ଭାରତର ପାଞ୍ଚଟି ଅଦ୍ଭୁତ ଜଳାଶୟ, ଯେଉଁଠାରେ ସ୍ନାନ କଲେ ଦୂରାରୋଗ୍ୟରୁ ମିଳେ ମୁକ୍ତି
ବିବିଧତାପୂର୍ଣ୍ଣ ଭାରତରେ ବିଭିନ୍ନ ଧର୍ମ, ସଂସ୍କୃତି, ପରମ୍ପରା ଓ ଭାଷାର ମିଳନ ଦେଖିବାକୁ ମିଳେ। ଏହି ନିଆରାପଣ ଭାରତକୁ ଅନ୍ୟ ଦେଶଠାରୁ ସ୍ୱତନ୍ତ୍ର ଅଭିହିତ କରିଥାଏ। ଦେଶର ବିଭିନ୍ନ କୋଣ ଅନୁକୋଣରେ ଆଜି ବି କେତେକ ଚମତ୍କାରିତା ଦେଖିବାକୁ ମିଳେ ଯାହା ଭଗବାନଙ୍କ ଉପସ୍ଥିତିକୁ ବିଶ୍ୱାସ କରିବାକୁ ବାଧ୍ୟ କରେ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାର ମୂଳ ରହସ୍ୟ ପର୍ଯ୍ୟନ୍ତ ପହଞ୍ଚିବାରେ ବୈଜ୍ଞାନିକମାନେ ମଧ୍ୟ ଅସଫଳ ହୋଇଛନ୍ତି। ଭାରତରେ ଅନେକ ଚମତ୍କାରୀ ହ୍ରଦ ବା ଜଳାଶୟ ରହିଛି ଯେଉଁଠାରେ ସ୍ନାନ କଲେ ଦୂରାରୋଗ୍ୟ ରୋଗରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ,
୧.ମଣିମହେଶ, ହିମାଚଳ ପ୍ରଦେଶ
ହିମାଚଳ ପ୍ରଦେଶର କୈଳାଶ ଶିଖରରେ ସ୍ଥିତ ମଣିମହେଶ ହ୍ରଦରେ ଦୈବୀଶକ୍ତିଙ୍କ ପ୍ରଭାବ ଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଏହି ହ୍ରଦରେ ସ୍ନାନ କରିବା ଦ୍ୱାରା ସମସ୍ତ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏଥିସହ ମାଂସପେଶୀ ମଧ୍ୟ ମଜଭୁତ ହୋଇଥାଏ। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏହି ହ୍ରଦରେ ବୁଡ଼ ପକାଇଥାନ୍ତି।
୨.ଗଙ୍ଗନାନୀ,ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡସ୍ଥିତ ଏକ ଛୋଟ ଗାଁ ହେଉଛି ଦେବଭୂମି। ଗଙ୍ଗୋତ୍ରୀ ଯିବା ବାଟରେ ଏହି ଗାଁ ପଡ଼େ। ଏହି ଗାଁରେ ସ୍ଥିତ ଗଙ୍ଗନାନୀର ଉଷ୍ଣ ଜଳରେ ସ୍ନାନ କରିବା ଦ୍ୱାରା ଶାରୀରିକ ବିକାର ଦୂର ହୁଏ ବୋଲି ବିଶ୍ୱାସ ରହିଛି।
୩.ପୁଷ୍କର ସରୋବର, ରାଜସ୍ଥାନ
ରାଜସ୍ଥାନର ପୁଷ୍କର ବିଷୟରେ ମହାଭାରତ ଓ ରାମୟଣ ଗ୍ରନ୍ଥରେ ମଧ୍ୟ ବର୍ଣ୍ଣନା କରାଯାଇଛି। ପୁଷ୍କର ସରୋବରରେ ସ୍ନାନ କରିବା ଫଳରେ ସମସ୍ତ ପାପ ଧୋଇଯାଏ ଏବଂ ରୋଗରୁ ମଧ୍ୟ ଉପଶମ ମିଳେ। ସ୍ଥାନୀୟବାସିନ୍ଦାଙ୍କ କହିବାନୁସାରେ ଏହି ସରୋବରରେ ବୁଡ଼ ପକାଇଲେ କ୍ୟାନସର ଭଳି ଦୂରାରୋଗ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ।
ଏହାସହ ପଢ଼ନ୍ତୁ: ହଟ୍ ଯୋଗ କରନ୍ତୁ, ରକ୍ତଚାପ କମାନ୍ତୁ
୪.ସହସ୍ରଧାରା, ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡର ଡେରାଡୁନ୍ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ସହସ୍ରଧାରା ହ୍ରଦ କୌଣସି ଆଶ୍ଚର୍ଯ୍ୟଠାରୁ କମ୍ ନୁହେଁ। ଏହି ହ୍ରଦରେ ବୁଡ଼ ପକାଇଲେ ମାନସିକ ଓ ଶାରୀରିକ ବିକାର ଦୂର ହୋଇଥାଏ। ଏଠାକୁ ଆସୁଥିବା ରୋଗୀ ବୁଡ଼ ପକାଇବା ପରେ ସୁସ୍ଥ ହୋଇ ଫେରୁଥିବା କହିଥାନ୍ତି।
୫.ଭୀମକୁଣ୍ଡ,ମଧ୍ୟପ୍ରଦେଶ
ମଧ୍ୟପ୍ରଦେଶର ଛତରପୁର ସ୍ଥିତ ଭୀମକୁଣ୍ଡ ଭାରତର ରହସ୍ୟମୟ ଜଳସ୍ରୋତ ମଧ୍ୟରେ ଅନ୍ୟତମ। ଏକ ସାଧାରଣ ଗୁମ୍ଫା ମଧ୍ୟରେ ସ୍ଥିତ ଏହି ଜଳାଶୟ ମହାଭାରତ ଯୁଗରୁ ଥିବା ବିଶ୍ୱାସ କରାଯାଏ। କୁଣ୍ଡର ଗଭୀରତାକୁ ଆଜି ପର୍ଯ୍ୟନ୍ତ କେହି ମାପିପାରିନାହାନ୍ତି। ମକର ସଂକ୍ରାନ୍ତି ଦିନ ଭୀମକୁଣ୍ଡରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇଯିବା ସହ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟିଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି।