ଆଉ ରହିବନି କାର ପାର୍କିଂ ଟେନ୍‌ସନ୍‌, ଅଳ୍ପ ଜାଗାରେ ବି ଏବେ ରଖିପାରିବେ ଗାଡ଼ି; ଦେଖନ୍ତୁ କେମିତି

ବର୍ତ୍ତମାନ ଲୋକ ସଂଖ୍ୟା ବଢ଼ିବା ସହ ଘର ଦ୍ୱାର ବି ବଢ଼ି ଚାଲିଛି। ଲୋକଙ୍କ ସହ ତାଳ ଦେଇ ଗାଡ଼ି ମଟର ସଂଖ୍ୟା ବି ହୁ ହୁ ହୋଇ ବଢ଼ୁଛି। ଜଣେ ବ୍ୟକ୍ତିଙ୍କ ପାଖରେ ଏବେ ଗୋଟିଏ ଦୁଇ ଚକିଆ ଓ ଚାରି ଚକିଆ ଥିବା ଦେଖିବାକୁ ମିଳୁଛି। ଫଳରେ ପାର୍କିଂ ଏବେ ଗୁରୁତ୍ୱର ସମସ୍ୟା ହୋଇ ଉଭା ହୋଇଛି। ଲୋକମାନେ ବାହାରକୁ ବାହାରିଲେ ଗାଡ଼ି କେଉଁଠି ପାର୍କ କରିବେ ତାହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏକ ବଢ଼ିଆ ଆଇଡିଆ ବାହାରିଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

କାର ପାର୍କିଂ କରିବା ଲାଗି ଟେନ୍‌ସନ୍‌ରେ ରହୁଥିବା ଲୋକଙ୍କୁ ଏହି ଆଇଡିଆଟି ଖୁବ୍‌ ପସନ୍ଦ ଆସିବ ନିଶ୍ଚୟ। ଭବିଷ୍ୟତରେ ଯଦି ଏହି ପ୍ଲାନିଂରେ ପାର୍କିଂ କରାଯାଏ ତେବେ ଲୋକଙ୍କ ପାର୍କିଂ ସମସ୍ୟା ନିଶ୍ଚୟ ଦୂର ହେବ, ସେଥିରେ ତିଳେ ହେଲେ ସନ୍ଦେହ ନାହିଁ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ, ଜଣଙ୍କ ଘର ସାମ୍ନାରେ ଏକ ଲଗ୍‌ଜ୍ୟୁରୀ କାର ଘର ଆଡ଼କୁ ମୁହଁ କରି ଠିଆ ହୋଇଛି। ଏହି ସମୟରେ ଜଣେ ମହିଳା ଘରୁ ବାହାରୁଛନ୍ତି ଓ ପାଖରେ ଥିବା ଏକ ମେସିନ୍‌କୁ ବୁଲାଉଛନ୍ତି। ଫଳରେ କାରଟି ଠିଆ ହୋଇଥିବା ସ୍ଥାନ ଘୂରୁଛି ଓ କାରଟିର ମୁହଁ ଗେଟ୍‌ ଆଡ଼କୁ ହୋଇଯାଉଛି। ପରେ ମହିଳା ଜଣକ କାରରେ ବସି ଗେଟ୍‌ ଖୋଲି ଆରାମରେ ବାହାରକୁ ଚାଲିଯାଉଛନ୍ତି।

ଦେଖନ୍ତୁ ଭିଡିଓ:


ସୋସିଆଲ ମିଡିଆରେ ଲୋକମାନେ ମହିଳାଙ୍କର ଏହି ଟେକ୍ନିକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି। ଏଥିସହ ଭବିଷ୍ୟତରେ ଏହି ଟେକ୍ନିକ୍‌ ବ୍ୟବହାର କରି ଗାଡ଼ି ପାର୍କିଂ କରିବାକୁ ମଧ୍ୟ ମତ ଦେଇଛନ୍ତି। ଟ୍ଵିଟରରେ @mvraoforindia ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଥିବା ବେଳେ କ୍ୟାପସନ୍‌ରେ ଲେଖାଯାଇଛି Future of parking vehicles। ଏବେ ଯାଏଁ ଏହି ଭିଡିଓକୁ ୩୦ ହଜାରରୁ ଅଧିକ ଥର ଦେଖା ସରିଲାଣି। ସେହିପରି ୨୦୦୦ରୁ ଅଧିକ ଲୋକ ଏଥିରେ ଲାଇକ୍‌ ମଧ୍ୟ କରିଛନ୍ତି।