ଖନନ ବେଳେ ମାଟି ତଳୁ ମିଳିଲା ୧,୫୦୦ ମାନବ କଙ୍କାଳ ! ମହାମାରୀରେ ମୃତ୍ୟୁ ପରେ ଏକାଠି ହୋଇଥିଲା ଅନ୍ତିମ ସଂସ୍କାର

ପଶ୍ଚିମ ଜାପାନର ଓସାକା ସହରରେ ଏକ ଖନନ ସମୟରେ ପାଖାପାଖି ୧,୫୦୦ରୁ ଅଧିକ ମାନବ କଙ୍କାଳ ମିଳିଛି, ଯାହାକି ୧୬୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ସହରର ପ୍ରମୁଖ ଅଧିକାରୀମାନେ କହିଛନ୍ତି, ଏକଦା ଏହି ଅଞ୍ଚଳ ମୃତ ଶରୀରକୁ କବର ଦିଆଯିବାର ପ୍ରମୁଖ ସ୍ଥାନ କୁହାଯାଉଥିଲା। ଏହି ସାଇଟ ‘ଉମଦା ମକବରା’ ନାଁରେ ଜଣାଯାଉଥିଲା। ଗବେଷକମାନଙ୍କୁ ଏହି ସାଇଟରୁ ୩୫୦ଟି କବର ମିଳିଛି। ଏହାସହିତ ଜୀବଜନ୍ତୁମାନଙ୍କ ଅବଶେଷ, ଯେଉଁଥିରେ ଘୋଡା, ବିଲେଇ ଆଦି ସାମିଲ ଥିବା ଜଣାପଡିଛି। ଏଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମୟରେ ଅଧିକାରୀମାନେ ଏ ନେଇ ଘୋଷଣା କରିଛନ୍ତି।

6

ଓସାକା ସିଟି କଲଚରାଲ ପ୍ରପୋଟିଜ ଆସୋସିଏସନ ପକ୍ଷରୁ କୁହାଯାଇଛି, ଏଠି ପୋତାଯାଇଥିବା ବ୍ୟକ୍ତିମାନେ ଓସାକାର କ୍ୟାସଲ ସହର ଆଖପାଖର ନିବାସୀ ଥିଲେ। କିଛି ଲୋକ ଦେଖିବାକୁ ପାଇଛନ୍ତି କି, ମୃତ ଲୋକଙ୍କ ହାତ ଓ ଗୋଡ଼ରେ ରୋଗର ଚିହ୍ନ ରହିଛି। ସୂଚନାଦାତାଙ୍କ କହିବା ହେଲା, ଏହି ଲୋକମାନେ କୌଣସି ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିଲେ।

11

ବିଶେଷଜ୍ଞମାନଙ୍କ କହିବା ହେଲା, ମହାମାରୀଜନିତ ମୃତ୍ୟୁ ଯୋଗୁ ମୃତଦେହଗୁଡିକୁ ଏକାଠି ପୋତାଯାଇଥିଲା। ତେବେ ଓସାକା ସିଟି କଲଚରାଲ ପ୍ରପୋଟିଜ ଆସୋସିଏସନର କହିବା ଅନୁଯାୟୀ, ମୃତ ବ୍ୟକ୍ତିମାନେ ପ୍ରାୟତଃ ଯୁବକ, ଯେଉଁମାନେ କି ୧୮୦୦ ଦଶକରେ ମୃତ୍ୟୁବରଣ କରିଥିଲେ। ମିଳିଥିବା ଅବଶେଷରୁ ଜଣାପଡୁଛି, ମହାମାରୀରେ ପ୍ରାଣ ହରାଇଥିବା ଅନେକ ଲୋକଙ୍କୁ ଏଠାରେ ଏକାସାଥିରେ ପୋତି ଦିଆଯାଇଥିଲା। ଏହାଛଡ଼ା ଉକ୍ତ ସ୍ଥାନରୁ ପାଖାପାଖି ୩୫୦ଟି କଳସ ମିଳିଛି। ଏଥିରୁ ଅନୁମାନ କରାଯାଉଛି କି, ମରିଗଲା ପରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା।

12

କେବଳ ଏତିକି ନୁହେଁ, ଖନନ ବେଳେ ମାଟି ତଳୁ ପୁରାତନ କଏନ, ବୌଦ୍ଧ ପ୍ରାର୍ଥନା ମୋତି, ପାନିଆ, କପ ଏବଂ ମାଟି କଣ୍ଢେଇ ଭଳି ଅନେକ ସାମଗ୍ରୀ ମଧ୍ୟ ମିଳିଛି। କୁହାଯାଉଛି, ମୃତ ବ୍ୟକ୍ତିଙ୍କ ସହିତ ଏ ସବୁକୁ ବି ପୋତାଯାଉଥିଲା। ତେବେ ସ୍ଥାନଟି ସେତେବେଳେ ଏକ ବିରାଟ କୃଷି କ୍ଷେତ୍ର ଥିଲା। ଧୀରେ ଧୀରେ ତାହା କବରସ୍ଥାନରେ ପରିଣତ ହୋଇଥିଲା। ଏହି କବରସ୍ଥାନ ସହରର ୭ ପ୍ରମୁଖ କବରସ୍ଥାନ ମଧ୍ୟରୁ ଗୋଟିଏ ଥିଲା। ବୌଦ୍ଧ ପରମ୍ପରା ଅନୁସାରେ, ଖରାଦିନେ ଲୋକେ ନିଜ ନିଜ ପୂର୍ବଜମାନଙ୍କ ପାଇଁ ପ୍ରାର୍ଥନା କରିବା ଲାଗି ଏହି କବରସ୍ଥାନ ପାଖକୁ ଆସୁଥିଲେ। ତେବେ ଓସାକାରେ ଥିବା ୭ କବରସ୍ଥାନ ସହରର କେନ୍ଦ୍ରସ୍ଥଳଠାରୁ ଦୂରରେ ଥିଲା। ୧୯୦୦ ଦଶକରେ କେତେକ କବରସ୍ଥାନ ବନ୍ଦ ହୋଇଗଲା ନଚେତ ସହରର ବିସ୍ତାର ଫଳରେ ବିଲୀନ ହୋଇଗଲା।

Leave A Reply

Your email address will not be published.