ନା କଟିବ ଦରମା…ନା ଯିବାକୁ ପଡ଼ିବ ଅଫିସ୍! ସବୁଦିନ ପାଇଁ ‘ଓ୍ଵାର୍କ ଫ୍ରମ୍ ହୋମ୍’ କରିବେ ୬,୦୦୦ କର୍ମଚାରୀ

ଆମେରିକୀୟ କମ୍ପାନୀ ‘Airbnb’ ନିକଟରେ ନିଜର ୬,୦୦୦ କର୍ମଚାରୀଙ୍କୁ ଖାସ୍ ଉପହାର ଦେଇଛି। କମ୍ପାନୀ ଘୋଷଣା କରିଛି ଯେ କର୍ମଚାରୀମାନେ ସ୍ଥାୟୀ ରୂପେ ଆଉ ଅଫିସ୍ ଆସିବେ ନାହିଁ। ସେମାନେ ସବୁଦିନ ପାଇଁ ‘ଓ୍ଵାର୍କ ଫ୍ରମ୍ ହୋମ୍’ କରିବେ। କେବଳ ଘରୁ କାମ ନୁହେଁ, ଦେଶର ଯେ କୌଣସି ସ୍ଥାନରୁ ମଧ୍ୟ ସେମାନେ କାମ କରି ପାରିବେ। ତେବେ କମ୍ପାନୀ ସମସ୍ତ କର୍ମଚାରୀଙ୍କୁ ‘ରିମୋର୍ଟ ଓ୍ଵାର୍କ ମୁଡ୍’ ବାଛିବାର ବିକଳ୍ପ ଦେଇଛି। ଏଥିରେ କର୍ମଚାରୀମାନଙ୍କର ଟଙ୍କାଟିଏ ବି ଦରମା କଟିବ ନାହିଁ। କହି ରଖୁଛୁ, କମ୍ପାନୀ ହୋମ୍ ଷ୍ଟେ ଏବଂ ଭ୍ୟାକେସନ ଷ୍ଟେ ସର୍ଭିସ୍ ପ୍ରଦାନ କରିଥାଏ।
ରିପୋର୍ଟ ମୁତାବକ, କମ୍ପାନୀର ସମସ୍ତ କର୍ମଚାରୀ ୨୦୨୨ ସେପ୍ଟେମ୍ବରରେ ଅଫିସ୍ ଆସି ଥାଆନ୍ତେ। କିନ୍ତୁ ଏବେ କମ୍ପାନୀ ସ୍ଥାୟୀ ରୂପେ ରିମୋର୍ଟ ଓ୍ଵାର୍କ ମୋଡ୍ ଜାରି ରଖିବାକୁ ଘୋଷଣା କରିଛି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରାୟନ ଚେକ୍ସି କହିଛନ୍ତି ଯେ ଏମିତି ଓ୍ଵାର୍କପ୍ଲେସ୍ କର୍ମଚାରୀମାନଙ୍କୁ ଟ୍ରାଭେଲ କରିବାର ସ୍ୱାଧୀନତା ପ୍ରଦାନ କରିଥାଏ। ଖାସ୍ କଥା ହେଉଛି, ଗତବର୍ଷ ଜଣେ ଅତିଥି କହିଥିଲେ କି, ସେ କମ୍ପାନୀର ଠିକଣାକୁ ଅସ୍ଥାୟୀ ଅଫିସ୍ ରୂପେ ବ୍ୟବହାର କରୁଛନ୍ତି।
ସୂଚନାଥାଉ କି, ଆମେରିକାରେ ୧୦ ପ୍ରତିଶତ ଲୋକ ବର୍ତ୍ତମାନ ଅଫିସ୍ଠୁ ଦୂରରେ ରହି କାମ କରୁଛନ୍ତି। ଅର୍ଥାତ୍ ସେମାନେ ଅଫିସ୍ ଆସୁ ନାହାନ୍ତି। ଯେତେବେଳେ କି, ୨୦୨୦ ମେ’ରେ କରୋନା ମହାମାରୀ ସମୟରେ ଏହି ସଂଖ୍ୟା ଥିଲା ଏକ ତୃତୀୟାଂଶ। ରିପୋର୍ଟ ମୁତାବକ, ଆମେରିକୀୟ କମ୍ପାନୀ Airbnb ଲୋକଙ୍କୁ ହୋମ୍ ଷ୍ଟେ ଉପଲବ୍ଧ କରାଇବା ସହିତ ପର୍ଯ୍ୟଟନ ସହ ଜଡ଼ିତ କାର୍ଯ୍ୟ ପାଇଁ ସେବା ପ୍ରଦାନ କରି ଆସୁଛି। ଏଥି ପୂର୍ବରୁ Zillow ନାମକ କମ୍ପାନୀ ବି ନିଜର ଅଧିକାଂଶ କର୍ମଚାରୀଙ୍କୁ ଅନିଶ୍ଚିତ କାଳ ପାଇଁ ‘ଓ୍ଵାର୍କ ଫ୍ରମ୍ ହୋମ୍’ ସୁବିଧା ପ୍ରଦାନ କରିଥିଲା। ଜୁଲାଇ ୨୦୨୦ରେ କମ୍ପାନୀ ଏ ନେଇ ଘୋଷଣା କରିଥିଲା। ସେହିପରି PwC ନାମକ ଆଉ ଏକ କମ୍ପାନୀ ଅକ୍ଟୋବର ୨୦୨୧ରେ ଘୋଷଣା କରିଥିଲା ଯେ ୪୦ ହଜାରରୁ ଅଧିକ ଆମେରିକୀୟ କର୍ମଚାରୀ ଦେଶରେ ରହି ଯେ କୌଣସି ସ୍ଥାନରୁ ମଧ୍ୟ କାମ କରି ପାରିବେ।
ସୂଚନାଥାଉ କି, କରୋନା ମହାମାରୀ ଯେତେବେଳେ ସାରା ବିଶ୍ୱରେ କାୟା ବିସ୍ତାର କରିଥିଲା, ସେହି ସମୟରେ ପ୍ରାୟ ସବୁ କମ୍ପାନୀ ନିଜ ନିଜ କର୍ମଚାରୀମାନଙ୍କୁ ଓ୍ଵାର୍କ ଫ୍ରମ୍ ହୋମ୍ର ସୁବିଧା ଯୋଗାଇ ଦେଇଥିଲେ। ଯାହା ଫଳରେ କର୍ମଚାରୀମାନେ ଘରେ ରହି ଅଫିସ୍ କାମ କରିଥିଲେ। ଏବେ ମଧ୍ୟ ଅନେକ ସ୍ଥାନରେ କମ୍ପାନୀ ଓ୍ଵାର୍କ ଫ୍ରମ୍ ହୋମ୍ ଜାରି ରଖିଛନ୍ତି। ଏଥିରେ କମ୍ପାନୀକୁ ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡ଼ୁ ନ ଥିବାବେଳେ ସେପଟେ କର୍ମଚାରୀମାନଙ୍କୁ ମଧ୍ୟ ଅଫିସ୍ କାମ କରିବାରେ ସହଜ ସୁବିଧା ହେଉଛି।