Below header

ଡ଼୍ୟାନୁବ୍‌ ନଦୀ କୂଳରେ ଥିବା ଏହି ୬୦ ହଳ ଜୋତା କହେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏମିତି କିଛି ଦୁଃଖଦ କାହାଣୀ

ପ୍ରତ୍ୟେକ ଯୁଦ୍ଧ ପଛରେ ରହିଛି ଏକ ଭୟଙ୍କର କାହାଣୀ । ହଙ୍ଗେରୀ ପାର୍ଲାମେଣ୍ଟ ଠିକ୍‌ ସାମ୍ନାରେ ଡ୍ୟାନୁବ ନଦୀ କୂଳରେ ନଦୀକୁ ଚାହିଁ ରହିଥିବା ଏହି ୬୦ ହଳ ଜୋତା ପଛରେ ରହିଛି ଏପରି କିଛି ଦୁଃଖଦ କାହାଣୀ । ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ହତବାକ୍‌ । ଏହି କାହାଣୀ ହେଉଛି ୨ୟ ବିଶ୍ୱଯୁଦ୍ଧ ସମୟର ।

ସେତେବେଳେ ଆରୋ କ୍ରସ୍‌ ପାର୍ଟି ହଙ୍ଗେରୀକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ । ୧୯୪୪ ମସିହା ଅକ୍ଟୋବର ୧୫ରୁ ୧୯୪୫ ମାର୍ଚ୍ଚ ୨୮ ତାରିଖ ଯାଏ ଆରୋ କ୍ରସ ପାର୍ଟି ନାଜିମାନଙ୍କର ସହାୟତାରେ ଦେଶକୁ ଶାସନ କରିଥିଲେ । ଏହି ସମୟରେ ହଜାର ହଜାର ସାଧାରଣ ନାଗରିକ ବିଶେଷକରି ଜିହୁଦୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ପ୍ରାୟ ହଜାର ହଜାର ଲୋକଙ୍କୁ କ୍ରୀତଦାସ ଭାବେ ଲେବର କ୍ୟାମ୍ପକୁ ପଠାଯାଇଥିଲା କିମ୍ବା ହତ୍ୟା କରାଯାଇଥିଲା । ଏକ ଆକଳନ ଅନୁଯାୟୀ, ଏହି ୫ ମାସର ରାଜତ୍ୱ ସମୟରେ ପ୍ରାୟ ୧୦ ହଜାର ଲୋକଙ୍କୁ ହତ୍ୟା କରାଯାଇଥିବାବେଳେ ୮୦ ହଜାର ଲୋକଙ୍କୁ ବିଭିନ୍ନ କ୍ୟାମ୍ପକୁ ପଠାଯାଇଥିଲା ।

shoes on bank of danube.jpg
photo credit: theculturetrip.com

ଏହି ସମୟରେ ବୁଡାପେଷ୍ଟର ଏହି ଜିହୁଦୀମାନଙ୍କୁ ଡ୍ୟାନୁବ୍‌ ନଦୀ କୂଳରେ ହତ୍ୟା କରାଯାଇ ନଦୀରେ ଭସାଇ ଦିଆଯାଇଥିଲା । ସବୁଠୁ ବଡ଼ ଦୁଃଖଦ ଘଟଣା ଥିଲା ଯେ ସେମାନଙ୍କୁ ମାରିବା ପୂର୍ବରୁ ସେମାନଙ୍କର ଜୋତା ଓହ୍ଲାଇବାକୁ ବାଧ୍ୟ କରାଯାଉଥିଲା । କାରଣ ବିଶ୍ୱଯୁଦ୍ଧ ସମୟରେ ଏହି ଜୋତାସବୁ ବହୁ ମୂଲ୍ୟବାନ ଥିଲା । ସେଗୁଡ଼ିକୁ ସୈନିକମାନେ ନିଜ ବ୍ୟବହାର ପାଇଁ ରଖୁଥିଲେ କିମ୍ବା ଅନ୍ୟକୁ ବିକ୍ରି କରିଦେଉଥିଲେ ।

ଏହି ଆରୋ କ୍ରସ୍ଡ ଶାସକଙ୍କ ସମୟରେ ପ୍ରାଣ ହରାଇଥିବା ଏହି ହଜାର ହଜାର ଇହୁଦୀଙ୍କ ସ୍ମୃତିରେ ୨୦୦୫ ମସିହା ଅପ୍ରେଲ ୧୫ ତାରିଖରେ ଏକ ସ୍ମାରକୀ ନିର୍ମାଣ କରାଯାଇଥିଲା । ଏହାକୁ ନିର୍ମାଣ କରିଥିଲେ ଫିଲ୍ମ ନିର୍ଦ୍ଦେଶକ କ୍ୟାନ୍‌ ଟଗି ଓ ମୂର୍ତ୍ତିକାର ଜିଉଲ୍‌ ପର୍‌ ।

shoes on bank of danube
photo credit: theculturetrip.com

ଏମାନେ ପ୍ରାୟ ୬୦ ହଳ ବିଭିନ୍ନ ସାଇଜ ଓ ପ୍ରକାରର ଜୋତା ଲୁହାରେ ତିଆରି କରି ସେଗୁଡ଼ିକୁ ଏହି ଡ୍ୟାନୁବ୍‌ ନଦୀ କୂଳରେ ସ୍ମାରକୀ ସ୍ୱରୁପ ରୋପଣ କରିଥିଲେ । ଯାହାକି ଆଜି ସେଦିନର ସେହି ବିଭୀଷିକାମୟ କାହାଣୀକୁ ମନେ ପକାଇବାକୁ ବାଧ୍ୟ କରେ ଯେ ପୃଥିବୀରେ କେହି ସୁରକ୍ଷିତ ନୁହଁନ୍ତି । ସେହି ପୀଡ଼ିତମାନଙ୍କର ଦୁଃଖଦ କାହାଣୀର ସ୍ମୃତି ଆଜି ନଦୀ କୂଳରେ ସ୍ଥାପନ କରାଯାଇଥିବା ଏହି ୬୦ ହଳ ଜୋତା ବହନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.