ଯାହାକୁ ବୋହୂ କରିବାକୁ ଯାଉଥିଲେ ଜଣାପଡ଼ିଲା ସେ ହିଁ ନିଜ ଝିଅ, ତା’ପରେ ବି ଅଟକିଲାନି ବିବାହ; ଜାଣନ୍ତୁ କାହିଁକି

ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଅଗ୍ନିକୁ ସାକ୍ଷୀ କରି ଦୁଇଟି ଅଜଣା ମଣିଷ ଜନ୍ମଜନ୍ମାନ୍ତର ପାଇଁ ପରସ୍ପରର ହାତ ଧରିଥାନ୍ତି। କିନ୍ତୁ ଚୀନ୍‌ରେ ଏକ ବିବାହ ବେଳେ କିଛି ଏମିତି ଘଟିଲା ଯାହା ଦେଖି ଅତିଥିଙ୍କ ସମେତ ବରକନ୍ୟା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବିବାହର ଗୋଟିଏ ଦିନ ପୂର୍ବରୁ ଜଣାପଡ଼ିଥିଲା ଯେ ବର କନ୍ୟା ହେଉଛନ୍ତି ଭାଇଭଉଣୀ।

ରିପୋର୍ଟ ମୁତାବକ, ଚୀନ୍‌ର ଜିଆନ୍‌ଗ୍ୟୁସ୍‌ ପ୍ରାନ୍ତର ସୋଝୋଓ ଅଞ୍ଚଳରେ ୩୧ ମାର୍ଚ୍ଚରେ ଏକ ବିବାହ ହୋଇଥିଲା। ବିବାହର ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ସେହି ସମୟରେ କନ୍ୟାର ହାତ ଧରି ପୁଅର ମା’ କାନ୍ଦିବାକୁ ଲାଗିଥିଲେ। ଏହାର କାରଣ ପଚାରିବାରୁ ସେ କହିଥିଲେ ଯେ ଏହି କନ୍ୟା ହେଉଛି ତାଙ୍କ ନିଜ ଝିଅ।

ଏ ନେଇ ସୂଚନା ଦେବା ଅବସରରେ ବରର ମା’ କହିଥିଲେ ଯେ ସେ ଝିଅର ହାତରେ ଏକ ଦାଗ ଦେଖିଥିଲେ। ତା’ ପରେ ତା’ ମା-ବାପାଙ୍କ ବିଷୟରେ ପଚାରିଥିଲେ। ସେତେବେଳେ ଝିଅର ମା’ ବାପା କହିଥିଲେ, କନ୍ୟା ତାଙ୍କ ନିଜ ଝିଅ ନୁହେଁ ବରଂ ତାକୁ ସେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଓ ୨୦ ବର୍ଷ ତଳେ ସେ ଏହି ଝିଅକୁ ରାସ୍ତା କଡ଼ରୁ ପାଇଥିଲେ। ତା’ପରେ ବରର ମା’ କହିଥିଲେ, ଉକ୍ତ କୁନି ଝିଅଟି ତାଙ୍କ ନିଜ ଝିଅ ଥିଲା। ସେ ପିଲା ବେଳେ ହଜିଯାଇଥିଲା।

କିନ୍ତୁ ଏତେ ସବୁ ପରେ ବି ବାହାଘର ଅଟକିନଥିଲା। କାରଣ ବରର ମା’ କହିଥିଲେ ତାଙ୍କ ଝିଅ ହଜିଯିବା ପରେ ସେ ଏହି ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେ ବି ତାଙ୍କ ନିଜ ପୁଅ ନୁହେଁ। ଏହା ପରେ ଉଭୟ ପରିବାରର ସହମତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଚୀନ୍‌ ମିଡିଆରେ ଏହି ଖବର ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.