ଭାରତର ଏପରି ଏକ ସହର ଯେଉଁଠାରେ ମଣିଷଙ୍କ ସହ ଖୁସିରେ ରୁହନ୍ତି ୧୦୦ ରୁ ଅଧିକ ଚିତାବାଘ, ଏହା ବି ଏକ ଅତୁଟ ବନ୍ଧନ

ଆପଣ ମଣିଷ ଓ ପଶୁ ଭିତରେ ଥିବା ବନ୍ଧନର ଅନେକ କାହାଣୀ ଶୁଣିଥିବେ। ଯାହା କେବେ ଆଖିରେ ନ ଦେଖିବା ଯାଏଁ ବିଶ୍ଵାସ ହୁଏ ନାହିଁ। ଗୃହପାଳିତ ପଶୁଙ୍କ ମଧ୍ୟରୁ ଅନେକ ଲୋକ କୁକୁର, ବିଲେଇ ଓ ପାରା ରଖିବାକୁ ପସନ୍ଦ କରନ୍ତି। କିନ୍ତୁ କିଏ କ’ଣ କେବେ ଚିତା ବାଘ ପରି ହିଂସ୍ର ଜନ୍ତୁକୁ ରଖି ପାରେ କି ? ଆପଣ ତ କହିବେ ନା। କିନ୍ତୁ ଆମ ଭାରତରେ ଏମିତି ଏକ ଗାଁ ରହିଛି ଯେଉଁଠି କେବଳ ଗୋଟେ ଚିତା ବାଘ ନୁହେଁ ମଣିଷଙ୍କ ସହ ରୁହନ୍ତି ଏଠି ୧୦୦ ରୁ ଅଧିକ ଚିତା ବାଘ।

କହିବାକୁ ଗଲେ ମଣିଷ ଏବଂ ପଶୁମାନେ ଅନେକ ସମୟ ଧରି ପରସ୍ପର ସହ ଭଲରେ ବଞ୍ଚିବାକୁ ଚେଷ୍ଟା କରନ୍ତି, କିନ୍ତୁ ଏହା ସମ୍ଭବ ହୋଇନଥାଏ। କିନ୍ତୁ ଏହା ବର୍ତ୍ତମାନ ସମ୍ଭବ ହୋଇଛି ରାଜସ୍ଥାନର ଏକ ସହରରେ। ଏମିତିକି ପ୍ରାୟ ୧୦୦ ବର୍ଷ ହେବ ଏଠି ଚିତା ବାଘ ମଣିଷଙ୍କ ସହ ରହୁଛନ୍ତି। ସେବେଠାରୁ ଏହି ବାଘ ମଣିଷକୁ ମାରିବାର କୌଣସି ଘଟଣା ମଧ୍ୟ ଏଠି ଘଟିନି। ଏମିତି ଦାବି କରିଛନ୍ତି ରାଜସ୍ଥାନରେ ଥିବା ବେରା ଗାଁର ଲୋକମାନେ।

ରାଜସ୍ଥାନର ବେରା ଟାଉନ୍, ଏହି ସହରରେ ଖୋଲା ଖୋଲି ଭାବେ ବୁଲନ୍ତି ଚିତା ବାଘ । ସେ ପୁଣି ମଣିଷଙ୍କ ସହ। କେତେକ ରିପୋର୍ଟ ଅନୁଯାୟୀ ଅଧିକାଂଶ ଚିତାବାଘ ପ୍ରାୟ ଏହି ସ୍ଥାନରେ ଦେଖା ଯାଆନ୍ତି। ଅନ୍ୟ କୌଣସି ଜାଗାରେ ଦେଖା ଯାଆନ୍ତି ନାହିଁ। ଆମେ ରାଜସ୍ଥାନର ବେରା ସହ ବିଷୟରେ କହୁଛୁ। ଏହି ସହରକୁ ରାଜସ୍ଥାନ ସହରରେ ମୁକ୍ତ ଭାବରେ ବାସ କରୁଥିବା ଚିତାବାଘର ଘର ମଧ୍ୟ କୁହାଯାଏ । ଓଡିଟି ସେଣ୍ଟ୍ରାଲ ୱେବସାଇଟର ରିପୋର୍ଟ ଅନୁଯାୟୀ, ସହରର ପ୍ରାୟ ୧୦ ଟି ଗାଁରେ ୧୦୦ ଟି ଚିତାବାଘ ବାସ କରୁଛନ୍ତି ଏବଂ ଗତ କିଛି ବର୍ଷ ଧରି ମଣିଷ ଏବଂ ଚିତାବାଘ ଏକାଠି ରହୁଛନ୍ତି। ମଣିଷ ଏବଂ ଚିତାବାଘ ମଧ୍ୟରେ ସମନ୍ୱୟ ଏଠି ଦେଖିବାକୁ ମିଳେ।

leopard
picture credit – National Geographic

ସବୁଠାରୁ ବଡ କଥା ହେଉଛି ଏଠାରେ ମଣିଷ ଏବଂ ଚିତାବାଘ ମଧ୍ୟରେ ସ୍ନେହ ଓ ପ୍ରେମର ଭାବନା ରହିଛି। ଏହି କାରଣରୁ, ଗତ ୧୦୦ ବର୍ଷ ମଧ୍ୟରେ ଚିତାବାଘ ଦ୍ୱାରା ଏଠି କୌଣସି ବ୍ୟକ୍ତି ଆକ୍ରମଣର ଶିକାର ହୋଇନାହାନ୍ତି। ରିପୋର୍ଟ ଅନୁଯାୟୀ, ବହୁ ବର୍ଷ ପୂର୍ବେ ଏକ ଚିତାବାଘ ଗୋଟେ ଛୋଟ ପିଲାକୁ ତା ’ସହିତ ନେଇ ଯାଇଥିଲା, କିନ୍ତୁ ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ ସେ ପିଲାଟିକୁ ବାହାରେ ଛାଡି ଦେଇଥିଲା ଏବଂ ପିଲାଟିର କୌଣସି ଅସୁବିଧା ମଧ୍ୟ ହୋଇନଥିଲା।

ତେବେ ଏଠାରେ ରାବାରୀ ଜନଜାତିର ଲୋକମାନେ ଚିତାବାଘକୁ ଖୁବ୍ ଭଲ ପାଆନ୍ତି। ଏଠାରେ ଥିବା ଲୋକମାନେ ଚିତାବାଘ ସହ ଏତେ ଜଡ଼ିତ ଯେ ସେମାନେ ମନ୍ଦିର ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚିତା ବାଘକୁ ବୁଲୁଥିବାର ଦେଖନ୍ତି। ଚିତାବାଘ ମଧ୍ୟ ଏଠାରେ ଥିବା ଲୋକଙ୍କୁ ସେତିକି ମାତ୍ରାରେ ଭଲ ପାଆନ୍ତି।

ରାବାରୀ ଜନଜାତିର ଲୋକମାନେ ଏହି ବେରା ଗ୍ରାମରେ ବାସ କରନ୍ତି। ବିଶ୍ୱାସ କରାଯାଏ ଯେ ଏହି ଜନଜାତି ପୂର୍ବରୁ ମେଷପାଳକମାନଙ୍କର ଏକ ଗୋଷ୍ଠୀ ଥିଲା ଯେଉଁମାନେ ହଜାର ହଜାର ବର୍ଷ ପୂର୍ବେ ଇରାନ ଦେଇ ଆଫଗାନିସ୍ତାନ ଦେଇ ରାଜସ୍ଥାନରେ ପହଞ୍ଚିଥିଲେ। ଏଠାକାର ଲୋକମାନଙ୍କର ଚିତାବାଘ ପ୍ରତି ଭଲପାଇବା ଅଛି, ତେଣୁ ସେମାନେ ସେମାନଙ୍କର କ୍ଷତି କରନ୍ତି ନାହିଁ । ଏହି ଲୋକମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଏହି ଚିତାବାଘମାନେ ଭଗବାନ ଶିବଙ୍କ ଦ୍ଵାରା ପଠାଯାଇଥିବା ସହରର ରକ୍ଷକ।

ତେଣୁ ସେମାନେ ତାଙ୍କ ଉପରେ ଆଜି ପର୍ଯ୍ୟନ୍ତ ଆକ୍ରମଣ କରି ନାହାନ୍ତି ଏବଂ ଯଦି ସେମାନେ କୌଣସି ଗୋରୁମାନଙ୍କୁ ମାରି ଖାଇଥାଆନ୍ତି, ତେବେ ଲୋକମାନେ ଏହାକୁ ଭଗବାନ ଶିବଙ୍କ ବଳିଦାନ ଭାବରେ ଏହାକୁ ବିବେଚନା କରନ୍ତି। ତେଣୁ ସବୁଠୁ ବଡ କଥା ହେଉଛି ସେ ପଶୁ ହେଉ କିମ୍ବା ମଣିଷ, ଟିକିଏ ଭଲ ପାଇବା ପାଇଁ ସେ ସବୁବେଳେ ଚେଷ୍ଟା କରେ । ପୁଣି ଏହି ଟିକିଏ ସ୍ନେହ ଆଦର ସେ କୋଉଠୁ ପାଏ, ସେଠି ହିଁ ତା ସମ୍ପର୍କ ନିବିଡ଼ ହେଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.