୨ଦିନରେ ୨ଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ୨ସହକାରୀ ଯନ୍ତ୍ରୀଙ୍କୁ ସିଏମସି କଲା ନିଲମ୍ବିତ

କଟକ କେଶରପୁରରେ ବକ୍ସ ଡ୍ରେନ ନାଳରେ ପଡ଼ି ନାବାଳିକାଙ୍କ ମୃତ୍ୟୁ ଘଟଣାରେ ଆକ୍ସନ। ସିଏମସିର ୨ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ସେପଟେ ଘଟଣାସ୍ଥଳରେ ମେୟର ଓ କମିସନରଙ୍କୁ ଘେରିଛି କଂଗ୍ରେସ। ଖାମଖିଆଲି ମନୋଭାବରୁ ଏହା ଘଟିଥିବା ଅଭିଯୋଗ ଆଣିଛନ୍ତି।

କଟକ(କେନ୍ୟୁଜ୍): କଟକରେ ବକ୍ସ ଡ୍ରେନ ନାଳରେ ପଡ଼ି ନାବାଳିକାଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା। କଟକ ମେୟର ଓ ସିଏମସି କମିସନରଙ୍କୁ ଘେରିଲା କଂଗ୍ରେସ। କଟକ କେଶରପୁର ଠାରେ ନିର୍ମାଣାଧୀନ ବକ୍ସ ଡ୍ରେନରେ ପଡ଼ି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ନାବାଳିକା କଲେଜ ଛାତ୍ରୀ। ଆଜି ଘଟଣାସ୍ଥଳକୁ ମେୟର ସୁବାସ ସିଂ ଓ କମିସନର ନିଖିଲ ପବନ କଲ୍ୟାଣ ଯାଇଥିବା ବେଳେ ତାଙ୍କୁ ଘେରାଉ କରିଥିଲେ କଂଗ୍ରେସ କର୍ମୀ। ମେୟରଙ୍କ ସହ କଥା କଟାକଟି ଓ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। କଟକରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ଗିରିବାଳା ବେହେରା। ଏହା ମନୁଷ୍ୟକୃତ ଓ ଜାଇକା କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ପାଇଁ ଘଟିଥିବା ସେ କହିଛନ୍ତି। ସେପଟେ ୨ଦିନରେ ୨ଜଣଙ୍କ ଜୀବନ ଯିବା ପରେ ସିଏମସି ଚେତା ପଶିଛି। ତିନିଦିନ ମଧ୍ୟରେ କଟକର ନିର୍ମାଣାଧୀନ ପ୍ରକଳ୍ପ ସ୍ଥାନରେ ବ୍ୟାରିକେଡ କରାଯିବ ବୋଲି କହିଛନ୍ତି ମେୟର।

 

ଝିଅକୁ ହରାଇ ଭାଙ୍ଗିପଡ଼ିଛି ପୂରା ପରିବାର। କଟକ ଏସସିବି ମେଡିକାଲରେ ନାବାଳିକାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ପରିବାରକୁ ସହାୟତା ରାଶି ଭାବେ ୧୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମେୟର। ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ଉଭୟ କଂଗ୍ରେସ ନେତା ଓ ସିଏମସି କର୍ତ୍ତୃପକ୍ଷ। ଟ୍ରାଫିକ ଏସିପି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିର୍ମାଣ ବେଳେ ଯାତାୟାତ ପାଇଁ ନେବାକୁ ଥିବା ପଦକ୍ଷେପ ନିଆଯାଇନଥିବା ସେ କହିଛନ୍ତି। ସେପଟେ ଏଭଳି ଘଟଣାର ପୁନରାବୃତ୍ତି ନହେବାକୁ ପଦକ୍ଷେପ ନିଆଯିବ ବୋଲି ସିଏମସି କମିସନର କହିଛନ୍ତି।

ନିର୍ମାଣ ଆଳରେ କଟକରେ ବେପରୁଆ କାମ ୨ଦିନରେ ୨ଜଣଙ୍କ ଜୀବନ ନେଇଛି। ସୋମବାର ତାଳଦଣ୍ଡା କେନାଲରେ କାର ଖସି ଜଣେ ବରିଷ୍ଠ ନାଗରିକ ପ୍ରାଣ ହରାଇଥିଲେ। ଗତକାଲି ଘରକୁ ଫେରୁଥିବା ବେଳେ ଡ୍ରେନ ପାଇପରେ ଚାପି ହୋଇଯାଇ ମୃତ୍ୟୁବରଣ କରିଥିଲେ ନାବାଳିକା। ଏହାକୁ ନେଇ କଟକରେ ବିଭିନ୍ନ ନିର୍ମାଣାଧୀନ ସ୍ଥଳରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି।

 

 

Leave A Reply

Your email address will not be published.