୨୪ ବର୍ଷ ବୟସରେ ୨୧ ଛୁଆର ମା’! ପିଲା ସମ୍ଭାଳିବା ପାଇଁ ଏମିତି କରିଛନ୍ତି ବ୍ୟବସ୍ଥା, ବର୍ଷକୁ କୋଟିଏ ଉପରକୁ ଖର୍ଚ୍ଚ!

ସାଧାରଣତଃ କୌଣସି ବି ମହିଳାଙ୍କ ପାଇଁ ଏକରୁ ଅଧିକ ଛୁଆ ସମ୍ଭାଳିବା ମୁସ୍କିଲ ହୋଇପଡ଼େ। କିନ୍ତୁ ମୂଳତଃ ରୁଷରେ ରହୁଥିବା ଜଣେ ମହିଳା ଏମିତି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ମହିଳା ଜଣକ ଗୋଟିଏ କି ଦୁଇଟି ନୁହେଁ, ବରଂ ୨୧ ଛୁଆଙ୍କ ମା’ ବନିଛନ୍ତି। ତାଙ୍କ ନାମ କ୍ରିଷ୍ଟିନା ଓଜଟର୍କ। ନିଜର ୨୧ ଛୁଆଙ୍କୁ ସମ୍ଭାଳିବା ପାଇଁ ମହିଳା ଜଣକ ୧୬ଜଣ ନାନୀ ବା ମହିଳାଙ୍କୁ ମଧ୍ୟ ନିଜ ଘରେ ଚାକିରିରେ ରଖିଛନ୍ତି। କ୍ରିଷ୍ଟିନା ହେଉଛନ୍ତି ଜର୍ଜିଆରେ ରହୁଥିବା ଜଣେ କୋଟିପତି ବ୍ୟକ୍ତି ଗ୍ୟାଲିପ୍‌ଙ୍କ ସ୍ତ୍ରୀ। କ୍ରିଷ୍ଟିନାଙ୍କୁ ବର୍ତ୍ତମାନ ବୟସ ମାତ୍ର ୨୪ ବର୍ଷ। ଗ୍ୟାଲିପ୍‌ ଓ କ୍ରିଷ୍ଟିନା ଗତ ବର୍ଷ ମାର୍ଚ୍ଚ ଏବଂ ଚଳିତ ବର୍ଷ ଜୁଲାଇ ମଧ୍ୟରେ ସରୋଗେଟସ୍‌ ଜରିଆରେ ମାଆ, ବାପା ହେବା ପାଇଁ ୧୪୨,୦୦୦ ପାଉଣ୍ଡ ଅର୍ଥାତ୍‌ ୧,୪୬,୭୮,୧୫୬ ଟଙ୍କା ଖର୍ଚ୍ଚ କରିଛନ୍ତି।

ସେହିପରି ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି, କ୍ରିଷ୍ଟିନାଙ୍କ ଘରେ କାମ କରୁଥିବା ୧୬ଜଣ ନାନୀଙ୍କ ଉପରେ ପ୍ରତିବର୍ଷ ଏହି ଦମ୍ପତି ୯୬,୦୦୦ ଡଲାର ଅର୍ଥାତ୍‌ ୭୨,୦୮,୨୬୫ ଟଙ୍କା ଖର୍ଚ୍ଚ କରି ଥାଆନ୍ତି। ସମସ୍ତ ନାନୀ ଦ୍ରୁତ ଗତିରେ ବଢ଼ୁଥିବା ପିଲାମାନଙ୍କର ଦେଖାଶୁଣା ପାଇଁ ୨୪ ଘଣ୍ଟା କାମ କରିଥାଆନ୍ତି। କ୍ରିଷ୍ଟିନାଙ୍କ ସ୍ୱାମୀଙ୍କ ପ୍ରଥମ ପତ୍ନୀଙ୍କଠାରୁ ଦୁଇଟି ଛୁଆଙ୍କୁ ମିଶାଇ ଏହି ପରିବାରରେ ମୋଟ ୨୩ ଜଣ ଛୁଆ ରହୁଛନ୍ତି। କ୍ରିଷ୍ଟିନା କୁହନ୍ତି କି, ମୁଁ ସବୁ ସମୟରେ ପିଲାମାନଙ୍କ ସହିତ ରହୁଛି। ମୁଁ ସବୁକିଛି କରୁଛି, ଯାହାକି ପ୍ରତ୍ୟେକ ମା’ ସାଧାରଣତଃ କରି ଥାଆନ୍ତି।

ମହିଳା କହିଛନ୍ତି, ବାକି ମା’ ଏବଂ ମୋ ଭିତରେ କେବଳ ଭିନ୍ନତା ହେଉଛି ପିଲାମାନଙ୍କର ସଂଖ୍ୟା। ପ୍ରତ୍ୟେକ ଦିନ ଅଲଗା ହୋଇଥାଏ। ଷ୍ଟାଫ୍‌ମାନଙ୍କ ପାଇଁ ଶେଡ୍ୟୁଲ ଯୋଜନା ବନାଇବାଠାରୁ ଆରମ୍ଭ କରି ମୋ ପରିବାର ପାଇଁ ଜିନିଷ କିଣାକିଣି କରିବା ପର୍ଯ୍ୟନ୍ତ ସବୁକିଛି ମୁଁ କରିଥାଏ। କ୍ରିଷ୍ଟିନାଙ୍କ କହିବା ହେଲା, ‘ମୁଁ ଆପଣମାନଙ୍କୁ ଗୋଟିଏ କଥା କହି ପାରିବି କି, ମୋ ଦିନ କେବେ ବି ବୋର୍‌ ଯାଇ ନ ଥାଏ’। ଏପରି କି, କ୍ରିଷ୍ଟିନା ଇନ୍‌ଷ୍ଟାଗ୍ରାମରେ ନିଜର ନିତିଦିନିଆ ଜୀବନ ବିଷୟରେ ମଧ୍ୟ ସୂଚନା ଦେଇ ଚାଲିଥାଆନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ୧୬୦,୦୦୦ ଲୋକ ତାଙ୍କୁ ଫଲୋ କରିଥାଆନ୍ତି।

ସେ ନିଜର ଅଧିକାଂଶ ଭିଡିଓରେ ପିଲାମାନଙ୍କ ପାଇଁ ଭୋଜନ ପ୍ରସ୍ତୁତ କରୁଥିବା ଏବଂ ସେମାନଙ୍କ ସହିତ ଖେଳୁ ଥିବାର ନଜର ଆସିଥାଆନ୍ତି। ସାଧାରଣ ଦିନରେ ଏହି ପିଲାମାନେ ମାଆ, ବାପାଠାରୁ ପୃଥକ ଭାବରେ ଖାଇ ଥାଆନ୍ତି। କାହିଁକିନା, ସେମାନଙ୍କ ବାପା ଗ୍ୟାଲିପ୍‌ କାମ ହେତୁ ବହୁ ବିଳମ୍ବରେ ଘରକୁ ଫେରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.