ଅଶୋକଙ୍କ ପ୍ରେମ ପାଇଁ କିଛି ବି କରିପାରିବେ, ଏହା ପ୍ରମାଣ କରି ଦେଖାଇଛନ୍ତି ବିଜୟଲକ୍ଷ୍ମୀ
ପ୍ରେମ ଶାସ୍ୱତ ଏବଂ ଚିରନ୍ତର। ପ୍ରେମ ଅନନ୍ୟ ଓ ଅନୁପମ। ସୁନ୍ଦର ତା’ର ପରିଭାଷା। ଯୁଗ ଯୁଗ ପାଇଁ ଦୁଇ ହୃଦୟର ମଜବୁତ ସମ୍ପର୍କ ହେଉଛନ୍ତି ପ୍ରେମ। ଏପରି ଏକ ନିଆରା ପ୍ରେମୀ ଯୁଗଳ ହେଉଛନ୍ତି ଅଶୋକ ଓ ବିଜୟଲକ୍ଷ୍ମୀ। ବନ୍ଧୁତାରୁ ପ୍ରେମ। ଆଉ ତା’ ପରେ ବିବାହ। ଜୀବନର ଅନେକ ଝଡଝଞ୍ଜା ପରେ ବି ସେମାନଙ୍କ ପ୍ରେମ ଆଜି ବି ସେମିତି ଦୃଢ ଓ ପବିତ୍ର।
ଯାଜପୁର ଜିଲ୍ଲା ମଧୁବନ ଏକତଳା ଗ୍ରାମର ଯୁବକ ଅଶୋକ ପଢା ସାରିବା ପରେ ଏକ କୋରିଅର କମ୍ପାନୀରେ କାମ କରୁଥିଲେ। ଆଉ ଏଥିପାଇଁ ତାଙ୍କୁ ପ୍ରତିଦିନ ଟ୍ରେନ ଯୋଗେ ଯିବା ଆସିବାକୁ କରିବାକୁ ପଡିଥାଏ। ଏହି ସଂସ୍ଥାରେ କାମ କରୁଥିବା ବେଳେ ଅଶୋକ ଉକ୍ତ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ବିଜୟଲକ୍ଷ୍ମୀକୁ ପ୍ରେମ କରି ବସିଥିଲେ। ପରେ ଦୁହେଁ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ୨୦୧୩ ମସିହାରେ ହଠାତ୍ ଏକ ଦୁର୍ଘଟଣା ଅଶୋକଙ୍କ ଜୀବନ ଓଲଟପାଲଟ କରିଦେଲା। ପ୍ରତିଦିନ ଭଳି କାମ ସାରି ଘରକୁ ଫେରିଲା ବେଳେ ଟ୍ରେନରୁ ଖସିପଡି ଦୁର୍ଘଟଣାର ଶିକାର ହୋଇଥିଲେ ଅଶୋକ। ଯେଉଁଥିରେ ନିଜର ଦୁଇଟି ଗୋଡ ହରାଇଲେ। ନିଜ ଗୋଡ ହରାଇ ଅଶୋକ ଭାଙ୍ଗି ପଡିଥିଲେ। ଭାବିଥିଲେ ଏଥିପାଇଁ ତାଙ୍କୁ ତାଙ୍କ ପ୍ରେମ ମଧ୍ୟ ଛାଡି ଚାଲିଯିବ। କିନ୍ତୁ ଗୋଡ ହରାଇବା ପରେ ମଧ୍ୟ ଅଶୋକଙ୍କ ହାତ ଛାଡି ନଥିଲେ ବିଜୟଲକ୍ଷ୍ମୀ। ପରିବାରର ବିରୋଧ ସତ୍ୱେ ଦୁହେଁ ପରସ୍ପରକୁ ୨୦୧୫ରେ ବିବାହ କରିଥିଲେ। ମନର ମଣିଷକୁ ପାଖରେ ପାଇ ଦୁହେଁ ସବୁ କିଛି ଭୁଲି ଯାଇଥିଲେ। ଏବେ ତାଙ୍କ କୋଳରେ ୩ ବର୍ଷର ପୁଅ।
ଦୁର୍ଘଟଣା ପରେ ଅଶୋକ ଗ୍ରାମରେ ଏକ ପାନଦୋକାନ କରି ନିଜର ପରିବାରର ଭରଣ ପୋଷଣ କରୁଛନ୍ତି। କିନ୍ତୁ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଛି, ତଥାପି ଏଥିରେ ଧୈର୍ଯ୍ୟହରା ହୋଇନାହାନ୍ତି ପତ୍ନୀ ବିଜୟଲକ୍ଷ୍ମୀ। ସବୁବେଳେ ତାଙ୍କ ସହିତ ସହଯୋଗର ହାତ ବଢାଇଛନ୍ତି।