ଦିନେ କହିଥିଲେ ମୋ ଜୀବନ ମଞ୍ଚରେ ଯାଉ, ସେୟା ହିଁ ହେଲା…

ଭାରତନାଟ୍ୟମ ନୃତ୍ୟଗୁରୁ ଗଣେଶନ୍‌ଙ୍କ ମରଶରୀର ଗଲା ମାଲେସିୟା ।

ଭୁବନେଶ୍ୱର (କେନ୍ୟୁଜ): ରିଙ୍କୁ ତୁମ୍‌ ଥୋଡା ରୁକୋ, ମେରା ଡ୍ୟାନ୍ସ ଦେଖକର ଜାଓଗେ …. ନେହିଁ ଗୁରୁଜୀ ମୈନେ ଆପକେ ଡ୍ୟାନ୍ସ ମାଲେସିୟା ମେଁ ଦେଖାଥା । ମେରା କାମ ହୈ… । ଏତିକି କହି ରିଙ୍କୁ ଗୁରୁଙ୍କୁ ଅତି ଆଦର କରି ବାହାରି ଆସିଥିଲେ । ତେବେ ରିଙ୍କୁ ଆସି ଅଳ୍ପ ବାଟରେ ହୋଇଛନ୍ତି କି ନାହିଁ ଜୟଦେବ ସଂଗଠନର ନିର୍ଦ୍ଦେଶକ ଜଗବନ୍ଧୁ ଜେନା ଫୋନ କରି କହିଲେ ନୃତ୍ୟ ଗୁରୁ ଗଣେଶନ ଆଉ ଇହଜଗତରେ ନାହାନ୍ତି । ଏତିକି ପରେ ଆରମ୍ଭ ହୁଏ କାହାଣୀ ।

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହେଉଥିଲା ଜୟଦେବ ରାଷ୍ଟ୍ରୀୟ ସମ୍ମାନ ଉତ୍ସବ । ବିଭିନ୍ନ ସ୍ଥାନରୁ ଏମିତିକି ଭାରତ ବାହାରୁ ମଧ୍ୟ ଅନେକ ନୃତ୍ୟ ଶିଳ୍ପୀ ଆସିଥିଲେ ଭୁବନେଶ୍ୱର । ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେଉଥିଲା ଉତ୍ସବ । ମାଲେସିୟାରୁ ଆସିଥାନ୍ତି ମାଲେସିଆ ଭାରତ ନାଟ୍ୟମ ନୃତ୍ୟ ସଂଗଠନର ସଭାପତି ଗୁରୁ ଗଣେଶନ । ସମସ୍ତେ ଉତ୍ସବରେ ଯୋଗ ଦେଇ ବହୁତ ଖୁସି ଥାଆନ୍ତି । ଗଣେଶନ ନାଆଁଟି ହିଁ ତାଙ୍କ ପରିଚୟ । ନୃତ୍ୟ ଜଗତରେ ଖୁବ୍‌ ସମ୍ମାନ ରହିଛି ତାଙ୍କର । ତାଙ୍କୁ ନିମନ୍ତ୍ରଣ କରି ଡକା ହୋଇଥିଲା ରାଷ୍ଟ୍ରୀୟ ଜୟଦେବ ସମ୍ମାନ ସମାରୋହକୁ । ବହୁତ ଉତ୍ତୁଫୁଲ୍ଲିତ ଓ ଖୁସି ଥିଲେ ଗଣେଶନ । ବ୍ୟକ୍ତିଗତ ଭାବରେ ମଧ୍ୟ ସେ ଖୁସି ମିଜାଜର ଲୋକ । ପ୍ରତିଭା ବି ସମସ୍ତଙ୍କୁ ଚକିତ କଲା ଭଳି । ସେଇଥି ପାଇଁ ତ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ମାଲେସିୟା ଭାରତ ନାଟ୍ୟମ ସଂଗଠନର ସଭାପତି ଭାବେ ।

natya guru

ସେଦିନ ଭଞ୍ଜ କଳାମଣ୍ଡପରେ ନୃତ୍ୟ ଗୁରୁ ଗଣେଶନ ନୃତ୍ୟ ପରିବେଷଣ କରୁଥାନ୍ତି । ଯାହା ପ୍ରତ୍ୟେକ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରୁଥାଏ । ଅପୂର୍ବ ଲାଳିତ୍ୟ ଓ ଅଙ୍ଗଭଙ୍ଗୀ । ନୃତ୍ୟ ପ୍ରଦର୍ଶନ ସରିଲା ପରେ ଆସିଲେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାକୁ । ସବୁ ଅତିଥି ଗହଣରେ ହସି ହସି ପ୍ରଦୀପ ପ୍ରଜ୍ବଳନ କରିବାକୁ ଯାଉଥିଲେ । ସମସ୍ତେ ତାଳି ମାରୁଥାନ୍ତି । ତେବେ ସେଇ ମୁହୂର୍ତ୍ତରେ ଦୀପ ଜାଳୁ ଜାଳୁ ଟଳି ପଡ଼ିଲେ ମଞ୍ଚ ଉପରେ । ସମସ୍ତେ ପାଖକୁ ଦୌଡ଼ି ଯାଇ ତାଙ୍କୁ ଆଣି ଶୁଆଇ ବିଞ୍ଛା ବିଞ୍ଚି କଲେ । କାରଣ ପ୍ରବଳ ଗୁଳୁଗୁଳି ହେଉଥିଲା । ଦେହରୁ ଗମ୍‌ ଗମ୍‌ ଝାଳ ବାହାରୁଥିଲା । ସମସ୍ତେ ଭାବିଲେ ବୋଧହୁଏ ଅତ୍ୟଧିକ ଗରମ ଯୋଗୁଁ ଏମିତି ହେଲା । ହେଲେ ଯେତେ ଚେଷ୍ଟା କଲେ ସେମିତି ସଜ୍ଞାହୀନ ହୋଇ ପଡ଼ି ରହିଲେ ନୃତ୍ୟଗୁରୁ । ପ୍ରଥମେ ଘରୋଇ ହସ୍ପିଟାଲକୁ ତାପରେ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କୁ ନିଆଗଲା । ଡାକ୍ତର କିନ୍ତୁ ତାଙ୍କୁ ମୃତ ଘୋଷଣା କଲେ । ସବୁ ଦିନ ପାଇଁ ଅନ୍ତର୍ଜାତୀୟ ନୃତ୍ୟ କଳା ଜଗତ ହରାଇ ବସିଲା ଜଣେ ସୁଦକ୍ଷ ନୃତ୍ୟ କଳାକାରଙ୍କୁ ।

ଜଣେ ବିଦେଶୀ ନାଗରିକ ହୋଇଥିବାରୁ କିଛି ଆଇନଗତ ଔପଚାରିକତା ଥିଲା । ଓଡିଶା ପୋଲିସ କରି ସେସବୁ କାମ ଶବ ବ୍ୟବଚ୍ଛେଦ କରାଇଲେ । ତାପରେ କଫିନ ଭିତରେ ପ୍ୟାକିଙ୍ଗ କରି ମରଶରୀରକୁ ମାଲେସିୟା କୁଆଲାଲୁମ୍ପୁର ପଠାଇବାର ବନ୍ଦୋବସ୍ତ କଲେ । ଗଣେଶନଙ୍କ ଭାଇ ତାଙ୍କର ସମ୍ପର୍କୀୟଙ୍କୁ ପଠାଇଲେ । ସେ ହେଉଛନ୍ତି ଲୋକନାଥ ମହାନ୍ତି । ତାଙ୍କୁ ଗୁରୁ ଗଣେଶନଙ୍କ ମରଶରୀର ହସ୍ତାନ୍ତର କରାଗଲା । ସେ ନୃତ୍ୟ ଗୁରୁ ଗଣେଶନଙ୍କ ମର ଶରୀରକୁ ନେଇ ରବିବାର ସକାଳେ ଉଡ଼ାଜାହାଜ ଯୋଗେ ଦିଲ୍ଲୀ ତାପରେ ମାଲେସିୟା ଗଲେ । ଏଭଳି ଜଣେ ବିଶିଷ୍ଟ ନୃତ୍ୟ ଗୁରୁଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ । ସେ କହୁଥିଲେ ମଞ୍ଚ ମୋ ଜୀବନ, ଏଇ ମଞ୍ଚରେ ହିଁ ମୋ ଜୀବନ ଯାଉ । ଆଉ ତାହାହିଁ ସତ ହେଲା । ସେହି ନୃତ୍ୟ ମଞ୍ଚରେ ଦୀପ ଜଳାଉ ଜଳାଉ ଜୀବନ ଦୀପ ଲିଭିଗଲା ନୃତ୍ୟୁଗୁରୁ ଗଣେଶନଙ୍କର ।

 

Leave A Reply

Your email address will not be published.