ଯନ୍ତ୍ରଣାରେ ଛଟପଟ ହେଉଥିଲେ ୨୦ରୁ ଊର୍ଦ୍ଧ୍ୱ ମହିଳା, ହେଲେ ଶୁଣିଲେନି ଡାକ୍ତର…; ବେହୋସ୍‌ ଇଞ୍ଜେକ୍ସନ ନ ଦେଇ କରିଦେଲେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର

ବିହାରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାମଲା ଖଗଡ଼ିଆ ଜିଲ୍ଲାର, ଯେଉଁଠି ଡାକ୍ତରମାନଙ୍କ ଦାୟିତ୍ୱହୀନତାର ଚିତ୍ର ଦେଖିବାକୁ ମିଳିଛି। ଘଟଣା ବିଷୟରେ ଜାଣିଲେ ଯିଏ କିଏ ବି ଆଶ୍ଚର୍ଯ୍ୟ ହୋଇଯିବ। ଖବରରୁ ଜଣାପଡ଼ିଛି, ଖଗଡ଼ିଆ ଜିଲ୍ଲାରେ କିଛି ମହିଳା ବନ୍ଧ୍ୟାକରଣ ପାଇଁ ଡାକ୍ତରଖାନା ପହଞ୍ଚିଥିଲେ, କିନ୍ତୁ ସେଠି ଡାକ୍ତର ସେମାନଙ୍କୁ ବେହୋସ୍‌ ନ କରି ବନ୍ଧ୍ୟାକରଣ ଅପରେସନ କରି ଦେଇଥିଲେ। ଏହି ସମୟରେ ମହିଳାମାନେ ଜୋର୍‌ରେ ଚିଲ୍ଲାଉଥିବାର ଦେଖାଯାଇଥିଲେ। ନ ସେମାନଙ୍କୁ ବେହୋସ୍‌ କରାଯାଇଥିଲା ନା ଯନ୍ତ୍ରଣା ହ୍ରାସ ପାଇଁ କୌଣସି ଔଷଧ ଦିଆଯାଇଥିଲା।

ଖଗଡ଼ିଆ ଜିଲ୍ଲାର ଅଲୌଲି ବ୍ଲକର ପିଏଚ୍‌ସିରୁ ଏହି ଘଟଣା ସାମ୍ନାକୁ ଆସିଛି। ଏଠାକାର ଡାକ୍ତରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ବନ୍ଧ୍ୟାକରଣ ପାଇଁ ପହଞ୍ଚିଥିବା ମହିଳାମାନଙ୍କ ଅଭିଯୋଗ ହେଲା ଯେ ସେମାନଙ୍କୁ ବେହୋସ୍‌ ନ କରି ଅପରେସନ କରି ଦିଆଯାଇଥିଲା। କଟାଯିବା ବେଳେ ଅନେକ ମହିଳା ଯନ୍ତ୍ରଣାରେ ଛଟପଟ ହୋଇଥିଲେ, କିନ୍ତୁ ଡାକ୍ତରମାନେ ଦାୟିତ୍ୱହୀନତାର ସବୁ ସୀମା ପାର୍‌ କରି କାଟି ଚାଲିଥିଲେ।

ବନ୍ଧ୍ୟାକରଣ ଅପରେସନ କରାଇବାକୁ ଆସିଥିବା ଜଣେ ମହିଳାଙ୍କ କହିବା ହେଲା, ଯେତେବେଳେ ଡାକ୍ତରଙ୍କୁ ପଚରାଯାଇଥିଲା କି, ବିନା ଇଞ୍ଜେକ୍ସନରେ କାହିଁକି ଅପରେସନ କରାଯାଉଛି, ତ ସେ କହିଥିଲେ ଯେ ଅପରେସନ ପରେ ହିଁ ଇଞ୍ଜେକ୍ସନ ଦିଆଯିବ। ଏହାପରେ ଆମେମାନେ ଯନ୍ତ୍ରଣାରେ ଜୋର୍‌ରେ ଚିଲ୍ଲାଇବାକୁ ଲାଗିଥିଲୁ। ସେହି ସମୟରେ ଆମ ହାତଗୋଡ଼ ବାନ୍ଧି ଅପରେସନ କରି ଦିଆଯାଇଥିଲା।

କହି ରଖୁଛୁ, ଖବର ମୁତାବକ, ଡାକ୍ତରଖାନାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରକୁ ନେଇ ସ୍ୱତନ୍ତ୍ର ଶିବିର ଖୋଲାଯାଇଥିଲା, ଯେଉଁଥିରେ ୨୩ ଜଣ ମହିଳା ଯୋଗଦେଇଥିଲେ। କିନ୍ତୁ ସେମାନଙ୍କୁ ବେହୋସ୍‌ ଇଞ୍ଜେକ୍ସନ ଦିଆ ନ ଯାଇ ସିଧା ଅପରେସନ କରାଯାଇଥିଲା।

ସେପଟେ ଏହି ପୂରା ଘଟଣା ବିଷୟରେ ଜାଣିବା ପରେ ଖଗଡ଼ିଆର ସିଭିଲ୍‌ ସର୍ଜନ ଡା. ଅମରନାଥ ଝା କହିଛନ୍ତି, ଯେତେବେଳେ ତାଙ୍କୁ ଏ ନେଇ ସୂଚନା ମିଳିଥିଲା, ତ ସେ ଏହି ମାମଲାରେ ପିଏଚ୍‌ସି ପ୍ରଭାରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ତାଙ୍କ କହିବା ହେଲା, ଯଦି ଏମିତି ଘଟଣା ଘଟିଛି, ତା’ ହେଲେ ଯାଞ୍ଚ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.