କାଠରେ ଶ୍ରୀ ହନୁମାନ ଚାଳିଶା ଖୋଦେଇ କଲେ ଶିଳ୍ପୀ ଅରୁଣ, “ଇଣ୍ଡିଆ ବୁକ ଅଫ ରେକର୍ଡ”ରେ ସ୍ଥାନ ପାଇଛି ତାଙ୍କର ଅନେକ କଳାକୃତି
ମନରୁ ଭୟ ଦୂର କରିବା ସହ ଶକ୍ତି ସଂଚୟ କରିବା ପାଇଁ ପ୍ରୟତଃ ଆମେ ସମସ୍ତେ ହନୁମାନ ଚାଳିଶା ପାଠ କରିଥାଉ । ମନ୍ଦିର ମାନଙ୍କରେ ବି କାନ୍ଥରେ ହନୁମାନ ଚାଳିଶା ଖୋଦେଇ କରାଯାଇଥିବା ଆମେ ନିଶ୍ଚିନ୍ତ ରୂପେ ଲକ୍ଷ କରିଥିବା । କିନ୍ତୁ ଜାଣନ୍ତିକି ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ଏହି ହନୁମାନ ଚାଳିଶାକୁ କାଠରେ ଖୋଦେଇ କରାଯାଇଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆଉ ଏମିତି ଏକ କଳାକୃତି କରି ଦେଖେଇଛନ୍ତି ବ୍ରହ୍ମପୁର ହିଞ୍ଜିଳିକାଟୁ ଅଧିବାସୀ ଶିଳ୍ପୀ ଅରୁଣ କୁମାର ସାହୁ । ଏହି କାମ ପାଇଁ ସେ ଗମ୍ଭାରୀ କାଠ ବ୍ୟବହାର କରିଥିବା ବେଳେ ନିହାଣ ଓ ବ୍ଲେଡ ସାହାଯ୍ୟରେ ଖୋଦେଇ କରି ସେ ଏହାକୁ ପ୍ରସ୍ତୁତ କରିଥିବା ନେଇ କହିଛନ୍ତି । ଶିଳ୍ପୀ ଅରୁଣ ପ୍ରସ୍ତୁତ କରିଥିବା ଏହି ଚାଳିଶା ଟିରେ ସର୍ବମୋଟ ୫ଟି ପୃଷ୍ଠା ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଉପରେ ଓ ତଳେ ଦୁଇଟି ମଲାଟ ବି ଦେଇଛନ୍ତି ।
ଉପର ମଲାଟ ଉପରେ ଶ୍ରୀ ହନୁମାନଙ୍କର ଏକ ଖୋଦିତ ପ୍ରତିକୃତି ମଧ୍ୟ ରହିଛି । ଯାହାକି ଖୁବ ଆକର୍ଷଣୀୟ ଲାଗୁଛି । ଏହି ୭ ପୃଷ୍ଠା ବିଶିଷ୍ଟ ପୁସ୍ତକ ଟିର ଦୈର୍ଘ୍ୟ ୧୦ .୫ ଇଞ୍ଚ ଥିବା ବେଳେ ପ୍ରସ୍ଥ ରହିଛି ୯ ଇଞ୍ଚ । ଆଉ ଏହାର ମୋଟେଇ ୨ .୫ ଇଞ୍ଚ ରହିଛି । ଠିକ ସମାନ ଧରଣର ସେ ଆଉ ଦୁଇଟି ଚାଳିଶା ପ୍ରସ୍ତୁତ କରିଥିବା ବେଳେ ଏମଧ୍ୟରୁ ଗୋଟିଏକୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟଟିକୁ ପ୍ରଧାନମନ୍ତ୍ରୀକୁ ଦେବେ ବୋଲି ଲକ୍ଷ ରଖିଛନ୍ତି । ଆସନ୍ତୁ ଜାଣିବା ଏମିତି ଏକ ବିରଳ କଳାକୃତି ପ୍ରଦର୍ଶନ କରୁଥିବା ଶିଳ୍ପୀ ଅରୁଣଙ୍କ ବିଷୟରେ । ଅରୁଣଙ୍କ ଘର ଗଂଜାମ ଜିଲ୍ଲା ହିଂଜଳୀକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଇଲି ଗ୍ରାମରେ । ଶିଳ୍ପୀ ଅରୁଣଙ୍କ ବାପା ଭାସ୍କର ସାହୁ ବି ଜଣେ ଭଲ କାରିଗର ଥିଲେ । ଯୁକ୍ତ ଦୁଇ ଶିକ୍ଷା ପରେ ପରିବାରର ପ୍ରତିପୋଷଣ ପାଇଁ ବାପାଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଥିଲେ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ କାଠରେ ପ୍ରତିକୃତି ନିର୍ମାଣ କରି ରୋଜଗାର କରିବା ଆରମ୍ଭ କରିଥିଲେ ।
ଏହାପରେ ସେ ପ୍ୟାରିସ ସ୍ଥିତ ଆଇଫିଲ ଟାୱାର, ତାଜମହଲ, ଧଉଳି ଶାନ୍ତି ସ୍ତୁପ, ଓଡିଶା ବିଧାନ ସୌଧ ଆଦିକୁ କାଠରେ ନିର୍ମାଣ କରି ଦେଶ ବିଦେଶରେ ଆଦୃତ ଲାଭ କରିପାରିଛନ୍ତି । ଖାଲି ସେତିକି ନୁହେଁ ଏଗୁଡିକ “ଇଣ୍ଡିଆ ବୁକ ଅଫ ରେକର୍ଡ”ରେ ମଧ୍ୟ ସ୍ଥାନ ମଧ୍ୟ ପାଇଛି । ଗତ ମହାମାରୀ ଠାରୁ ଏହି କାମ ଏକପ୍ରକାର ଠପ ହୋଇଯାଇଛି । ନିଜକୁ ତଥା ନିଜ ପରିବାରକୁ ଏହି ସଙ୍କଟରୁ ରକ୍ଷା କରିବା ପାଇଁ ମହାବୀର ହନୁମାନଙ୍କ ଶରଣ ପଶିଥିଲେ । ଆଉ ଏମିତିରେ ତାଙ୍କ ମନକୁ ଆସିଥିଲା ହନୁମାନ ଚାଳିଶାକୁ କାଠରେ ଖୋଦେଇ କରି ଏକ ବାସ୍ତବ ରୂପ ଦେବା ପାଇଁ । ଶେଷର ମନର ଏହି ଇଚ୍ଛାକୁ ବାସ୍ତବ ରୂପ ଦେଇ ମାତ୍ର ଏକ ମାସ ସମୟ ଭିତରେ କାଠରେ ପ୍ରସ୍ତୁତ କରିଥିଲେ ଶ୍ରୀ ହନୁମାନ ଚାଳିଶା । ପିଲାଟି ବେଳରୁ ଅରୁଣଙ୍କର ବିଦେଶ ଭ୍ରମଣ କରିବା ସଉକ ଥିଲା । କିନ୍ତୁ ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିବାରୁ ଅରୁଣଙ୍କ ଏହି ସ୍ବପ୍ନ ସ୍ୱପ୍ନରେ ହିଁ ରହିଯାଇଛି ।