ବନ୍ଧନ ଏ ଯୁଗ ଯୁଗର : ରାଜଧାନୀ ରାସ୍ତା କଡ଼ରେ ଲୋକଙ୍କ ପାଇଁ ସ୍ୱପ୍ନର ଘର ଗଢୁଥିବା ଏକ ଦମ୍ପତିଙ୍କ କାହାଣୀ, ଆପଣଙ୍କ ମନକୁ ଭିଜାଇ ଦେବ

କଥାରେ ଅଛି ବିବାହ ବନ୍ଧନ ଉପରୁ ସ୍ଥିର ହୋଇ ଆସେ । ପୁଣି ସ୍ବାମୀ ସ୍ତ୍ରୀ ଏମିତି ଏକ ସମ୍ପର୍କ ଯାହା ବିଶ୍ବାସ ଆଧାରରେ ଗଢା । ପରସ୍ପର ନିଜର ସୁଖ ଦୁଃଖରେ ଏକାଠି ହୋଇ ସବୁ ସମସ୍ଯାକୁ ସାମ୍ନା କରିବା ପାଇଁ ଏକ ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି । ଏଭଳି ଏକ ଜୀବନସାଥୀର ବଡ଼ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ରାସ୍ତାକଡ଼ରେ ।

COUPLE-1

ରାସ୍ତାକଡ଼ ଫୁଟପାଥ୍ ଉପରେ ବସି ନିଜ ପେଟପାଟଣା ପାଇଁ କାର୍ଯ୍ଯରେ ବ୍ଯସ୍ତ ଏହି ଦମ୍ପତି । ଛୋଟ ଛୋଟ କାଗଜ ଘର କରି ଦିନତମାମ ବିକ୍ରି କରିଥାନ୍ତି ଏମାନେ । ଠିକ୍‌ ଅର୍ଦ୍ଧାଙ୍ଗିନୀର ଦାୟିତ୍ୱ ଅନୁସାରେ ସ୍ବାମୀଙ୍କୁ ସାହାଯ୍ୟ କରିଥାନ୍ତି ତାଙ୍କ ଧର୍ମପତ୍ନୀ । ନିଜ ହାତରେ ବିଭିନ୍ନ ସୁଦର ସୁନ୍ଦର ଡିଜାଇନର ଘର ତିଆରି କରି ଡେକୋରେଟ୍ କରି ବିକ୍ରି କରିଥାନ୍ତି । ବାଟରେ ଯାଉଥିବା ଲୋକ ବି ଟିକେ ଅଟକି ଯାଇ ଏସବୁ ଉପରେ ନଜର ବୁଲାଇ ଆଣନ୍ତି । କେହି କେହି ସେଥିରୁ ଗୋଟିଏ କି ଦୁଇଟା ନିଜ ଘର ସଜାଇବା ପାଇଁ ନେଇଯାନ୍ତି ।
କିନ୍ତୁ ଅନ୍ୟ ଲୋକଙ୍କ ପାଇଁ ଘର ତିଆରି କରୁଥିବା ଏହି ଦମ୍ପତିଙ୍କ ନିଜର ଘର ନାହିଁ । ତେବେ ଏହି ଦମ୍ପତିଙ୍କ କାହାଣୀ କେଉଁ ସିନେମାକାହାଣୀ ଠାରୁ କିଛି କମ୍ ନୁହେଁ । ଯୁବକ ଜଣଙ୍କ ଗଂଜାମ ଜିଲ୍ଲାର ବାସିନ୍ଦା। ତାଙ୍କ ନା ଗୋପାଳ । ଆଜିକୁ ୫/୬ବର୍ଷ ତଳେ ଗୋପାଳ ଶ୍ରୀକ୍ଷେତ୍ର ପୁରୀ ବୁଲି ଯାଇଥିଲେ । ଜଗନ୍ନାଥ ଦର୍ଶନ ସାରି ବେଳାଭୂମିର ମଜା ନେଉଥିବା ବେଳେ ସେ କିଛି ଲୋକଙ୍କୁ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିବାର ଦେଖିବାକୁ ପାଇଥିଲେ। । ପାଖକୁ ଯାଇ ଯାହା ଦେଖିଥିଲେ ସେଥିରେ ତାଙ୍କ ଛାତି ଭୟରେ ଥରିଉଠିଲା।

IMAGE-1
ସେ ଦେଖିବାକୁ ପାଇଥିଲେ କି ଜଣେ ଯୁବତୀ ହାତ କାଟି ରକ୍ତାକ୍ତ ହୋଇ ବାଲିରେ ନିସ୍ତେଜ ହୋଇ ପଡି ରହିଛି। ସବୁ ଲୋକ ଦେଖୁଥାଆନ୍ତି କିନ୍ତୁ ସାହାଯ୍ୟ ପାଇଁ କେହି ବି ଜଣେ ଆଗକୁ ଆସୁ ନଥାଆନ୍ତି। ଗୋପାଳ ଯାହା ଯେମିତି କରି ପୋଲିସକୁ ଡାକି ଯୁବତୀକୁ ମେଡିକାଲ ନେଇ ପହଁଚିଥିଲେ । ହେଲେ ପୋଲିସ୍ ନିଜ କାମ ସାରି ମେଡିକାଲରୁ ପଳାଇ ଆସିଲା । କିନ୍ତୁ ଗୋପାଳ ମାନବିକତାକୁ ଭୁଲି ନଥିଲେ । ସେ ଯୁବତୀଙ୍କ ଚେତା ଆସିବା ସମୟକୁ ଅପେକ୍ଷା କରି ବସି ରହିଥିଲେ । ଯୁବତୀଙ୍କ ଚେତା ଫେରିବା ପରେ ସବୁ କଥା ପଚାରିଲେ । ହାତକାଟି ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବତୀ ଜଣଙ୍କ କହିଥିଲେ ତାଙ୍କ କାହାଣୀ ।
ତାଙ୍କ ବାପା ମା’ ଙ୍କର ୪ ଝିଅ । ଭାରି ଗରିବ ପରିବାର। ଅର୍ଥାଭାବରୁ କେହି କେହି ବାହା ହୋଇ ନାହାନ୍ତି। ତେଣୁ ଚେଷ୍ଟା କରୁଥିଲି ମରିଗଲେ ବାପାଙ୍କ ବୋଝ ହାଲକା ହୋଇଯିବବୋଲି ।
ଯୁବତୀଙ୍କ ଠାରୁ ଏହି କଥା ଶୁଣିବା ପରେ ଗୋପାଳ ଆଶ୍ଚର୍ଯ୍ଯ ହୋଇଯାଇଥିଲେ ଏବଂ ଯୁବତୀଙ୍କୁ ତାଙ୍କ ଘରେ କିପରି ସୁରକ୍ଷିତ ଭାବେ ପହଁଚାଇବେ ସେ ନେଇ ଖୋର୍ଦ୍ଧା ଜିଲ୍ଲା ବନମାଳିପୁର ଭାକର ସାହିରେ ଯାଇ ପହଁଚିଥିଲେ । କିନ୍ତୁ ସେଠାରେ ପହଁଚିବା ପରେ ଗୋପାଳଙ୍କ ପାଦତଳୁ ମାଟି ଖସି ଯାଇଥିଲା। ଭାକର ସାହି ଗାଁ ଲୋକେ ତାଙ୍କୁ ମନ ଇଚ୍ଛା ଗାଳି କରିବା ସହ ତାଙ୍କୁ ମାରିବାକୁ ଉଠିଲେ ।
ଫେରି ଆସିଲେ ଗୋପାଳ । ଶେଷରେ ଯୁବତୀକୁ ନିଜ ସ୍ତ୍ରୀ ରୂପରେ ଗ୍ରହଣ କରିବାକୁ ବାଧ୍ଯ ହୋଇଥିଲେ । କୋର୍ଟରେ ବିବାହ କରି କିଛି ଦିନ ଶ୍ବଶୁର ଘରେ ରହିବା ପରେ ନିଜ ଘର ଗଞ୍ଜାମରେ ଯାଇ ପହଁଚିଥିଲେ । ଘରେ କିନ୍ତୁ ପରିବାର ଲୋକେ ବୋହୂକୁ ଗ୍ରହଣ କଲେ ନାହିଁ । କାରଣ ପୁଅ କିଛି ନଜଣାଇ ବାହା ହୋଇଯାଇଥିଲା। ଶେଷରେ ଗୋପାଳ ସ୍ତ୍ରୀକୁ ଧରି ଭୁବନେଶ୍ବର ଚାଲି ଆସିଲେ । ଆଉ ଆରମ୍ଭ କଲେ ଏଇ ଘର ତିଅରି କାମ । ଏଇ ଘର ତିଆରି କରି କଷ୍ଟେମଷ୍ଟେ ଚଳୁଛନ୍ତି ଏହି ଦମ୍ପତି । ଘରଭଡ଼ା ନେଇ ରହୁଛନ୍ତି । ନିଜେ ଚଳିବା ସହିତ ସାଥୀରେ ୩ଟି ପଶୁ ପକ୍ଷୀ ରଖି ସେମାନଙ୍କୁ ମଧ୍ଯ ପୋଷୁଛନ୍ତି ।
ମାନବିକତା ହଜି ଯାଉଥିବା ଆଜିର ଯୁଗରେ ଗୋପାଳ ନିଶ୍ଚୟ ଏକ ବଡ଼ ଉଦାହରଣ ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍‌

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.