ବାଲିଯାତ୍ରା : ଓଡ଼ିଶା ଇତିହାସର ଜୀବନ୍ତ ମୁକସାକ୍ଷୀ

ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟିକ ମେଳା ହେଉଛି କଟକର ଐତିହାସିକ ବାଲିଯାତ୍ରା। ସବୁଠାରୁ ବଡ଼ ମୁକ୍ତାକାଶ ବାଣିଜ୍ୟ ମେଳା । ହେଲେ ହଜାର ହଜାର ବର୍ଷର ଏହି ପୁରୁଣା ପରମ୍ପରାଗତ ମେଳା ଆଜିବି ତାର ମର୍ଯ୍ୟାଦା ବଜାୟ ରଖିଛି । ଆଜିବି ଲୋକେ ଅନାଇ ବସିଥାନ୍ତି ବାଲିଯାତ୍ରାକୁ । କଟକ ମହାନଦୀ କୂଳ ଗଡ଼ଗଡ଼ିଆ ଘାଟରେ ଏହି ମେଳା କେବେ ଠାରୁ ଆରମ୍ଭ ହୋଇଛି ସେ ବିଷୟରେ ଇତିହାସରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ଦିନକୁ ଦିନ ଏହାର କଳେବର, ଲୋକପ୍ରିୟତା ଓ ଲୋକସଂଖ୍ୟା ବଢ଼ି ଚାଲିଛି ।

 ବୋଇତ ବନ୍ଦାଣ ଓ ବାଲିଯାତ୍ରା

ଏହି ମେଳା ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ସାତ ଦିନ ପର୍ଯ୍ୟନ୍ତ ଚାଲିଥାଏ। କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗାଭସା ବା ବୋଇତ ବନ୍ଦାଣ ପର୍ବ ନାମରେ ମଧ୍ୟ ଜଣାଶୁଣା । ଏକ ମହାନ୍‌ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଗ କାଳରେ ସାଧବ ପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ । ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।
ଏହି ସମୟକୁ ସାଧବମାନେ ପାଲଟଣା ନୌକାରେ ବେପାର-ବଣିଜ କରିବା ପାଇଁ ବାହାରୁଥିଲେ । ଋତୁ ଦୃଷ୍ଟିରୁ ଏହା ପ୍ରକୃଷ୍ଟ ସମୟ ଥିଲା । କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ ।

ଇଣ୍ଡୋନେସିଆ ସହିତ ରହିଛି କ’ଣ ସମ୍ପର୍କ

BOITA-3

ଦ୍ୱିତୀୟ ଶତାବ୍ଦୀରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗ ବା ଓଡିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ବ୍ୟାପାରିକ ସମ୍ପର୍କ ବେଶ ନିବିଡ ରହିଥିଲା। ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବ୍ୟାବସାୟିକ ସମ୍ପର୍କକୁ ମଜବୁତ କରିଥିଲା। ଏହା ସହିତ ଜାଭା ଏବଂ ବାଲି ଦ୍ୱୀପ ରେ କିଛି ଜାଗାର ନାମ ଓଡିଆ ରାଜାଙ୍କ ନାମକୁ ନେଇ କରାଯାଇଛି।

କ’ଣ ରହିଛି ମତବାଦ

3

ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନରେ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଖାଲି ସେତିକି ନୁହେଁ, କଳିଙ୍ଗର ସାଧବମାନେ କେବଳ ଏହି ଗୋଟିଏ ସ୍ଥାନରୁ ବାଣିଜ୍ୟ କରିବାକୁ ଯାଉନଥିଲେ । ଭିନ୍ନ ଭିନ୍ନ ନଦୀଘାଟରୁ ଏବଂ ଓଡ଼ିଶାର ଅନ୍ୟ ବନ୍ଦରରୁ ମଧ୍ୟ ଯାଉଥିଲେ । ତେବେ ବାଲିଯାତ୍ରାର ଇତିହାସକୁ ନେଇ ଆଉ ଏକ କଥା ମଧ୍ୟ ରହିଛି ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧବମାନେ ସେମାନଙ୍କ ଯାତ୍ରାରୁ ଫେରି ଏହି ଘାଟରେ ଏକାଠି ହୁଅନ୍ତି ଓ ସେମାନଙ୍କୁ ସ୍ୱାଗତ କରାଯିବା ସହ ସେମାନେ ବିଦେଶରୁ ଆଣିଥିବା ସାମଗ୍ରୀ ସବୁ ଏଠାରେ ବିକ୍ରି କରିଥାନ୍ତି । ବାଣିଜ୍ୟ ବେପାର ସାରି ଦୀର୍ଘଦିନ ପରେ ସ୍ୱଦେଶକୁ ଫେରୁଥିବାରୁ ଆନନ୍ଦ ଉଲ୍ଲାସରେ ଏକ ଯାତ୍ରା ବା ଉତ୍ସବ ପାଳନ କରାଯିବା ଅସମ୍ଭବ ନୁହେଁ । ତେବେ ସାଧବମାନଙ୍କ ବାଣିଜ୍ୟ ବେପାରର ଇତିହାସକୁ ଅନୁଶୀଳନ କଲେ ଜଣାଯାଏ ଯାଉଛି ସେମାନେ ବର୍ଷା ଚାରିମାସ ଯିବା ପରେ ଜଳପଥରେ ବିଦେଶ ହିଁ ଯାଉଥିଲେ ।

ଐତିହାସିକ ତଥ୍ୟ

BOITA-2

ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି ମଧ୍ୟ ସୂଚନା ମିଳେ । ଏହା ଏକ ଐତିହାସିକ ସତ୍ୟ ହୋଇପାରେ । ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ଶୀଳାଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ୱ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳ ରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସିଂହଳରେ ସେତେବେଳେ ରାଜା ଥିଲେ ଚିତ୍ରକେୟୁର । ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସେ ସଙ୍ଗରେ ଆଣିଥିଲେ । ସେ ଜଳପଥରେ ଆସି ମହାନଦୀ ମୁହାଣ ଦେଇ ନିରାପଦ ସ୍ଥାନ କଟକ ଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ । ସେତିକି ବେଳେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ ।

ସମୟ ବଦଳିଛି ହେଲେ ଅଛି ବାଲିଯାତ୍ରା

1

ସମୟ ବଦଳି ଗଲାଣି । ଅତୀତର ସେହି ବେପାର ବଣିଜ ପରମ୍ପରା ସିନା ଅଛି ହେଲେ ସେ ସମୟ ତୁଳନାରେ ଏହାର କଳେବର ବୃଦ୍ଧି ପାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଛୁଟି ଆସୁଛନ୍ତି ବ୍ୟବସାୟୀ ଏହି ବାଲିଯାତ୍ରାକୁ । ନାନା ପ୍ରକାର ସାମଗ୍ରୀ ଏଇ ଯାତ୍ରାରେ ମିଳେ । କୁହାଯାଏ ଛୋଟ ଛୁଞ୍ଚି ଠାରୁ ଆରମ୍ଭ କରି ବଡ଼ ବଡ଼ ଜିନିଷ ମଧ୍ୟ ବାଲିଯାତ୍ରାରୁ ମିଳିଥାଏ । ସେ ଘରକରଣା ସାମଗ୍ରୀ ହେଉ କି ବିଭିନ୍ନ ପ୍ରକାର ଚଟପଟି ଖାଦ୍ୟ ପୁଣି ମୀନା ବଜାର ସବୁ କିଛି ମିଳିଯାଏ ଏଇ ଗୋଟିଏ ମେଳାରୁ । ଲୋକେ ଏତେବଡ଼ ମେଳାକୁ ଗୋଟିଏ ଦିନରେ ବୁଲିବା ସମ୍ଭବ ହୁଏ ନାହିଁ । ତେଣୁ ଦୁଇ ଦୁଇଥର ଯିବାକୁ ମନ କରନ୍ତି ।
ଆସନ୍ତା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ ଏହି ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଉ ସବୁଠାରୁ ବଡ଼ କଥା ହେଲା ଏତେ ବର୍ଷ ପରେ ବାଲିଯାତ୍ରାକୁ ମିଳିଛି ସରକାରୀ ମାନ୍ୟତା । ଯାହାଫଳରେ ଏହି ମେଳା ଆହୁରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ ହେବ ।

ଏସବୁକୁ ସତର୍କ ରୁହନ୍ତୁ

FOOD-1

ତେବେ ସବୁ ମଜା ଭିତରେ କେତୋଟି କଥା ପ୍ରତି ମେଳା ବୁଲି ଆସିଥିବା ଲୋକଙ୍କୁ ସବୁବେଳେ ଧ୍ୟାନ ଦେବାକୁ ହେବ । ପ୍ରଥମରେ ଯଦି ପରିବାର ସହ ଆସିଛନ୍ତି ତେବେ ପ୍ରବଳ ଭିଡ଼ରେ ସାବଧାନ ରହିବେ । ଦ୍ୱିତୀୟରେ ଏଠାରେ ପ୍ରବଳ ଧୂଳି ଯୋଗୁଁ ଫେରିବା ବେଳକୁ ଦେହ ସାରା ଧୂଳି ଧୂସର ହୋଇଯିବ । ତୃତୀୟ କଥାଟି ହେଉଛି ବାସି ଖାଦ୍ୟ ହାବୁଡ଼ରେ ପଡ଼ି ପାରନ୍ତି । ଯଦିଓ ଏସବୁକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି ତଥାପି ସତର୍କ ରହିବା ଜରୁରୀ ।

ତେବେ ଗୋଟିଏ କଥା ଭୁଲି ହେବ ନାହିଁ । ଏକଥାଟି ସମସ୍ତଙ୍କ ହୃଦୟରେ ରହିବା ଦରକାର ଯେ କଳିଙ୍ଗ, ଉତ୍କଳ, ଓଡ଼ିଶା । ଏସବୁ ଗୋଟିଏ ନାଁ । ଆଉ ତାର ଐତିହ୍ୟର ମୂକସାକ୍ଷୀ ହେଉଛି ବାଲିଯାତ୍ରା ।

Leave A Reply

Your email address will not be published.