଚିମ ଚମ୍ପାରଣ ଜିଲା ବେତିୟାରେ ସ୍ୱାମୀଙ୍କ ପ୍ରତାଡ଼ନାରେ ଅସ୍ତବ୍ୟସ୍ତ ହୋଇ ଜଣେ ନବବିବାହିତା କିରୋସିନ ଢାଳି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ମହିଳା ଜଣକ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ଚିକିତ୍ସାରତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ମାମଲା ବିହାରର ମଝୋଲିୟା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ମୃତ ମହିଳାଙ୍କ ନାଁ ଆରତି ଦେବୀ। ତାଙ୍କ ସ୍ୱାମୀ ରାହୁଲ କୁମାର ଅତ୍ୟଧିକ ଭାବରେ ଆମିଷ ଖାଉଥିଲେ, ଯାହାକୁ ନେଇ ସ୍ତ୍ରୀ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ। ଏହି କାରଣରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା। ସୋମବାର ରାହୁଲ, ଆରତିଙ୍କୁ ଆମିଷ ଖାଦ୍ୟ ତିଆରି କରିବାକୁ କହିଥିଲେ, କିନ୍ତୁ ଏକାଦଶୀ କାରଣରୁ ଆରତି ଏହାକୁ ରାନ୍ଧି ପାରିବେ ନାହିଁ ବୋଲି ସଫା ମନା କରି ଦେଇଥିଲେ। ଏହି କଥାକୁ ନେଇ ଦୁଇଜଣଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। କୁହାଯାଉଛି କି, ଏଥିରେ ଅସନ୍ତୁଷ୍ଟ ହୋଇ ଆରତି ଦେବୀ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ଖବର ମୁତାବକ, ଏହି ଘଟଣାରେ ଆରତି ପାଖାପାଖି ୯୦ ପ୍ରତିଶତ ଜଳି ଯାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ସେ ଆଖି ବୁଜିଥିଲେ। ଏ ନେଇ ମୃତାଙ୍କ ବାପା ପହାଡ଼ପୁର ଥାନା ଅନ୍ତର୍ଗତ ମନକରରିୟା ଗାଁ ନିବାସୀ ନଗେନ୍ଦ୍ର ସିଂ ପୋଲିସରେ ଅଭିଯୋଗ କରିଛନ୍ତି। ଜ୍ୱାଇଁ ରାହୁଲ କୁମାର ତାଙ୍କ ଝିଅକୁ ପୋଡ଼ି ମାରି ଦେଇଥିବା ନଗେନ୍ଦ୍ର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମଝୋଲିୟା ଥାନା ଇନ୍ସପେକ୍ଟର ଅଶୋକ କୁମାର କହିଛନ୍ତି କି, ମୃତା ମହିଳା ଶାକାହାରୀ ଥିଲେ। ତାଙ୍କର ରାହୁଲ କୁମାରଙ୍କ ସହିତ ୮ ମାସ ପୂର୍ବେ ବିବାହ ହୋଇଥିଲା। ୧୫ ନଭେମ୍ବର ଏକାଦଶୀ ଦିନ ତାଙ୍କ ସ୍ୱାମୀ ବଜାରରୁ ମାଂସ କିଣିକି ଆଣିଥିଲେ। କିନ୍ତୁ ଏକାଦଶୀ ଥିବାରୁ ମହିଳା ଜଣକ କୌଣସି ମତେ ଆମିଷ ରାନ୍ଧି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ତାଙ୍କ ସ୍ୱାମୀ ଘର ବାହାରେ ନିଜେ ଆମିଷ ରାନ୍ଧିଥିଲେ ଏବଂ ତାହାକୁ ଖାଇଥିଲେ। ଏହାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଲାଗିଥିଲା, ଯାହା ପରେ ମହିଳା ଏ ସବୁ ସହି ନ ପାରି ନିଜ ଦେହରେ କିରୋସିନ ଢାଳି ନିଆଁ ଲାଗି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.