ମେଟ୍ରୋ ଡୋରରେ ଶାଢ଼ୀ ଫସିବାରୁ ମହିଳାଙ୍କ ମୃତ୍ୟୁ , ଘଟଣାର ଚାଲିଛି ତଦନ୍ତ

ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଉକ୍ତ ମହିଳାଙ୍କ ଶାଢ଼ୀ ଟ୍ରେନରେ ଫସି ଯାଇଥିଲା ଆଉ ଚାହୁଁ ଚାହୁଁ ଟ୍ରେନର ସ୍ପିଡ ଏତେ ବଢ଼ି ଯାଇଥିଲା ଯେ ଟ୍ରେନ୍‌ ସହ ମହିଳା ବି ଟାଣି ହୋଇ ଯାଇଥିଲେ । ଟ୍ରେନର ଗତିରେ ମହିଳା ଜଣଙ୍କ ବହୁ ଦୂରକୁ ଘୋଷାଡ଼ି ହୋଇଥିଲେ । ପରେ ପ୍ଲାଟଫର୍ମରୁ ଘୋଷାଡ଼ି ହୋଇ ଟ୍ରାକ ତଳେ ପଡ଼ିଥିଲେ ମହିଳା ।

ଦିଲ୍ଲୀ ମେଟ୍ରୋ ଡୋରରେ ଜଣେ ମହିଳାଙ୍କ ଶାଢ଼ୀ ଫସିଯିବାରୁ ସେ ଅନେକ ଦୂର ପର୍ଯ୍ୟନ୍ତ ଟାଣି ହୋଇ ଯାଇଥିଲେ । ଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଡିସେମ୍ବର ୧୪ରେ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ମହିଳାଙ୍କ ପ୍ରାଣ ଯାଇଛି । ମୃତ ମହିଳା ଜଣଙ୍କ ତାଙ୍କ ପୁଅ ସହ ନାଙ୍ଗଲୋଇରୁ ମୋହନ ନଗରକୁ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣା ପଡ଼ିଛି । ପ୍ରଥମିକ ତଦନ୍ତରୁ ଜଣାପଡିଛି ଯେ ମେଟ୍ରୋ ଡୋର ସେନ୍ସର ମହିଳାଙ୍କ ଶାଢ଼ୀ ଫସି ରହିଥିବା ଜାଣିବାରେ ବିଫଳ ହୋଇଥିଲା, ଫଳରେ ଏଭଳି ଦୁର୍ଘଟଣା ଘଟିଯାଇଛି ।

ଗୁରୁବାର ଦ୍ୱିପ୍ରହର ପ୍ରାୟ ୧ ଟା ସମୟରେ ଏହି ଘଟଣା ଘଟିଥିଲା । ଗୁରୁବାର ଅପରାହ୍ନ ବେଳେ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଉକ୍ତ ମହିଳାଙ୍କ ଶାଢ଼ୀ ଟ୍ରେନରେ ଫସି ଯାଇଥିଲା ଆଉ ଚାହୁଁ ଚାହୁଁ ଟ୍ରେନର ସ୍ପିଡ ଏତେ ବଢ଼ି ଯାଇଥିଲା ଯେ ଟ୍ରେନ୍‌ ସହ ମହିଳା ବି ଟାଣି ହୋଇ ଯାଇଥିଲେ । ଟ୍ରେନର ଗତିରେ ମହିଳା ଜଣଙ୍କ ବହୁ ଦୂରକୁ ଘୋଷାଡ଼ି ହୋଇଥିଲେ । ପରେ ପ୍ଲାଟଫର୍ମରୁ ଘୋଷାଡ଼ି ହୋଇ ଟ୍ରାକ ତଳେ ପଡ଼ିଥିଲେ ମହିଳା । ଏ ଭୟଙ୍କର ଦୃଶ୍ୟ ଦେଖିବା ପରେ ପ୍ଲାଟଫର୍ମରେ ଉପସ୍ଥିତ ଥିବା ଯାତ୍ରୀମାନେ ଚିଲ୍ଲାଇବାକୁ ଲାଗିଥିଲେ । କିନ୍ତୁ ମେଟ୍ରୋ ଟ୍ରେନଟି ଅଟକି ନଥିଲା । ପ୍ଲାଟଫର୍ମ ଶେଷରେ ଥିବା ଏକ ଫାଟକରେ ଧକ୍କା ହେବା ପରେ ମହିଳା ଜଣଙ୍କ ଟ୍ରାକରେ ପଡ଼ିଯାଇଥିଲେ । ଏହି କାରଣରୁ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇ ନ୍ୟୁରୋ ସର୍ଜରୀ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ମୃତ ମହିଳା ଜଣଙ୍କ ୩୫ ବର୍ଷୀୟ ରୀନା ବୋଲି ଜଣାପଡିଛି। ରୀନା ଦିଲ୍ଲୀର ନାଗଲୋଇରେ ତାଙ୍କର ଦୁଇଟି ଛୋଟ ପିଲାଙ୍କ ସହ ରହୁଥିଲେ । ତାଙ୍କ ସ୍ୱାମୀ ରବି ବହୁ ବର୍ଷ ପୂର୍ବେ ବ୍ରେନ ଟ୍ୟୁମରରେ ମୃତ୍ୟୁ ବରଣ କରିଥିଲେ । ନିଜ ପିଲାମାନଙ୍କ ମୁହଁରେ ଦାନା ମୁଠେ ଯୋଗାଇବା ପାଇଁ ସେ ପନିପରିବା ବିକ୍ରି କରି ଚଳୁଥିଲେ । କିନ୍ତୁ ଏବେ ମହିଳାଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଛନ୍ତି ଦୁଇ ପିଲା ।

ମିଳିଥିବା ସୂଚନା ଅନୁସାରେ ମହିଳା ଟ୍ରେନରେ ଚଢ଼ି ଯାଇଥିଲେ କିନ୍ତୁ ପ୍ଲାଟଫର୍ମରେ ତାଙ୍କ ପିଲାଟି ରହି ଯାଇଥିବାରୁ ସେ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ଠିକ ଏହି ସମୟରେ ତାଙ୍କ ଶାଢ଼ୀ ଟ୍ରେନରେ ଫସି ଯାଇଥିଲା ଏବଂ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ଦିଲ୍ଳୀ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଏହି ଘଟଣାକୁ ନେଇ କୌଣସି ମାମଲା ଦାୟର କରାଯାଇ ନାହିଁ । ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଦିଲ୍ଳୀ ପୋଲିସ ଅଧିକାରୀ । ସମ୍ପୃକ୍ତ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.