୨୦ ବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ କଲେ ବୃଦ୍ଧ ଦମ୍ପତି, ଗାଁ ଲୋକେ ବହନ କଲେ ସବୁ ଖର୍ଚ୍ଚ

ଦୀର୍ଘ ୨୦ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିବା ପରେ ୬୦ ବର୍ଷୀୟ ବ୍ୟକ୍ତି ଓ ୫୫ ବର୍ଷୀୟା ମହିଳା ବିବାହ କରିଛନ୍ତି। ଦମ୍ପତିଙ୍କ ବଡ଼ ପୁଅ ଏହି ବାହାଘରରେ ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି। ଉନ୍ନାବ ଜିଲ୍ଲାର ଗଞ୍ଜ ମୁରାଦାବାଦର ରସୁଲପୁର ରୁରି ଗାଁରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବିବାହର ସବୁ ଖର୍ଚ୍ଚ ଗାଁର ସରପଞ୍ଚ ଓ ଗାଁ ଲୋକେ ବହନ କରିଥିଲେ।

ଗାଁ ଲୋକଙ୍କ କହିବାନୁସାରେ, ୬୦ ବର୍ଷୀୟ ନାରାୟଣ ରୈଦାସ ଓ ୫୫ ବର୍ଷର ରାମରତି ୨୦୦୧ ମସିହାରୁ ଏକାଠି ରହିଆସୁଛନ୍ତି। ତାଙ୍କ ପରିବାରରେ କେହି ନଥିବାରୁ ସେମାନେ ବିବାହ କରିପାରିନାହାନ୍ତି। ଉଭୟେ ଜମିରେ କାମ କରି ପେଟ ପୋଷୁଛନ୍ତି। କିନ୍ତୁ ସେମାନଙ୍କର ଏକ ୧୩ ବର୍ଷୀୟ ପୁଅ ରହିଛି। ତେବେ ବିବାହ ନ କରି ରହିବା କାରଣରୁ ଏହି ବୃଦ୍ଧ ଦମ୍ପତିଙ୍କୁ ଲୋକେ ନା ନା କଥା କହୁଥିଲେ। ଏଣୁ ଗାଁ ସରପଞ୍ଚ ତାଙ୍କୁ ବୁଝାଇଥିଲେ ଓ ବିବାହ ପାଇଁ ରାଜି କରାଇଥିଲେ।

ସରପଞ୍ଚ ଓ ଗ୍ରାମବାସୀ ବାହାଘର ବ୍ୟାଣ୍ଡ ପାର୍ଟିଠାରୁ ଆରମ୍ଭ କରି ଭୋଜି ଭାତ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ନିଜେ ବହନ କରିଥିଲେ। ଦମ୍ପତିଙ୍କ ପୁଅଙ୍କ ନେତୃତ୍ୱରେ ବରଯାତ୍ରୀ ମଣ୍ଡପ ଯାଏଁ ଯାଇଥିଲା। ସେଠାରେ କରୋନା ନିୟମ ପାଳନ କରି ବିବାହ ସମ୍ପନ୍ନ ହୋଇଛି। ଏବେ ନାରାୟଣ ଓ ରାମରତି ସ୍ୱାମୀ ସ୍ତ୍ରୀ ଭାବେ ଗାଁରେ ଚଳିପାରିବେ ବୋଲି ଖୁସି ହୋଇ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.