ଇମ୍ରାନ ଖାନଙ୍କୁ ମିଳିବ କି ମୃତ୍ୟୁଦଣ୍ଡ ? ପାକିସ୍ତାନୀ ମିଲିଟାରୀ କୋର୍ଟରେ ଚାଲିଛି ମାମଲା

ବର୍ତ୍ତମାନ ରାୱଲପିଣ୍ଡିର ଅଡିୟାଲା ଜେଲରେ ଥିବା ଇମ୍ରାନ ଖାନଙ୍କ ଭବିଷ୍ୟତ ଅନ୍ଧାରରେ ନଜରରେ ଆସୁଛି । ତାଙ୍କୁ ପାକିସ୍ତାନର ରାଜନୈତିକ ମହଲରେ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।

ଫେବୃଆରୀ ୮ ରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିର୍ବାଚନରେ ଲଢ଼ିବେ ନାହିଁ । କାରଣ ସେ ବର୍ତ୍ତମାନ ଜେଲରେ ଅଛନ୍ତି । ବର୍ତ୍ତମାନ ରାୱଲପିଣ୍ଡିର ଅଡିୟାଲା ଜେଲରେ ଥିବା ଇମ୍ରାନ ଖାନଙ୍କ ଭବିଷ୍ୟତ ଅନ୍ଧାରରେ ନଜରରେ ଆସୁଛି । ତାଙ୍କୁ ପାକିସ୍ତାନର ରାଜନୈତିକ ମହଲରେ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।

ଇମ୍ରାନ ଖାନଙ୍କ ବିରୋଧରେ ଅତିକମରେ ୧୫୦ଟି ମାମଲା ବିଚାରାଧୀନ ଅଛି । ମେ ୨୦୨୩ର ମାମଲା ସବୁଠାରୁ ଗମ୍ଭୀର । ଯେତେବେଳେ ଅଲ କାଦରୀ ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ତାଙ୍କ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସରକାରୀ ବିଲ୍ଡିଂ ଏବଂ ଅଫିସ୍‌ ଗୁଡ଼ିକରେ ନିଆଁ ଲଗାଇଥିଲେ ଇମ୍ରାନଙ୍କ ସମର୍ଥକ । ସେମାନେ ପାକିସ୍ତାନୀ ସେନା ବେସ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ରାୱଲପିଣ୍ଡିରେ ହେଡ କ୍ୱାର୍ଟର ଉପରେ ମଧ୍ୟ ଆକ୍ରମଣ କରିଥିଲେ ।

୯ ମେ ୨୦୨୩ର ଏହି ହିଂସାରେ ଇମ୍ରାନ ଖାନଙ୍କ ସମେତ ୧୦୦ ଜଣଙ୍କୁ ଅଭିଯୁକ୍ତ କରାଯାଇଛି ଏବଂ ଆତଙ୍କବାଦ ଠାରୁ ଆରମ୍ଭ କରି ବିଭିନ୍ନ ଧାରାରେ ସେମାନଙ୍କ ବିରୋଧରେ ମାମଲା ଚାଲିଛି । ପାକିସ୍ତାନ ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଇବା ଏବଂ ଯୁଦ୍ଧ କରିବା ଭଳି ଧାରାକୁ ନେଇ ଇମ୍ରାନ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପାକିସ୍ତାନୀ ଆର୍ମି ଆକ୍ଟର ସେକ୍ସନ ୫୯ ଅନୁସାରେ ଯଦି କୌଣସି ବ୍ୟକ୍ତି ପାକିସ୍ତାନ ବିରୁଦ୍ଧରେ ଅସ୍ତ୍ର ଉଠାନ୍ତି କିମ୍ବା ପାକିସ୍ତାନୀ ସେନା କିମ୍ବା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ ।

ମେ ୯ ରେ ହୋଇଥିବା ମାମଲା ପାକିସ୍ତାନୀ ମିଲିଟାରୀ କୋର୍ଟରେ ଚାଲିଛି । ମିଲିଟାରୀ କୋର୍ଟରେ ଶୁଣାଣି ସମୟରେ ଅନେକ ପ୍ରତ୍ୟକ୍ଷଦର୍ଶୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ସାକ୍ଷୀ ଦେଇ ତାଙ୍କୁ ହିଂସାର ମାଷ୍ଟରମାଇଣ୍ଡ ବୋଲି କହିଥିଲେ । କିନ୍ତୁ ପାକିସ୍ତାନର ସୁପ୍ରିମକୋର୍ଟ ମିଲିଟାରୀ କୋର୍ଟକୁ ଏହି ମାମଲାର ରାୟ ଦେବାକୁ ବାରଣ କରିଛନ୍ତି । ତେବେ ଏହି ନିଷ୍ପତ୍ତି ଶୀଘ୍ର ଆସିବ ବୋଲି ସୂଚନା ରହିଛି । ଯଦି ମିଲିଟାରୀ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ ।

ଇମ୍ରାନ ଖାନ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଏବଂ ଦାବି କରିଛନ୍ତି ଯେ ମେ ୯ ରେ ହୋଇଥିବା ହିଂସା ତାଙ୍କ ଦଳ ଏବଂ ତାଙ୍କୁ ହଟାଇବା ପାଇଁ ଏକ ଷଡ଼ଯନ୍ତ୍ର । ଇମ୍ରାନ ଖାନଙ୍କୁ ମୋଟ ୩ ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ତାଙ୍କୁ ଦଣ୍ଡିତ ମଧ୍ୟ କରାଯାଇଛି । ପ୍ରଥମ ମାମଲା ହେଉଛି ତୋସଖାନା ମାମଲା ଯେଉଁଥିରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆସନ୍ତା ୧୦ ବର୍ଷ ପାଇଁ ଇମ୍ରାନ ଏବଂ ବୁଶରା କୌଣସି ସାର୍ବଜନିକ ପଦରେ ରହି ପାରିବେନି ଏବଂ ସେମାନଙ୍କ ଉପରେ ପ୍ରାୟ ୧,୫୭୪ ମିଲିୟନ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି ।

ଦ୍ୱିତୀୟ ମାମଲା ହେଉଛି ସାଇବର କେସ୍‌ । ଯେଉଁଥିରେ ଇମ୍ରାନ ଖାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦିଆଯାଇଛି । ଏବଂ ତୃତୀୟ ମାମଲାରେ ଇମ୍ରାନଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ୭ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.