ଆମେ ଅସ୍ତ୍ର ଛାଡିବୁ ନାହିଁ କିମ୍ବା ହାରିବୁ ନାହିଁ, ଶେଷ ପର୍ଯ୍ୟନ୍ତ ଲଢିବୁ : ଜେଲେନସ୍କି

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧର ଆଜି ୧୪ ଦିନ। ୟୁକ୍ରେନ୍‌ର ପ୍ରମୁଖ ସହର ଉପରେ ଆକ୍ରମଣ କରୁଛି ଋଷ୍‌ । ଋଷ୍‌ ଆକ୍ରମଣରେ ୟୁକ୍ରେନର ୬୧ଟି ହସପିଟାଲ ଧ୍ୱସଂ ହୋଇଛି । ମାଟିରେ ମିଶିଛି ବଡ ବଡ ମେଡିକାଲ । ଫଳରେ ରୋଗୀ ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ନେଇ ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମେଡିକାଲ କୋଠା କ୍ଷତିଗ୍ରସ୍ତ ସହ ଉପକରଣ ନଷ୍ଟ ହୋଇଛି । ଡୋନବାସ ଅଞ୍ଚଳରେ ଉଭୟ ସେନା ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ମିସାଇଲ ମାଡ଼ରେ ଛାରଖାର ହୋଇଛି ବଡ଼ ବଡ଼ ସହର। ୟୁକ୍ରେନ୍‌ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି।

ଅନ୍ଯପଟେ ଜଳ , ସ୍ଥଳ, ଆକାଶରେ ଲଢିବ ୟୁକ୍ରେନ। ବ୍ରିଟେନ ସଂସଦର ହାଉସ ଅଫ୍‌ କମନ୍ସକୁ ଜେଲେନସ୍କିଙ୍କ ସମ୍ବୋଧନ। ଭିଡ଼ିଓ କନଫରେନ୍ସିରେ ସମ୍ବୋଧନ କରି ସେ କହିଛନ୍ତି, ଋଷ ବିରୋଧରେ ୟୁକ୍ରେନ ସେନା ଜଳ, ସ୍ଥଳ, ଆକାଶ, ଜଙ୍ଗଲ, ଜମି, ବେଳାଭୂମି ଓ ସହରର ପ୍ରତିଟି ଗଳିକନ୍ଦିରେ ଲଢିବେ। ଆମେ ଅସ୍ତ୍ର ଛାଡିବୁ ନାହିଁ କିମ୍ବା ହାରିବୁ ନାହିଁ। ଶେଷ ପର୍ଯ୍ୟନ୍ତ ଆମେ ଲଢିବୁ। ଆମେ ଚାହୁଁନଥିବା କିମ୍ବା ଆମେ ଆରମ୍ଭ କରିନଥିବା ଏକ ଯୁଦ୍ଧ ଲଢିବାକୁ ପଡୁଛି। ତଥାପି ଯେ କୌଣସି ମୂଲ୍ୟ ଦେଇ ଆମେ ଲଢିବାକୁ ପ୍ରସ୍ତୁତ ଅଛୁ। ତାଙ୍କର ଭାଷଣ ଶୁଣିବା ପରେ ହାଉସ୍‌ର ସବୁ ସଦସ୍ୟ ଠିଆ ହୋଇ ତାଳି ମାରିଥିଲେ। ଏହା ସହ ୟୁକ୍ରେନର ଯୁଦ୍ଧକୁ ନାଜି ଜର୍ମାନୀ ବିରୋଧରେ ବ୍ରିଟେନ ଲଢିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସହ ତୁଳନା କରିଛନ୍ତି ଜେଲେନସ୍କି।