ପେଟକୁ ଥଣ୍ଡା ରଖିବା ସହ ଅନେକ ରୋଗରୁ ଦେଇଥାଏ ମୁକ୍ତି ବେଲପଣା

ବେଲ ହେଉଛି ଓଡିଆ ମାନଙ୍କର ଏକ ପ୍ରିୟ ଫଳ। ଏହାର ଗଛଠାରୁ ଆରମ୍ଭ କରି ପତ୍ର,ଫଳ ବିଶେଷ ଉପକାରୀ । ବେଲକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିବା ସହ ଏଥିରୁ ଔଷଧ ମଧ୍ୟ ତିଆରି କରାଯାଇଥାଏ । ଏହାକୁ ବିଶେଷକରି ପଣା ତିଆରି କରିବାରେ ବେଶୀ ବ୍ୟବହାର କରାଯାଇଥାଏ । ବେଲରେ ପ୍ରୋଟିନ, ବିଟାକାରୋଟିନ, ଥାୟମିନ, ରାଇବୋପ୍ଲୋବିନ ଓ ଭିଟାମିନ ସି ବହୁଳ ମାତ୍ରାରେ ଥାଏ।

ବିଶେଷ କରି ଖରା ଦିନ ବେଲ ପଣା ପେଟକୁ ଥଣ୍ଡା ରଖିବାରେ ବେଶ ସହାୟକ ହୋଇଥାଏ । ବେଲ ପଣା କେବଳ ପାଟିକୁ ଥଣ୍ଡା ରଖେ ତାହା ନୁହେଁ ଏହା ଆମକୁ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ତେଣୁ କରି ସପ୍ତାହରେ ୨-୩ଥର ବେଲପଣା ପିଇଲେ ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ଉଚ୍ଚ ରକ୍ତଚାପରୁ ମଧ୍ୟ ଦୂରେଇ ରଖେ। କ୍ଷୁଦ୍ରାନ୍ତରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଏହା ଦୂର କରେ। ଏହା ଏସିଡିଟିରୁ ମୁକ୍ତି ଦେଇଥାଏ। ନିୟମିତ ବେଲପଣା ପିଇଲେ ଅର୍ଶ, ଭଗନ୍ଦର(ପିଷ୍ଟୁଲା), ଫିସର୍‌ ଆଦି ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା ବେଲରସ ପିଇବାଦ୍ୱାରା ଆମକୁ କ’ଣ କ’ଣ ଫାଇଦା ମିଳିଥାଏ ।

୧. ବେଲରୁ ରସକୁ ବାହାର କରି ଏଥିରେ କିଛି ବୁନ୍ଦା ଘିଅ ମିଶାଇ ପ୍ରତିଦିନ ପିଇବାଦ୍ୱାରା ଏହା ହାର୍ଟ ରୋଗଠାରୁ ଦୂରେଇ ରଖିବା ସହ ସୁଗାରକୁ ମଧ୍ୟ ନିୟନ୍ତ୍ରିତ ରଖେ ।
୨. ନିୟମିତ ବେଲପଣା ପିଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୁରେଇ ରୁହେ ।
୩. ବେଲରସ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ ।
୪. ଆୟୁର୍ବେଦ ପାଠରେ ବେଲରସ ଡାଇରିଆ ପାଇଁ ବହୁତ ଲାଭଦାୟକ ହୋଇଥାଏ ବୋଲି ଉଲ୍ଲେଖ ରହିଛି ।
୫. ବେଲରସରେ ମହୁ ମିଶାଇ ପିଇଲେ ଏସିଡିଟିରୁ ମୁକ୍ତି ମିଳିଥାଏ । ଗରମରୁ ରକ୍ଷା ପାଇବା ପାଇଁ ମଧ୍ୟ ବେଲରସ ଏକ ସହଜ ଉପାୟ ।
୬. ପ୍ରଥମ କରି ମାତୃତ୍ୱ ଧାରଣ କରିଥିବା ମା’ଙ୍କ ପାଇଁ ମଧ୍ୟ ଏହା ବିଶେଷ ଲାଭକାରୀ ହୋଇଥାଏ, ଏହା ମା’ର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
୭. ନିୟମିତ ଭାବେ ବେଲରସ ପିଇବାଦ୍ୱାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା କମ୍ ରହିଥାଏ ।
୮. ବେଲରସରେ ଅଳ୍ପ ଉଷୁମ ପାଣି ଓ ମହୁ ମିଶାଇ ପିଇଲେ ରକ୍ତ ସଫା ହୋଇଥାଏ ।