ଧାମନଗର ଡବଲ ମର୍ଡ଼ର ପଛର ରହସ୍ୟ

ଅନାଥ କଲା ଗୋପୀନାଥ

ଭଦ୍ରକ (କେନ୍ୟୁଜ୍‌) : ଅନେକ ରହସ୍ୟ ଭିତରେ ଛନ୍ଦି ହୋଇଛି ଭଦ୍ରକ ଧାମନଗର ତାଳସିଠା ଗାଁର ଡବଲ ମର୍ଡ଼ର ଘଟଣା । ଜଣେ ଯୁବକ ଏମିତି କାହିଁକି ଉତ୍‌କ୍ଷିପ୍ତ ହେଲା ଓ ନିଜ ଧରମ ବାପାକୁ ମାରି କେନାଲରେ ଫିଙ୍ଗି ଦେବା ପରେ ଶିଳପୁଅରେ ଛେଚି ଧରମ ମାକୁ ହତ୍ୟାକଲା । ପୁଣି ଧରମ ଭଉଣୀକୁ ଦୁଷ୍କର୍ମ କରି ମାରିବାକୁ ବସିଥିଲା । ପିଲା ବେଳର ରାଗ ଶୁଝାଇଲା, ପ୍ରତିଶୋଧ ନେଲା ବୋଲି କହିଛି ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ ବାବୁଆ । ଏମିତିକି ତାର ପତ୍ନୀ ମଧ୍ୟ କହିଛି ସେଇ ସମାନ କଥା । ହେଲେ ଏକଥା ବିଶ୍ୱାସଯୋଗ୍ୟ କି ? ପୋଲିସ୍‌ କିନ୍ତୁ କହୁଛି ଟଙ୍କା ପାଇଁ ହୋଇଛି ହତ୍ୟା । ରବୀନ୍ଦ୍ର ବେହୁରିଆଙ୍କ ଧରମ ପୁଅ ସାଜିଥିଲା ବାବୁଆ ଓରଫ ଗୋପୀନାଥ । ଯିଏ ସମ୍ପର୍କ ଯୋଡ଼ିଥିଲା ସିଏ ମାରିଲା କାହିଁକି ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଯିଏ ପ୍ରତିଶୋଧ ପାଇଁ ମାରିଲା ତା ପକେଟରୁ ଘରର ସୁନା ଅଳଙ୍କାର ବାହାରିଲା କେମିତି ?

ପିଲା ବେଳୁ ଦୁଷ୍ଟ, ଯୁବକ ବେଳେ ଅପରାଧୀ

 

ଏବେ ଯିବା ବାବୁଆର ଅତୀତକୁ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତର ତାଳସିଠା ଗାଁ । ଏଇ ଗାଁର କୁଳମଣି ମହାନ୍ତିଙ୍କ ସାନପୁଅ ବାବୁଆ । ତାକୁ ମାତ୍ର ୭ ବର୍ଷ ବୟସ ହୋଇଥିଲା ବେଳେ ଏକ ମାରାତ୍ମକ ରୋଗରେ ପଡ଼ି ମା ଚାଲିଗଲେ ଆରପାରିକୁ । ପିଲାବେଳୁ ଖୁବ୍‌ ଦୁଷ୍ଟ ଥିଲା ବାବୁଆ । ଗାଁ ନିକଟ ବାରିକପୁର କଲେଜରେ ଯୁକ୍ତ ଦୁଇ ପଢ଼ିବା ବେଳେ ଆଖପାଖ ଗାଁରେ ଛୋଟବଡ଼ ଅପରାଧ ଘଟାଇଥିଲା । ଏମିତିକି ଗାଁ ଲୋକେ ତାକୁ ବାନ୍ଧି ପୋଲିସ୍‌କୁ ବି ଦେଇଥିଲେ । ତେଣେ ମା ଛେଉଣ୍ଡ ପିଲାକୁ ପାଳିବାରେ ହେଳା କରି ନଥିଲେ କୁଳମଣି । ହେଲେ ଦିନକୁ ତାର ଅପରାଧିକ କାଣ୍ଡ ସବୁ ବଢ଼ି ଚାଲିଲା । ଏଥିରେ ଅତିଷ୍ଠ ହୋଇ ଶେଷରେ କୁଳମଣି ତାକୁ ଘରୁ ବାହାର କରିଦେଇଥିଲେ । ଏମିତିକି ଥରେ ଜଣେ ସାଙ୍ଗ ସହିତ ଖରାପ ଉଦ୍ଦେଶ୍ୟ ରଖି ଗାଁର ଜଣକ ଘରେ ପଶି ଥିଲା ବେଳେ ଲୋକେ ତାକୁ କାବୁ କରି ନେଇଥିଲେ । ଅନେକ ସମୟରେ ଲୋକଙ୍କୁ ବନ୍ଧୁକ ଦେଖାଇ ଡରାଉଥିଲା ସେ । ପ୍ରାୟ ୧୦ ବର୍ଷ ହେବ ଆଉ ଘରକୁ ଯାଉ ନଥିଲା ବାବୁଆ । ଯୁକ୍ତ ଦୁଇ ପରୀକ୍ଷା ନଦେଇ ବାବୁଆ ଭୁବନେଶ୍ୱର ପଳାଇ ଆସିଲା । ସେଠାରେ ଜଣେ ଝିଅକୁ ଭଲ ପାଇ ବାହା ହୋଇଥିଲା ।

ରବୀନ୍ଦ୍ରଙ୍କ ଘର ଥିଲା ରାତ୍ରୀ ଆଶ୍ରୟସ୍ଥଳୀ

ବାବୁଆ ପ୍ରାୟ ବେଳେ ଲୁଚି କରି ଗାଁକୁ ଆସି ରବୀନ୍ଦ୍ରଙ୍କ ଘରେ ରୁହେ । ଏଥିରେ ରବୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ସହମତି ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘରର ସାନଝିଅ ସହିତ ତାର ସମ୍ପର୍କ କଥା ଚର୍ଚ୍ଚା ହେଉଥିଲେ ମଧ୍ୟ ଏକଥାର କେହି ଦାବିଦାର ନାହାନ୍ତି । ତେବେ ବାବୁଆ ରାତିରେ ଆସେ ଓ ସକାଳୁ ଫେରିଯାଏ । ରବୀନ୍ଦ୍ରଙ୍କ ନିଶା ସେବନ ଦୁର୍ବଳତାରୁ ମଧ୍ୟ ସେ ଫାଇଦା ଉଠାଏ ବୋଲି କୁହାଯାଉଛି । ରବୀନ୍ଦ୍ର ପେସାରେ ଜଣେ ବଢ଼େଇ ।

ହତ୍ୟା କାହିଁକି ?

 

ତେବେ ଇତିମଧ୍ୟରେ ରବୀନ୍ଦ୍ରଙ୍କ ବଡ଼ଝିଅକୁ ତାର ଶାଶୁଘର ଲୋକେ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ଆପୋଷ ସମାଧାନ ବେଳେ ରବୀନ୍ଦ୍ରଙ୍କୁ ପୁଅ ଘର ତରଫରୁ ମିଳିଥିଲା ୨ ଲକ୍ଷ ଟଙ୍କା । ଯାହା ଉପରେ ନଜର ଥିଲା ବାବୁଆର । ଗତ ୨୯ ତାରିଖ ଦିନ ରବୀନ୍ଦ୍ର କାମ ସାରି ଫେରୁଥିବା ବେଳେ ବାବୁଆ ତାଙ୍କ ଡାକି ନେଇ ହତ୍ୟା କରିବା ପରେ ଏକ କେନାଲରେ ପିଙ୍ଗି ଦେଇଥିଲେ । ତାଙ୍କ ମୋଟର ସାଇକେଲ, ମୋବାଇଲ୍‌ ଓ ମନିପର୍ସ ନେଇ ଆସିଥିଲା । ପରେ ଘରକୁ ଆସି ହତ୍ୟା କରିଥିଲା ତାଙ୍କ ସ୍ତ୍ରୀକୁ । ଅତି ନିର୍ମମ ଭାବେ ଶିଳପୁଆରେ ଛେଚି ଜୀବନ ନେଇଥିଲା । ଏ କାଣ୍ଡ ଦେଖିଥିବା ସାନ ଝିଅକୁ ଦୁଷ୍କର୍ମ କରିବା ସହ ତାକୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲା । ହେଲେ ସମ୍ପର୍କୀୟମାନେ ଆସି ପହଞ୍ଚିଯିବାରୁ ଦୌଡ଼ି ପଳାଇଥିଲା ବାବୁଆ । ଦିନକ ପରେ ପୋଲିସ୍‌ ବାବୁଆକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ ଗିରଫ କରିଥିଲା । ତେବେ ବାବୁଆ ଏବଂ ତାର ସ୍ତ୍ରୀ ରଶ୍ମିତା ଉଭୟ କହିଥିଲେ, ପିଲାବେଳେ ରବୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ବାବୁଆର ମା’କୁ ଖୁବ୍ ନିର୍ଯ୍ଯାତନା ଦେଇଥିଲେ । ତାରି ପ୍ରତିଶୋଧର ଫଳ ହେଉଛି ଡବଲ୍‌ ମର୍ଡ଼ର । ବାବୁଆ ପାଖରୁ ମିଳିଥିଲା ରବୀନ୍ଦ୍ର ଘରର ସୁନା ଚେନ୍‌, ଚୁଡ଼ି, କାନଫୁଲ, ମୋବାଇଲ ଆଦି । ତେବେ ଟଙ୍କା କଥା ମାନି ନାହିଁ ବାବୁଆ । କିନ୍ତୁ ପୋଲିସ୍‌ ସୂଚନା ଅନୁଯାୟୀ ରବୀନ୍ଦ୍ର ପାଇଥିବା ୨ ଲକ୍ଷ ଟଙ୍କାରୁ ଲକ୍ଷେ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍‌ କରିଥିଲେ ଏବଂ ବାକି ଟଙ୍କାରୁ ଖର୍ଚ୍ଚ କରି ପ୍ରାୟ ୬୦ ହଜାର ଟଙ୍କା ଘରେ ରଖିଥିଲେ । ସେହି ଟଙ୍କାକୁ ଟାର୍ଗେଟ୍‌ କରିଥିଲା ବାବୁଆ । ସହଜରେ ଟଙ୍କା ହାତକୁ ଆସିବ ନାହିଁ ଜାଣି ରଚିଥିଲା ହତ୍ୟା ଷଡ଼ଯନ୍ତ୍ର । ରବୀନ୍ଦ୍ରଙ୍କ ଏଟିମ୍‌ ଜରିଆରେ ବ୍ୟାଙ୍କରୁ କିଛି ଟଙ୍କା ଉଠାଇଛି କି ନାହିଁ ସେ ସମ୍ପର୍କରେ ପୋଲିସ୍‌ ତଦନ୍ତ କରୁଛି ।

ବାବୁଆକୁ ଫାଶି ଦିଅ

 

କୌଣସି ବାପା ଅତିରିକ୍ତ ନହେଲା ଯାଏ ସହଜରେ ନିଜ ଜନ୍ମ କଲା ସନ୍ତାନକୁ ସମାଲୋଚନା କରେ ନାହିଁ । କିନ୍ତୁ କୁଳମଣି ମହାନ୍ତି ପୁଅକୁ ଘରୁ ବାହାର କରି ଦେଇଥିଲେ । ପୁଅର ପ୍ରତିଶୋଧ କଥାକୁ ଖଣ୍ଡନ କରି ତାକୁ ଫାଶି ଦେବାକୁ ମଧ୍ୟ କହିଛନ୍ତି । ଯାହା ପୁଅ ପ୍ରତି ଥିବା ତାଙ୍କର ଘୃଣାଭାବକୁ ସ୍ପଷ୍ଟ କରୁଛି । ଗ୍ରାମବାସୀ ଏବଂ ଗାଁ ସରପଞ୍ଚ ମଧ୍ୟ ବାବୁଆକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ବାବୁଆ ଏବେ ଭଦ୍ରକ ସବ୍‌ଜେଲ୍‌ରେ । ନିଜେ ଘଟଣାକୁ ସ୍ୱୀକାର କରି ସାରିଛି । ପୋଲିସ୍‌ ତା ବିରୋଧରେ ଠୋସ୍‌ ପ୍ରମାଣ ଯୋଗାଡ଼ କରୁଛି । ଯାହା ହୁଏତ ଆଜୀବନ କାରାଦଣ୍ଡ କିମ୍ବା ଫାଶିଖୁଣ୍ଟକୁ ନେଇ ଯାଇ ପାରେ ବାବୁଆକୁ ।

ବାପା ମା ଛେଉଣ୍ଡ ପିଲା ଏବେ ମାମୁଁ ଘରେ

ରବୀନ୍ଦ୍ରଙ୍କର ଏଇ ଝିଅଟିକୁ ଛାଡ଼ି ଆଉ ଗୋଟିଏ ପୁଅ ଅଛନ୍ତି । ସୁରଟରେ କାମ କରୁଥିବା ପୁଅଟି ବାପା ମା’ଙ୍କ ମୃତ୍ୟୁ ଖବର ପାଇ ଗାଁକୁ ଫେରିଥିଲା । ହେଲେ ପରିସ୍ଥିତିକୁ ଦେଖି ଏବେ ଭାଇ ଭଉଣୀ ମାମୁଁ ଘରେ ଆଶ୍ରୟ ନେଇଛନ୍ତି । ଟଙ୍କା କେଇଟା ପାଇଁ ଏ ପିଲାମାନଙ୍କୁ ଅନାଥ କରି ଦେଲା ବାବୁଆ ଓରଫ ଗୋପିନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.