ଅଜ୍ଞାତ ସ୍ଥାନରେ ଲୁଚିଛନ୍ତି ଜେଲେନସ୍କି! ଯୋଗାଯୋଗ ପାଇଁ ଆମେରିକା ପଠାଇଲା ସ୍ୱତନ୍ତ୍ର ମୋବାଇଲ୍…; ଜାଣନ୍ତୁ କେମିତି ଚାଲିଛି ବାର୍ତ୍ତାଳାପ

ଗତ ୧୨ ଦିନ ହେବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷ ଦାବି କରିଛି କି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କୌଣସି ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି। ତାଙ୍କୁ ବଞ୍ଚାଇବା ପାଇଁ ଆମେରିକାର ନ୍ୟାଭି ସିଲ୍ ଏବଂ ବ୍ରିଟିଶ୍ SAS କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଏମିତି ବି ଖବର ରହିଛି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜେଲେନସ୍କିଙ୍କ ପାଖକୁ ଏପରି ଜିନିଷ ପଠାଇଛନ୍ତି, ଯଦ୍ଦ୍ଵାରା ସେ ଲଗାତାର ଯୋଗାଯୋଗରେ ରହି ପାରିବେ। କେବଳ ଏତିକି ନୁହେଁ, ବାଇଡେନ୍ ଏମିତି ବି ବ୍ୟବସ୍ଥା କରିଛନ୍ତି, ଯଦ୍ଦ୍ଵାରା ଜେଲେନସ୍କି ଶର୍ଟ ନୋଟିସରେ ମଧ୍ୟ ତାଙ୍କ ନିକଟରେ ସିଧାସଳଖ ପହଞ୍ଚି ପାରିବେ।

ରିପୋର୍ଟ ମୁତାବକ, ଆମେରିକା NATO ଆଇଟି ଆସେଟ ଲାପ୍ଟପ ଜେଲେନସ୍କିଙ୍କୁ ପଠାଇଛି, ଯାହା ମାଧ୍ୟମରେ ୟୁକ୍ରେନର ଯୋଗାଯୋଗ ନାଟୋ ଦେଶଗୁଡ଼ିକ ସହ ଲଗାତାର ହୋଇ ପାରିବ। କେବଳ ଏତିକି ନୁହେଁ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଖରେ ମୋବାଇଲ୍ ଏନ୍‌କ୍ରିପ୍ଟେଡ୍ ସଞ୍ଚାର ଉପକରଣ ରହିଛି, ଯାହା ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ସହିତ ରହିଥାଏ। ଜେଲେନସ୍କି ଏହି ମୋବାଇଲ ଯୋଗେ 24 X 7 ଅର୍ଥାତ୍ କୌଣସି ବି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ କଥାବାର୍ତ୍ତା କରି ପାରିବେ। ରିପୋର୍ଟ ମୁତାବକ, ଜେଲେନସ୍କି ଗତ ଶନିବାର ବାଇଡେନ୍‌ଙ୍କ ସହ ୩୫ ମିନିଟର କଲ୍ ପାଇଁ ଏହି ଉପକରଣ ବ୍ୟବହାର କରିଥିଲେ।

ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୋମବାର ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ‘ମୁଁ ଏହି ଯୁଦ୍ଧ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବାକୁ ପ୍ରତିଜ୍ଞା ନେଇଛି। ୟୁକ୍ରେନ କିଛି ଭୁଲିବ ନାହିଁ’। ଜେଲେନସ୍କି ସମ୍ବୋଧନରେ କହିଛନ୍ତି ଯେ ‘ଏହା ହତ୍ୟା, ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ହତ୍ୟା। କାହିଁକି ନା, ରୁଷ ଆହୁରି ଗୁଳିବର୍ଷା କରିବାକୁ ଚେତାବନୀ ଦେଇଛି’।