ସାଧାରଣତଃ ଘରେ କାମ କରିବାକୁ ଆସୁଥିବା କାମବାଲୀ ବା ଚାକରାଣୀ ପ୍ରବାସୀ ଶ୍ରମିକ ହିଁ ହୋଇଥାନ୍ତି। ଏମାନେ ପରିବାର ସହିତ କିମ୍ବା ଏକୁଟିଆ ରହି ଅନ୍ୟ ସହରରେ ଯାଇ ଘରୋଇ କାମ କରନ୍ତି। ଏମାନେ କୌଣସି ଘରେ ୮-୧୦ ଘଣ୍ଟା କାମ କରିବା ପରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାରେ ଗତି କରୁଛନ୍ତି। ଆମ ଦେଶରେ ଏମାନଙ୍କ ସଂଖ୍ୟା ୫.୫ କୋଟି ରହିଛି। ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ମହିଳାମାନେ ଥାନ୍ତି। ଏମାନଙ୍କ ଅବସ୍ଥା କରୋନା ସମୟରେ ଅତି ଖରାପ ହେବାରେ ଲାଗିଛି।
ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ଅଧ୍ୟୟନ ଅନୁଯାୟୀ, ଦୁନିଆର ପ୍ରାୟ ଚାରି ଭାଗରୁ ତିନି ଭାଗ ଲୋକଙ୍କ ଘରେ କାମ କରୁଥିବା ଚାକରାଣୀ କରୋନା ଯୋଗୁଁ ନିଜର କାମ ହରାଇଛନ୍ତି। ଲକଡାଉନ ଚାଲିଥିବା ଏବଂ କରୋନା ବ୍ୟାପିବାର ଭୟରେ ଲୋକେ ସେମାନଙ୍କୁ କାମ କରିବାକୁ ଘରକୁ ଡାକୁନାହାନ୍ତି। ଏଥିପାଇଁ ଘରେ ଘରେ ବୁଲି କାମ କରୁଥିବା ଲୋକଙ୍କ ଏକମାତ୍ର ରୋଜଗାର କରିବାର ପନ୍ଥା ବନ୍ଦ ହୋଇଯାଇଛି।
ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଘରେ କାମ କରୁଥିବା ଚାକରାଣୀ ବେରୋଜଗାର ମହିଳାଙ୍କ ସଂଖ୍ୟା ବଢି ୩ କୋଟି ୭୦ ଲକ୍ଷରେ ପହଞ୍ଚିଛି। ଏହି ସମୟରେ ଆମେରିକାରେ ୭୪ ପ୍ରତିଶତ, ଆଫ୍ରିକାରେ ୭୨ ପ୍ରତିଶତ ଏବଂ ୟୁରୋପରେ ୪୫ ପ୍ରତିଶତ ଘରୋଇ କାମ କରୁଥିବା ଲୋକ ବେରୋଜଗାର ହୋଇ ବସିଛନ୍ତି। ଘରେ କାମ କରିବାକୁ ଆସୁଥିବା ଲୋକଙ୍କୁ କୌଣସି ସାମାଜିକ ସୁରକ୍ଷାର ଓ୍ଵାରେଣ୍ଟି ମଧ୍ୟ ନାହିଁ। ସେମାନେ ରୋଗାଗସ୍ତ ହେଲେ ମଧ୍ୟ କୌଣସି ପ୍ରକାର ଅନ୍ୟ ସୁବିଧା ମିଳେନାହିଁ।
ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ରିପୋର୍ଟ ଅନୂୁଯାୟୀ, ଅନେକ ଘରୋଇ କାମ କରୁଥିବା ଲୋକଙ୍କ ହିସାବରେ ଏବେ ବର୍ତ୍ତମାନ ମାତ୍ର ୨୫ ପ୍ରତିଶତ ଦରମା ପାଉଛନ୍ତି। ଯାହା ଯୋଗୁଁ ସେମାନେ କୌଣସି ସଞ୍ଜୟ କରିବା ଅସମ୍ଭବ ହୋଇପଡିଛି। ଦିନକୁ ୮ରୁ ୧୦ ଘଣ୍ଟାକାମ କରିବା ପରେ ମଧ୍ୟ ସେମାନଙ୍କୁ କାମ ଅନୁଯାୟୀ ଉଚିତ ପ୍ରାପ୍ୟ ମିଳୁନାହିଁ। ଗୋଟେ ଦିନ କାମ କରିବାକୁ ନ ଆସିଲେ ସେମାନଙ୍କ ପଇସା କଟିଯାଉଛି। ଏମିତିରେ କିପରି ସେମାନେ ଚଳିବେ, ଆର୍ଥିକ ଅଭାବରେ ଦିନ କାଟୁଛନ୍ତି।